ଜେଲ୍‌ରେ ସୁକେଶ ଚନ୍ଦ୍ରଶେଖରଙ୍କୁ ସାହାଯ୍ୟ କରିବା ଅଭିଯୋଗରେ ତିହାର ଜେଲ୍‌ର ମହାନିର୍ଦେଶକ ସନ୍ଦୀପ ଗୋୟଲ୍‌ଙ୍କ ବଦଳି

ନୂଆଦିଲ୍ଲୀ: ବଦଳିଲେ ଦିଲ୍ଲୀ ତିହାର ଜେଲ୍‌ର ମହାନିର୍ଦେଶକ ସନ୍ଦୀପ ଗୋୟଲ୍‌ । ‘କନ୍‌ମ୍ୟାନ୍‌’ ସୁକେଶ ଚନ୍ଦ୍ରଶେଖରଙ୍କୁ ଜେଲ୍ ରେ ସାହାଯ୍ୟ କରିବା ଅଭିଯୋଗରେ ତାଙ୍କ ବଦଳି କରାଯାଇଛି । ଆହୁରି ମଧ୍ୟ ହୋଇଛି ଯେ, ଜେଲ୍‌ରେ ବିଳାସୀ ଜୀବନଯାପନ କରିବା ଲାଗି ଏବେ ସୁକେଶ ସନ୍ଦୀପ ଗୋୟଲ୍‌ଙ୍କୁ ୧୨.୫୦ କ‌ୋଟି ଟଙ୍କା ଦେଇଛନ୍ତି।

ସୁକେଶ ଚନ୍ଦ୍ରଶେଖରଙ୍କୁ ସହାୟତା କରିଥିବା ବିବାଦରେ ଛନ୍ଦି ହୋଇପଡ଼ିଥିବା ସନ୍ଦୀପ ଗୋୟଲ୍‌ଙ୍କ ସ୍ଥାନରେ ‘ସ୍ପେସାଲ୍‌ କମିସନର୍‌ ଅଫ୍‌ ପୋଲିସ୍‌’ ସଞ୍ଜୟ ବେନିୱାଲ୍‌ଙ୍କୁ ତିହାର୍‌ ଜେଲ୍‌ର ନୂଆ ମହାନିର୍ଦେଶକ କରାଯାଇଛି। ସେହିପରି, ସନ୍ଦୀପ ଗୋୟଲ୍‌ଙ୍କୁ ବଦଳି କରାଯାଇ ପୁଲିସ ମୁଖ୍ୟାଳୟରେ ଅବସ୍ଥାନ କରାଯାଇଛି।

ଦିଲ୍ଲୀ ଉପରାଜ୍ୟପାଳ ଭି.କେ. ସାକ୍ସେନା ଉପରୋକ୍ତ ଆଦେଶନାମା ଜାରି କରିଛନ୍ତି।

ଅଭିଯୋଗ ଅନୁସାରେ, ଗୋୟଲ୍‌ଙ୍କ ତତ୍ତ୍ବାବଧାନରେ ସୁକେଶ ଚନ୍ଦ୍ରଶେଖର ତିହାର ଜେଲ୍‌ରେ ବିଳାସୀ ଜୀବନଯାପନ କରୁଥିଲେ। ଲାଞ୍ଚ ନେଇ ସୁକେଶ ଚନ୍ଦ୍ରଶେଖରଙ୍କୁ ସାହାଯ୍ୟ କରିଥିବା ଅଭିଯୋଗରେ ୮୧ରୁ ଅଧିକ ଜେଲ୍‌ କର୍ମଚାରୀଙ୍କ ଉପରେ ଦିଲ୍ଲୀ ପୁଲିସ ତଦନ୍ତ କରୁଛି। ଜେଲ୍‌ ଥାଇ ମଧ୍ୟ ସୁକେଶ ଚନ୍ଦ୍ରଶେଖର୍‌ ମୋବାଇଲ୍‌ ଫୋନ୍‌, ଟେଲିଭିଜନ୍‌ ଓ ଫ୍ରିଜ୍‌ ବ୍ୟବହାର କରୁଥିଲେ।

ବିନା ଅନୁମତି ଅଥବା ଏଣ୍ଟ୍ରି ରେକର୍ଡରେ ମହିଳା ସେଲିବ୍ରିଟିମାନଙ୍କୁ ମଧ୍ୟ ଜେଲ୍‌ ଭିତରେ ସୁକେଶ ଚନ୍ଦ୍ରଶେଖରଙ୍କୁ ଭେଟିବାକୁ ଛଡ଼ା ଯାଇଥିବା କଥା ଅଭିଯୋଗ ହୋଇଥିଲା।

ଉଲ୍ଲେଖଯୋଗ୍ୟ, ‘ପ୍ରୋଟେକ୍ସନ୍‌ ମିନି’ ଭାବେ ସେ ଜେଲ୍‌ରେ ଥିବା ‘ଆପ୍‌’ ମନ୍ତ୍ରୀ ସତ୍ୟେନ୍ଦ୍ର ଜୈନ୍‌ଙ୍କୁ ୧୦ କୋଟି ଟଙ୍କା ଦେଇଥିଲେ ବୋଲି ଚଳିତ ସପ୍ତାହ ପ୍ରାରମ୍ଭରେ ସୁକେଶ ଚନ୍ଦ୍ରଶେଖର ଦିଲ୍ଲୀ ଉପରାଜ୍ୟପାଳ ଭି.କେ. ସାକ୍ସେନାଙ୍କୁ ପତ୍ର ଲେଖିଥିଲେ।

Related Posts