ଏକ କାଗଜରେ ଆମ ଦସ୍ତଖତ କରାଇନେଲେ, ପାଇଲଟ୍‌ଙ୍କୁ ନେଇ ଆମର କୌଣସି ଅସୁବିଧା ନାହିଁ: ଇସ୍ତଫା ଦେଇଥିବା ରାଜସ୍ଥାନ ବିଧାୟିକା

ଭୁବନେଶ୍ୱର ( ସତ୍ୟପାଠ ବ୍ୟୁରୋ ): ଅଶୋକ ଗେହଲଟ୍ କଂଗ୍ରେସ ଅଧ୍ୟକ୍ଷ ନିର୍ବାଚନ ଲଢିବା ସୁନିଶ୍ଚିତ ହେବାପରେ ରାଜସ୍ଥାନର ମୁଖ୍ୟମନ୍ତ୍ରୀ ଦାୟିତ୍ଵ କିଏ ସମ୍ଭାଳିବ ତାହା ମୁଖ୍ୟ ବିଷୟ ପାଲଟିଛି। ଏହି ପ୍ରସଙ୍ଗକୁ ନେଇ ରାଜସ୍ଥାନ କଂଗ୍ରେସରେ ବିଦ୍ରୋହ ଦେଖାଦେଇଛି। ସଚିନ ପାଇଲଟ୍‌ଙ୍କୁ ରାଜ୍ୟର ମୁଖ୍ୟମନ୍ତ୍ରୀ କରାଯିବା ଚର୍ଚ୍ଚା ମଧ୍ୟରେ ଅଶୋକ ଗେହଲଟ୍‌ ଗୋଷ୍ଠୀର ବିଧାୟକ ମେଳି ହୋଇ ଗେହଲଟ୍‌ଙ୍କ ସମର୍ଥନରେ ଖୋଲାଖୋଲି ସାମ୍ନାକୁ ଆସିଛନ୍ତି।ଏପରିକି ୯୨ ବିଧାୟକ ଗେହଲଟଙ୍କୁ ମୁଖ୍ୟମନ୍ତ୍ରୀ କରାଯିବା ଦାବିରେ ନିଜ ପଦରୁ ଇସ୍ତଫା ମଧ୍ୟ ଦେଇଛନ୍ତି। ତେବେ ଏହା ମଧ୍ୟରେ ଏକ ଚାଞ୍ଚଲ୍ୟକର ବୟାନ ଦେଇଛନ୍ତି ଗେହଲଟ୍‌ଙ୍କ ସମର୍ଥକ ଗୋଷ୍ଠୀରେ ସାମିଲ୍ ବିଧାୟକ ଇନ୍ଦିରା ମୀନା। ସେ ସୋମବାର କହିଛନ୍ତି, ଆମକୁ ସଚିନ ପାଇଲଟ୍‌ଙ୍କୁ ନେଇ କୌଣସି ଅସୁବିଧା ନାହିଁ। ଆମେ ପାର୍ଟିର ହାଇକମାଣ୍ଡଙ୍କ ନିଷ୍ପତ୍ତି ସହିତ ରହିଛୁ। ହାଇକମାଣ୍ଡ କହିଲେ ଆମେ ନିଜର ଇସ୍ତଫା ମଧ୍ୟ ଫେରାଇ ନେବୁ।

ସଓ୍ଵାଇ ମାଧପୁର ଜିଲ୍ଲାର ବାମନବାସ ବିଧାନସଭା ଆସନରୁ କଂଗ୍ରେସ ବିଧାୟକ ଇନ୍ଦିରା ମୀନା ଏକ ଟିଭି ଚ୍ୟାନେଲ ସହ ଆଲୋଚନା ବେଳେ କହିଛନ୍ତି ଯେ, ଆମ ପାଖକୁ ମହେଶ ଯୋଶୀଙ୍କ ଫୋନ୍ ଆସିଥିଲା। ମୁଖ୍ୟମନ୍ତ୍ରୀଙ୍କ ବାସଭବନରେ ବୈଠକରେ ଯୋଗ ଦେବାକୁ ସେ କହିଥିଲେ। ହେଲେ ପୁଣି ଫୋନ୍ ଆସିଲା ଯେ, ଧାରିଓ୍ଵାଲଙ୍କ ଘରେ ଆସି ପହଞ୍ଚ। ହେଲେ ନିଜ ନିର୍ବାଚନ ମଣ୍ଡଳୀରେ ଥିବାରୁ ମୁଁ ଯାଇ ପାରିନଥିଲି ବୋଲି ମୀନା କହିଛନ୍ତି। ପରେ ସିପି ଯୋଶୀଙ୍କ ବାସଭବନ ଯିବାକୁ କୁହାଯାଇଥିଲା। ଆଉ ସେଠାରେ ସମସ୍ତ ବିଧାୟକ ପହଞ୍ଚିଥିଲେ। ସେଠାରେ ଏକ ସାଧା କାଗଜରେ ସମସ୍ତ ବିଧାୟକଙ୍କ ଦସ୍ତଖତ ନିଆଯାଉଥିଲା। କେହି କିଛି ମୁହଁ ଖୋଲୁନଥିଲେ। ବାସ୍ତବରେ କଣ ଘଟୁଛି ବୁଝିବା ବଡ ମୁସ୍କିଲ ଥିଲା। ମୀଣା କହିଛନ୍ତି, ଆମକୁ ସଚିନ ପାଇଲଟ୍‌ଙ୍କ ସହ କୌଣସି ସମସ୍ୟା ନାହିଁ। ଆମେ ସର୍ବଦା ଦଳର ହାଇକମାଣ୍ଡଙ୍କ ସମର୍ଥନରେ ଅଛୁ। ହାଇକମାଣ୍ଡ ଯାହା ନିଷ୍ପତ୍ତି ନେବେ ତାହା ଆମକୁ ମଞ୍ଜୁର। ଯଦି କହିବେ ଆମେ ଇସ୍ତଫା ପତ୍ର ପ୍ରତ୍ୟାହାର କରିନେବୁ। ସଚିନ ପାଇଲଟ୍‌ଙ୍କୁ ମୁଖ୍ୟମନ୍ତ୍ରୀ କରାଗଲେ ଆମର କୌଣସି ସମସ୍ୟା ନାହିଁ। ଉଲ୍ଲେଖଯୋଗ୍ୟ, ଇସ୍ତଫା ଦେଇଥିବା ବିଧାୟକଙ୍କ ମଧ୍ୟରେ ଇନ୍ଦିରା ମୀନା ମଧ୍ୟ ସାମିଲ୍ ଅଛନ୍ତି।

Related Posts