ଭୁବନେଶ୍ୱର ( ସତ୍ୟପାଠ ବ୍ୟୁରୋ ): ନବୀନ ନିବାସ ଘେରାଉ ଓ ଗୃହ ରାଷ୍ଟ୍ରମନ୍ତ୍ରୀଙ୍କ ବାସଭବନ ଭିତରେ ପଶିବା ସହିତ ଅଣ୍ଡା, ଟମାଟୋ ମାଡ କରିବା ଛାତ୍ର କଂଗ୍ରେସକୁ ମହଙ୍ଗା ପଡ଼ିଛି। ଛାତ୍ର କଂଗ୍ରେସ ନେତାଙ୍କ ବିରୋଧରେ ଦଫା ୩୦୭ ଲଗାଯାଇଛି। ୮ରୁ ଉର୍ଦ୍ଧ୍ବ ଛାତ୍ର କଂଗ୍ରେସ ନେତାଙ୍କ ନାମରେ ୩୦୭ ହତ୍ୟା ଉଦ୍ୟମ ଦଫା ଲଗାଇଛି କ୍ୟାପିଟାଲ ଥାନା ପୋଲିସ। ବିରୋଧ ସମୟରେ ମନ୍ତ୍ରୀ ତୁଷାରକାନ୍ତି ବେହେରାଙ୍କ ବାସଭବନ ଭିତରକୁ ପଶିଯାଇଥିବା ଛାତ୍ର କଂଗ୍ରେସର ୨ ଜଣ ଝିଅଙ୍କ ନାମରେ ମଧ୍ୟ ହତ୍ୟା ଉଦ୍ୟମ ଦଫା ଲାଗିଛି।

ତେବେ ବିଜେଡି ଜିଲ୍ଲା ପରିଷଦ ସଦସ୍ୟ ଧର୍ମେନ୍ଦ୍ର ସାହୁ ମୃତ୍ୟୁ ମାମଲାରେ ମନ୍ତ୍ରୀ ସମୀର ରଞ୍ଜନ ଦାସଙ୍କ ସମ୍ପୃକ୍ତି ନେଇ ପୂର୍ବରୁ ପ୍ରତିବାଦ କରିଥିଲା ଛାତ୍ର କଂଗ୍ରେସ। ମନ୍ତ୍ରୀ ସମୀର ଦାସଙ୍କୁ ତଦନ୍ତ ପରିସର ଭୁକ୍ତ କରିବାକୁ ଦାବି କରିଥିଲା ଛାତ୍ର କଂଗ୍ରେସ। ହେଲେ ଦାବି ମୁତାବକ ଏଯାବତ ପୋଲିସ ମନ୍ତ୍ରୀଙ୍କୁ ତଦନ୍ତ ପରିସରଭୁକ୍ତ କରିନାହିଁ। ଏହାକୁ ବିରୋଧ କରି ଛାତ୍ର କଂଗ୍ରେସ ଗତ ଅକ୍ଟୋବର ୨୯ ତାରିଖରେ ନବୀନ ନିବାସ ଓ ଗୃହରାଷ୍ଟ୍ର ମନ୍ତ୍ରୀଙ୍କ ଘର ଘେରାଉ କରିଥିଲା। ଏହାପରେ ଛାତ୍ର କଂଗ୍ରେସ ନେତାଙ୍କ ନାମରେ ଲାଗିଛି ଏଭଳି ସଙ୍ଗୀନ ଦଫା।

ତେବେ ଏହାକୁ ନେଇ ରାଜ୍ୟ ସରକାର ଓ ପୁଲିସ ଉପରେ ବର୍ଷିଛନ୍ତି ଛାତ୍ର କଂଗ୍ରେସ ସଭାପତି ୟାସିର ନୱାଜ୍। ମିଥ୍ୟା କେସ୍ ଲଗାଇ ପୋଲିସ ଛାତ୍ର କଂଗ୍ରେସର ସ୍ୱର ଚପାଇବାକୁ ଚେଷ୍ଟା କରୁଥିବା ସେ ସାମ୍ବାଦିକ ସମ୍ମିଳନୀରେ କହିଛନ୍ତି। ଛାତ୍ର କଂଗ୍ରେସ ବିରୋଧରେ ମିଥ୍ୟା ଦଫା ନହଟିଲେ ୫-ଟି ସଚିବଙ୍କ ଘର ଆଗରେ ଆମରଣ ଅନଶନ କରିବା ନେଇ କହିଛି ଛାତ୍ର କଂଗ୍ରେସ।

ମିଳିଥିବା ସୂଚନା ଅନୁସାରେ, କ୍ୟାପିଟାଲ ଥାନା କେସ ନମ୍ୱର୍ ୬୦୫/୨୦୨୨ ରେ ଦଫା ଲାଗିଛି ୩୨୩, ୩୩୨, ୩୦୭, ୩୫୩, ୪୨୭, ୨୯୪ ଓ ଆଇପିସି ୪ ଓପିଡି ଆକ୍ଟ।
କେସ ନମ୍ୱର୍ ୬୦୩/୨୦୨୨ ଓ କେସ ନମ୍ୱର୍ ୬୦୪/୨୦୨୨ରେ ମଧ୍ୟ ମାମଲା ରୁଜୁ ହୋଇଛି। ଯେଉଁଥିରେ ଲାଗିଛି ୩୦୭ ଭଳି ସଙ୍ଗୀନ ଦଫା।