ଗାନ୍ଧୀ ପରିବାରର ସମର୍ଥନ ମୋ ସହ ଅଛି, ନାମାଙ୍କନ ଦାଖଲ ଦିନ ମୋ ଅସଲ ଶକ୍ତି ଦେଖିପାରିବେ: ଶଶି ଥରୁର

ଭୁବନେଶ୍ୱର ( ସତ୍ୟପାଠ ବ୍ୟୁରୋ ): ରାଜସ୍ଥାନ କଂଗ୍ରେସରେ ସୃଷ୍ଟି ହୋଇଥିବା ସଙ୍କଟ ମଧ୍ୟରେ କଂଗ୍ରେସ ଅଧ୍ୟକ୍ଷ ନିର୍ବାଚନକୁ ନେଇ ଲୋକସଭା ସଂସଦ ଶଶି ଥରୁରଙ୍କ ଆତ୍ମବିଶ୍ୱାସ ବୃଦ୍ଧି ପାଇଛି। ଅଧ୍ୟକ୍ଷ ନିର୍ବାଚନ ପାଇଁ ଗାନ୍ଧୀ ପରିବାରର ସମର୍ଥନ ତାଙ୍କ ସହ ରହିଛି ବୋଲି ଥରୁର ଦାବି କରିଛନ୍ତି। କେରଳ ତଥା ଦେଶର ଅନ୍ୟାନ୍ୟ ରାଜ୍ୟର କଂଗ୍ରେସ କର୍ମୀ ମାନେ ମଧ୍ୟ ତାଙ୍କୁ ସମର୍ଥନ କରୁଛନ୍ତି ବୋଲି ସେ ଦାବି କରିଛନ୍ତି। ଅଧ୍ୟକ୍ଷ ନିର୍ବାଚନରେ ତାଙ୍କୁ ବିରୋଧ କରୁଥିବା ଲୋକଙ୍କ ପାଖରେ ଅଧିକ ଶକ୍ତି ନାହିଁ। ତାଙ୍କ ସାମ୍ନାରେ ପ୍ରତିଦ୍ୱନ୍ଦ୍ୱିତା କରିବାକୁ କେହି ନାହାଁନ୍ତି ବୋଲି ଥରୁର କହିଛନ୍ତି। ନାମାଙ୍କନ ପତ୍ର ଦାଖଲ ଦିନ ମୋ ଶକ୍ତି ପ୍ରଦର୍ଶନ ଦେଖିପାରିବେ ବୋଲି ସେ ସୂଚନା ଦେଇଛନ୍ତି।

ସୂଚନାଯୋଗ୍ୟ ଯେ, ଅକ୍ଟୋବର ୧୭ରେ ହେବାକୁ ଥିବା ଅଧ୍ୟକ୍ଷ ନିର୍ବାଚନରେ ଥରୁର ଓ ରାଜସ୍ଥାନ ମୁଖ୍ୟମନ୍ତ୍ରୀ ଅଶୋକ ଗେହଲଟଙ୍କ ମଧ୍ୟରେ ଲଢେ଼ଇ ହୋଇପାରେ। ନାମାଙ୍କନପତ୍ର ଦାଖଲ କରିବାର ଶେଷ ତାରିଖ ସେପ୍ଟେମ୍ବର ୩୦ ରହିଥିବା ବେଳେ ଏହାପରେ ହିଁ ପ୍ରକୃତ ଚିତ୍ର ସ୍ପଷ୍ଟ ହେବ। ଗତ ସୋମବାର ଶଶି ଥରୁର ସୋନିଆ ଗାନ୍ଧୀଙ୍କୁ ଭେଟି କଂଗ୍ରେସ ଅଧ୍ୟକ୍ଷ ନିର୍ବାଚନରେ ପ୍ରତିଦ୍ୱନ୍ଦ୍ୱିତା କରିବାକୁ ଇଚ୍ଛା ପ୍ରକାଶ କରିଥିଲେ।

Related Posts