ଗାଙ୍ଗୁଲି ଓ ଜୟ ଶାହାଙ୍କ କାର୍ଯ୍ୟକାଳ ବଢ଼ାଇବା ପାଇଁ ବିସିସିଆଇ କରିଥିବା ଆବେଦନର ଶୁଣାଣି ସ୍ଥଗିତ ରଖିଲେ ସୁପ୍ରିମକୋର୍ଟ

ଭୁବନେଶ୍ଵରର ( ସତ୍ୟପାଠ ବ୍ୟୁରୋ ): ବିସିସିଆଇର ଅଧ୍ୟକ୍ଷ ସୌରଭ ଗାଙ୍ଗୁଲି ଏବଂ ସଚିବ ଜୟ ଶାହାଙ୍କ କାର୍ଯ୍ୟକାଳ ବଢ଼ାଇବା ପାଇଁ ହୋଇଥିବା ଆବେଦନର ଶୁଣାଣିକୁ ଆଜି ସ୍ଥଗିତ ରଖିଛନ୍ତି ସୁପ୍ରିମକୋର୍ଟ। ଜଷ୍ଟିସ୍‌ ଡି.ଓ୍ବାଇ.ଚନ୍ଦ୍ରଚୁଡ଼ଙ୍କ ଖଣ୍ଡପୀଠ ଏହି ଆବେଦନର ଶୁଣାଣି ଆସନ୍ତା ୧୨ ସେପ୍ଟେମ୍ବରରେ କରିବେ। ବିସିସିଆଇ ଏହାର ପ୍ରଶାସକଙ୍କ କାର୍ଯ୍ୟକାଳ ବୃଦ୍ଧି ପାଇଁ ସମ୍ବିଧାନରେ ସଂଶୋଧନ କରିବାକୁ ଅନୁମତି ଦିଆଯାଉ ବୋଲି ବିସିସିଆଇ ଏକ ଆବେଦନ କରିଛି। ଏହା ଦ୍ବାରା ଏହାର ପ୍ରଶାସକଙ୍କ ପାଇଁ ତିନି ବର୍ଷର କୁଲିଂ ଅଫ୍ ଅବଧି ଶେଷ ହୋଇଯିବ।

ସୁପ୍ରିମକୋର୍ଟରେ ଜଷ୍ଟିସ୍‌ ଡି.ଓ୍ବାଇ.ଚନ୍ଦ୍ରଚୁଡ଼ଙ୍କ ଅଧ୍ୟକ୍ଷତାରେ ଗଠିତ ତିନିଜଣିଆ ଖଣ୍ଡପୀଠ ଏହି ଆବେଦନ ଉପରେ ଶୁଣାଣି କରିବେ। ତତ୍କାଳୀନ ପ୍ରମୁଖ ବିଚାରପତି ଜଷ୍ଟିସ୍‌ ଏନ.ଭି.ରମଣାଙ୍କ ଖଣ୍ଡପୀଠ ଏହି ମାମଲାକୁ ଜଷ୍ଟିସ୍‌ ଚନ୍ଦ୍ରଚୁଡ଼ଙ୍କ ଖଣ୍ଡପୀଠକୁ ହସ୍ତାନ୍ତର କରିଥିଲେ। କୁହାଯାଇଛି ଯେ, ଏହି ମାମଲା ୨୦୧୮ରେ ତତ୍କାଳୀନ ପ୍ରମୁଖ ବିଚାରପତି ଜଷ୍ଟିସ୍‌ ଦିପକ୍‌ ମିଶ୍ର, ଜଷ୍ଟିସ୍‌ ଏ.ଏମ.ଖାନବିଲକର ଏବଂ ଜଷ୍ଟିସ୍‌ ଡି.ଓ୍ବାଇ.ଚନ୍ଦ୍ରଚୁଡ଼ଙ୍କ ପାଖରେ ଆବେଦନ କରାଯାଇଥିଲା। କିନ୍ତୁ ଜଷ୍ଟିସ୍‌ ଦୀପକ ମିଶ୍ର ଓ ଜଷ୍ଟିସ୍‌ ଏ ଏମ ଖାନବିଲକର ଏବେ ଅବସର ନେଇସାରିଥିବା ବେଳେ ଏବେ ଏହି ମାମଲାର ଶୁଣାଣି ଜଷ୍ଟିସ୍‌ ଡି.ଓ୍ବାଇ.ଚନ୍ଦ୍ରଚୁଡ଼ଙ୍କ ଖଣ୍ଡପିଠ କରିବେ।

Related Posts