ଦେଶରେ ଜାରି ରହିଛି ଗ୍ରୀଷ୍ମ ପ୍ରବାହ । ଅସହ୍ୟ ଖରାରେ କଲବଲ ହେଉଛନ୍ତି ଲୋକେ । ତେବେ ଆଗକୁ ଆହୁରି ବଢିବ ଖରା। ଫଳରେ ଏନେଇ ଆଗୁଆ ସତର୍କତା ଜାରିକରିଛନ୍ତି ଭାରତୀୟ ପାଣିପାଗ ବିଭାଗ (ଆଇଏମଡି)। ଚଳିତବର୍ଷ ଗ୍ରୀଷ୍ମ ଅତୀତର ସବୁ ରେକର୍ଡ ଭାଙ୍ଗିବ ବୋଲି ଚେତାବନୀ ଜାରି କରିଛନ୍ତି। ଦୀର୍ଘ ଶୀତ ଋତୁ ପରେ ବସନ୍ତ ନ ସରୁଣୁ ଗ୍ରୀଷ୍ମର ଧାସ ବାଜିଲାଣି। ମାର୍ଚ୍ଚ ସରି ନଥିବା ବେଳେ ରାଜଧାନୀ ଦିଲ୍ଲୀରେ ଦିନର ତାପମାତ୍ରା ୩୫.୫ ଡିଗ୍ରି ସେଲସିୟସକୁ ପହଞ୍ଚିଛି। କେବଳ ଦିଲ୍ଲୀ ନୁହେଁ ଉତ୍ତର ଭାରତରେ ଏବେ ଗ୍ରୀଷ୍ମ ଅନୁଭୂତ ହେଉଥିବା ପାଣିପାଗ ବିଭାଗଙ୍କ ସୂଚନାରୁ ଜଣାପଡିଛି।
ରାଜଧାନୀ ଦିଲ୍ଲୀରେ ଆଗାମୀ ୨ରୁ ୩ ଦିନ ବେଳକୁ ତାପମାତ୍ରାରେ ୨ରୁ ୩ ଡିଗ୍ରି ପର୍ଯ୍ୟନ୍ତ ବୃଦ୍ଧି ହୋଇପାରେ ବୋଲି ଆକଳନ କରାଯାଉଛି। ତେବେ ମାର୍ଚ୍ଚ ୨୯ ଓ ୩୦ ତାରିଖ ବେଳକୁ ଉତ୍ତର ଭାରତର କେତେକ ସ୍ଥାନର ତାପମାତ୍ରା ୪୦ ଡିଗ୍ରିକୁ ପହଞ୍ଚିପାରେ ବୋଲି ପୂର୍ବାନୁମାନ କରିଛନ୍ତି। ତେବେ ମାର୍ଚ୍ଚ ୨୭ ତାରିଖ ପର୍ଯ୍ୟନ୍ତ ପାଗରେ ସେପରି କୌଣସି ପରିବର୍ତ୍ତନ ଆଶଙ୍କା କରାଯାଉନଥିବା ବେଳେ ୨୭ ତାରିଖ ପରଠାରୁ ତାପମାତ୍ରା ବୃଦ୍ଧିର ଆକଳନ କରାଯାଉଛି।
ମାର୍ଚ୍ଚ ୨୭ ତାରିଖ ପରେ ତାପମାତ୍ରା ୩୭ ରୁ ୩୮ ଡିଗ୍ରି ସେଲସିୟସ ପର୍ଯ୍ୟନ୍ତ ପହଞ୍ଚିବ ବୋଲି ପାଣିପାଗ ବିଭାଗ ଆଶଙ୍କା କରୁଥିବା ବେଳେ ପରେ କ୍ରମଶଃ ବଢିବାରେ ଲାଗିବ। ସାଧାରଣତଃ ଏପ୍ରିଲ ପ୍ରଥମ ସପ୍ତାହ ପରେ ଦେଶରେ ଗ୍ରୀଷ୍ମର ପ୍ରକୋପ ଅନୁଭୂତ ହେଉଥାଏ। ହେଲେ ଚଳିତବର୍ଷ କଥା କିନ୍ତୁ ଭିନ୍ନ। ମାର୍ଚ୍ଚ ୧୫ ତାରିଖ ବେଳକୁ ପଶ୍ଚିମ, ମଧ୍ୟ ଓ ଦକ୍ଷିଣ ଭାରତରେ ଲୁର ପ୍ରକୋପ ଅନୁଭୂତ ହୋଇଥିଲା। ଏଥିଲାଗି ପାଣିପାଗ ବିଭାଗ ଲୁ ସତର୍କତା ଜାରି କରିଥିଲେ।
ଏଥର ଏପ୍ରିଲ ପ୍ରଥମ ସପ୍ତାହ ବେଳକୁ ଦେଶର ଅଧିକାଂଶ ସହରାଞ୍ଚଳରେ ତାପମାତ୍ରା ୪୦ ଡିଗ୍ରି ସେଲସିୟସ ଉପରେ ରହିବ ।
