ସୁନୀଲ ବଂଶଲଙ୍କୁ ବଡ଼ ଦାୟିତ୍ୱ ଦେଲା ବିଜେପି : ପଶ୍ଚିମବଙ୍ଗ, ଓଡିଶା ଏବଂ ତେଲେଙ୍ଗାନାର ପ୍ରଭାରୀ ଭାବେ ନିଯୁକ୍ତ

ନୂଆଦିଲ୍ଲୀ: ଉତ୍ତର ପ୍ରଦେଶରେ ବିଜେପିକୁ ଗୋଟିଏ ପରେ ଗୋଟିଏ ଐତିହାସିକ ସଫଳତା ଦେଇଥିବା ରାଜ୍ୟର ସଂଗଠନ ମହାମନ୍ତ୍ରୀ ସୁନୀଲ ବଂଶଲଙ୍କ ଉପରେ ବିଜେପି ପୁଣି ଥରେ ନିଜ ଆଶା ଜାହିର କରିଛି । ସୁନୀଲ ବଂଶଲଙ୍କୁ ଦଳର ରାଷ୍ଟ୍ରୀୟ ସାଧାରଣ ସମ୍ପାଦକ ନିଯୁକ୍ତ କରିଛି ବିଜେପି । ଏହାସହ ପଶ୍ଚିମବଙ୍ଗ, ଓଡିଶା ଏବଂ ତେଲେଙ୍ଗାନା ବିଜେପିର ପ୍ରଭାରୀ ଭାବେ ଦଳ ତାଙ୍କୁ ନୂଆ ଦାୟିତ୍ୱ ଦେଇଛି । ଗତ କିଛି ମାସ ଧରି ରାଜନୈତିକ ମହଲରେ ଏହି ଚର୍ଚ୍ଚା ଜୋର ଧରିଥିଲା।

କେନ୍ଦ୍ର ଗୃହମନ୍ତ୍ରୀ ଅମିତ ଶାହଙ୍କ ସହ ସୁନୀଲ ବଂଶଲଙ୍କ ସମ୍ପର୍କ ଅତି ଘନିଷ୍ଠ । ଉତ୍ତର ପ୍ରଦେଶ ସଂଗଠନ ଦାୟିତ୍ୱ ଥିବା ସମୟରେ ୨୦୧୪ ଲୋକସଭା ନିର୍ବାଚନରେ ଦଳକୁ ୭୧ ଆସନରେ ବିଜୟୀ କରାଇ ଇତିହାସ ରଚିଥିଲେ ।

ଏହାପରେ ୨୦୧୭ ଉତ୍ତର ପ୍ରଦେଶ ବିଧାନସଭା ନିର୍ବାଚନରେ ପ୍ରାୟ ୧୪ ବର୍ଷ ପରେ ରାଜ୍ୟରେ କ୍ଷମତାକୁ ବିଜେପି ଫେରିଥିଲା । ୨୦୧୯ର ଲୋକସଭା ନିର୍ବାଚନରେ ଏସପି-ବିଏସପି ମେଣ୍ଟ ସତ୍ତ୍ୱେ ଉତ୍ତର ପ୍ରଦେଶରେ ଦଳ ୬୩ ଆସନ ଜିତିବାରେ ସଫଳ ହୋଇଥିଲା । ସେହିପରି ୨୦୨୨ ଉତ୍ତର ପ୍ରଦେଶ ବିଧାନସଭା ନିର୍ବାଚନରେ ୩୫ ବର୍ଷର ରେକର୍ଡ ଭାଙ୍ଗି ପୁଣି ଥରେ କ୍ଷମତାକୁ ଫେରିଥିଲା । ଏହି ସବୁ ନିର୍ବାଚନରେ ସୁନୀଲ ବଂଶଲଙ୍କ ରଣନୀତି ବେଶ ଗୁରୁତ୍ୱପୂର୍ଣ୍ଣ ଥିଲା ।

ସୁନୀଲ ବଂଶଲଙ୍କ ପରିଚୟ ଜଣେ କୁଶଳୀ ରଣନୀତକାର ରୂପେ ରହିଛି । ଏବେ ବିଜେପିର ନଜର ପଶ୍ଚିମବଙ୍ଗ, ଓଡିଶା ଏବଂ ତେଲେଙ୍ଗାନା ଉପରେ ରହିଛି । ଏହି କାରଣକୁ ତାଙ୍କୁ ଏହି ତିନି ରାଜ୍ୟର ପ୍ରଭାରୀ ନିଯୁକ୍ତ କରାଯାଇଥିବା ରାଜନୈତିକ ମହଲରେ ଚର୍ଚ୍ଚା ଧରିଛି ।

Related Posts