“୨୦୨୫ ବିଧାନସଭା ନିର୍ବାଚନ ପୂର୍ବରୁ ଭାଙ୍ଗିଯିବ ବିହାରର ମହାଗଠବନ୍ଧନ ସରକାର” : ସୁଶୀଲ ମୋଦି

ଭୁବନେଶ୍ୱର ( ସତ୍ୟପାଠ ବ୍ୟୁରୋ ): ବିହାରରେ ରାଜନୈତିକ ପାଣିପାଗ ଏବେ ସରଗରମ ରହିଛି। ମୁଖ୍ୟମନ୍ତ୍ରୀ ନୀତୀଶ କୁମାର ଶୁକ୍ରବାର ବିହାରରେ ମୁଖ୍ୟମନ୍ତ୍ରୀ ପଦରୁ ଇସ୍ତଫା ଦେଇ ବିଜେପି ସହିତ ଥିବା ମେଣ୍ଟ ସରକାରକୁ ଭାଙ୍ଗି ଦେଇଛନ୍ତି। ପରେ ସେ ଆରଜେଡି ନେତୃତ୍ଵାଧୀନ ମହାଗଠବନ୍ଧନ ସାହାଜ୍ୟରେ ପୁଣି କ୍ଷମତାକୁ ଆସିଛନ୍ତି।ଏହା ମଧ୍ୟରେ ବିହାରର ପୂର୍ବତନ ଉପ ମୁଖ୍ୟମନ୍ତ୍ରୀ ତଥା ବିଜେପି ରାଜ୍ୟସଭା ସାଂସଦ ସୁଶୀଲ କୁମାର ମୋଦି କହିଛନ୍ତି ଏବେ ତିଆରି ହୋଇଥିବା ମହାଗଠବନ୍ଧନ ସରକାର ତାର ୨୦୨୫ରେ କାର୍ଯ୍ୟକାଳ ସରିବା ପୂର୍ବରୁ ଧରାସାୟି ହେବ।

ସୁଶୀଲ ମୋଦୀ ଜେଡିୟୁ ମୁଖ୍ୟ ତଥା ବିହାର ମୁଖ୍ୟମନ୍ତ୍ରୀ ନୀତୀଶ କୁମାରଙ୍କୁ ଭର୍ସନା କରିଛନ୍ତି। ସେ କହିଛନ୍ତି ନୀତୀଶ କୁମାର ପ୍ରଧାନମନ୍ତ୍ରୀଙ୍କୁ ଏବଂ ଏନଡିଏକୁ ଭୋଟ ଦେଇଥିବା ବିହାର ଜନତାମାନଙ୍କୁ ଅପମାନିତ କରିଛନ୍ତି। ଏକ ସାମ୍ୱାଦିକ ସମ୍ମିଳନୀକୁ ସମ୍ୱୋଧନ କରି ସୁଶୀଲ ମୋଦୀ କହିଛନ୍ତି ଆରଜେଡି ମୁଖ୍ୟ ଲାଲୁ ପ୍ରସାଦ ଯାଦବଙ୍କ ଅସୁସ୍ଥତାର ଫାଇଦା ନେଇ ନୀତୀଶ ଆରଜେଡିକୁ ଛାଡ଼ିଦେବେ ଓ ଆରଜେଡିରେ ଫାଟ ସୃଷ୍ଟି କରିବା ପାଇଁ ଚେଷ୍ଠା କରିବେ।

ସେ ଜେଡିୟୁର ନେତା ଆରସିପି ସିଂହଙ୍କ ମାଧ୍ୟମରେ କରାଯାଇଥିବା ଷଡ଼ଯନ୍ତ୍ରର ଦାବୀକୁ ଖଣ୍ଡନ କରି ଦାବି କରିଛନ୍ତି ଯେ ଗୃହମନ୍ତ୍ରୀ ଅମିତ ଶାହ ନୀତିଶ କୁମାରଙ୍କ ସହମତିନେବା ପରେ ପୂର୍ବତନ କେନ୍ଦ୍ରମନ୍ତ୍ରୀଙ୍କୁ କ୍ୟାବିନେଟରେ ସାମିଲ କରାଯାଇଥିଲା। ସୁଶୀଲ ଆହୁରି କହିଛନ୍ତି, ଆମେ ଦେଖିବାକୁ ଚାହୁଁଛୁଯେ ବିହାରରେ ନୂଆ ସରକାର ଉପ ମୁଖ୍ୟମନ୍ତ୍ରୀ ତେଜସ୍ୱୀ ଯାଦବଙ୍କ ନେତୃତ୍ୱରେ କିପରି କାର୍ଯ୍ୟ କରୁଛି ? ଏହି ସରକାର ଆସନ୍ତା ବିଧାନସଭା ନିର୍ବାଚନ ପୂର୍ବରୁ ଭାଙ୍ଗିଯିବ ବୋଲି ସୁଶୀଲ କହିଛନ୍ତି।

ସେପଟେ ଲାଗାତାର ଅଷ୍ଟମ ଥର ପାଇଁ ମୁଖ୍ୟମନ୍ତ୍ରୀ ଭାବେ ଶପଥ ନେବାପରେ ନୀତୀଶ କହିଛନ୍ତି ବିହାର ଜନତା ନୂଆ ସରକାର ଗଠନ ପରେ ବେଶ ଖୁସି। ୨୦୨୦ ନିର୍ବାଚନରେ ଜେଡିୟୁ ସହିତ ବହୁତ ଖରାପ ବ୍ୟବହାର ହୋଇଥିଲା। ସେଥିପାଇଁ ବିଧାୟକ ଏବଂ ସାଂସଦମାନେ ବାରମ୍ବାର ବିଜେପି ମେଣ୍ଟରୁ ଓହରି ଯିବାପାଇଁ କହୁଥିଲେ। ଶେଷରେ ଆମେ ଏନଡିଏ ମେଣ୍ଟରୁ ଓହରି ଯାଇଛୁ। କିଛି ଲୋକ ଭାବୁଛନ୍ତି ଦେଶରେ ବିରୋଧୀ ଦଳ ଶେଷ ହୋଇଯିବେ। ଏବେ ଆମେ ବି ବିରୋଧୀମେଣ୍ଟରେ ଆସିଯାଇଛୁ। ବିରୋଧୀ ଦଳ ଆହୁରି ମଜବୁତ ହେବ।

Related Posts