ଜେଲରେ ନବଜ୍ୟୋତ ସିଂ ସିଦ୍ଧୁଙ୍କ ମୌନବ୍ରତ, ସୋସିଆଲ ମିଡିଆରେ ସୂଚନା ଦେଲେ ପତ୍ନୀ

ଭୁବନେଶ୍ୱର ( ସତ୍ୟପାଠ ବ୍ୟୁରୋ ): ଦୀର୍ଘ ୩୪ ବର୍ଷ ପୁରୁଣା ଏକ ହତ୍ୟା ମାମଲାରେ ପଞ୍ଜାବର ପାତିଆଲା ଜେଲରେ ବନ୍ଦୀ ଅଛନ୍ତି ପୂର୍ବତନ କ୍ରିକେଟର ତଥା ମନ୍ତ୍ରୀ ନବଜ୍ୟୋତ ସିଂ ସିଦ୍ଧୁ। ତେବେ ସିଦ୍ଧୁଙ୍କୁ ନେଇ ଏବେ ଏକ ରୋଚକ ଖବର ସାମ୍ନାକୁ ଆସିଛି। ନବରାତ୍ରୀ ଅବସରରେ ଜେଲ ମଧ୍ୟରେ ସିଦ୍ଧୁ ମୌନବ୍ରତ ଧାରଣ କରିଛନ୍ତି । ଆଜିଠାରୁ ଆରମ୍ଭ ହୋଇଥିବା ନଅ ଦିନିଆ ନବରାତ୍ରୀ ପୂଜା ଅବସରରେ ସିଦ୍ଧୁ ଦୈନିକ ଉପବାସ ସହ ମୌନବ୍ରତ ପାଳନ କରିବେ ବୋଲି ତାଙ୍କ ପତ୍ନୀ ସୋସିଆଲ ମିଡିଆରେ ସୂଚନା ଦେଇଛନ୍ତି । ସିଦ୍ଧୁଙ୍କ ଅଫିସିଆଲ୍ ଟ୍ୱିଟର ଆକାଉଣ୍ଟରେ ତାଙ୍କ ପତ୍ନୀ ନବଜୋତ କୌର ସିଦ୍ଧୁ ଲେଖିଛନ୍ତି ଯେ, ତାଙ୍କ ସ୍ୱାମୀ ନବରାତ୍ରୀ ସମୟରେ ଜେଲରେ ମୌନବ୍ରତ ପାଳନ କରିବେ ଏବଂ ଅକ୍ଟୋବର ୫ ପରେ ତାଙ୍କୁ ଭେଟିବାକୁ ଚାହୁଁଥିବା ଲୋକମାନଙ୍କୁ ସେ ଭେଟିବେ ।

ସୂଚନାଯୋଗ୍ୟ ଯେ, ୧୯୮୮ ମସିହାରେ ଏକ ପାର୍କିଂରେ ଗୁରନାମ ସିଂ ନାମକ ଜଣେ ୬୫ ବର୍ଷୀୟ ବୃଦ୍ଧଙ୍କ ସହ ଯୁକ୍ତି ତର୍କ ପରେ ସିଦ୍ଧୁ ରାଗିଯାଇ ତାଙ୍କ ସହ ହାତାହାତି କରିଥିଲେ । ଫଳରେ ଘଟଣାସ୍ଥ​ରେ ତାଙ୍କର ମୃତ୍ୟୁ ହୋଇଥିଲା । ଏହି ଘଟଣାରେ ସୁପ୍ରିମକୋର୍ଟ ଚଳିତ ବର୍ଷ ମେ ୧୯ରେ ତାଙ୍କୁ ୧ ବର୍ଷର ସଶ୍ରମ କାରାଦଣ୍ଡ ଶୁଣାଇଥିଲେ । ଏହାର ପରିଦିନ ଅର୍ଥାତ ମେ ୨୦ରେ ସିଦ୍ଧୁ ପାତିଆଲା ଜେଲରେ ଆତ୍ମସମର୍ପଣ କରିଥିଲେ । ତେବେ ପ୍ରଥମ ଥର ପାଇଁ ସିଦ୍ଧୁ ମୌନ ବ୍ରତ ଧାରଣ କରିନାହାନ୍ତି । ଗତ ଅକ୍ଟୋବର ୨୦୨୧ରେ ମଧ୍ୟ ସେ ଲକ୍ଷ୍ମୀପୁର ଖେରି ମାମଲାରେ ପୀଡି଼ତାଙ୍କ ଘରେ ପହଞ୍ଚି ମୌନବ୍ରତ ଧାରଣ କରିଥିଲେ ।

Related Posts