ସୁଇସାଇଡ ନୋଟରେ ଥିବା ନାମକୁ ନେଇ ଜଣକୁ ଆତ୍ମହତ୍ୟା ପାଇଁ ଦୋଷୀ ସାବ୍ୟସ୍ତ କରାଯାଇ ପାରିବ ନାହିଁ: ପଞ୍ଜାବ-ହରିୟାଣା ହାଇକୋର୍ଟ

ଭୁବନେଶ୍ୱର ( ସତ୍ୟପାଠ ବ୍ୟୁରୋ ): ଆତ୍ମହତ୍ୟା ମାମଲାରେ ଏକ ଗୁରୁତ୍ୱପୂର୍ଣ୍ଣ ରାୟ ଶୁଣାଇଛନ୍ତି ପଞ୍ଜାବ-ହରିୟାଣା ହାଇକୋର୍ଟ । କୋର୍ଟ କହିଛନ୍ତି ଯେ, କେବଳ ସୁଇସାଇଡ ନୋଟରେ ଥିବା ନାମକୁ ଆଧାର କରି ଜଣକୁ ଆତ୍ମହତ୍ୟା ପାଇଁ ଦୋଷୀ ସାବ୍ୟସ୍ତ ହୋଇପାରିବ ନାହିଁ। ଏହା ଦୋଷୀ ସାବ୍ୟସ୍ତ କରିବାକୁ ଯଥେଷ୍ଟ ପ୍ରମାଣ ନୁହେଁ। ଏଭଳି ଏକ ମାମଲାରେ ସୋନିପାଟ ଜିଲ୍ଲା କୋର୍ଟଙ୍କ ଦ୍ୱାରା ଦିଆଯାଇଥିବା ୫ ବର୍ଷର ଦଣ୍ଡାଦେଶକୁ ରଦ୍ଦ କରି ହାଇକୋର୍ଟ ଆବେଦନକାରୀଙ୍କୁ ମୁକ୍ତ କରିବାକୁ ନିର୍ଦ୍ଦେଶ ଦେଇଛନ୍ତି । ସୋନିପାଟ ନିବାସୀ ରବି ଭାରତୀ ହାଇକୋର୍ଟରେ ଏକ ପିଟିସନ ଦାଖଲ କରିଥିଲେ । ଆତ୍ମହତ୍ୟାକୁ ଉସୁକାଇବା ମାମଲାରେ ଜିଲ୍ଲା ଜଜ୍ ତାଙ୍କୁ ଦୋଷୀ ସାବ୍ୟସ୍ତ କରିବା ସହ ୫ ବର୍ଷର ଜେଲଦଣ୍ଡ ଶୁଣାଇଥିଲେ, ଏହାକୁ ଚ୍ୟାଲେଞ୍ଚ କରି ସେ ହାଇକୋର୍ଟଙ୍କ ଦ୍ବାରସ୍ଥ ହୋଇଥିଲେ । ଆବେଦନକାରୀ ଦର୍ଶାଇଥିଲେ ଯେ, କେବଳ ସୁଇସାଇଡ ନୋଟରେ ଥିବା ନାମ ଆଧାରରେ ସୋନିପାଟ ଜିଲ୍ଲା କୋର୍ଟ ତାଙ୍କୁ ୨ ମଇ ୨୦୨୨ ରେ ଦୋଷୀ ସାବ୍ୟସ୍ତ କରିଛନ୍ତି । ବିଷାକ୍ତ ପଦାର୍ଥ ସେବନ ହେତୁ ଉକ୍ତ ବ୍ୟକ୍ତିଙ୍କ ମୃତ୍ୟୁ ହୋଇଥିବା ଆବେଦନକାରୀ ଦର୍ଶାଇଛନ୍ତି ।

ସମସ୍ତ ପକ୍ଷକୁ ଶୁଣିବା ପରେ କୋର୍ଟ ଆବେଦନକାରୀଙ୍କ ଆବେଦନକୁ ଅନୁମତି ଦେଇଛନ୍ତି ଏବଂ କହିଛନ୍ତି ଯେ ଆତ୍ମହତ୍ୟା ନୋଟରେ ଥିବା ନାମ ଆଧାରରେ କାହାକୁ ଦୋଷୀ ସାବ୍ୟସ୍ତ କରାଯାଇପାରିବ ନାହିଁ। ଅଦାଲତ ଏହି ଶୁଣାଣି ଉପରେ ବିଚାର କରିବାବେଳେ ମୃତକଙ୍କ ସହ ଅଭିଯୁକ୍ତର ସମ୍ପର୍କ କ’ଣ, ଆତ୍ମହତ୍ୟା କରିବାର କାରଣ କ’ଣ ଏବଂ ଆତ୍ମହତ୍ୟା ନୋଟରେ ଦିଆଯାଇଥିବା କାରଣ ପ୍ରକୃତରେ କାହାକୁ ଆତ୍ମହତ୍ୟା କରିପାରେ ବୋଲି ଦିଗରେ ଧ୍ୟାନ୍ ଦେବା ଉଚିତ୍ ।

କୋର୍ଟ କହିଛନ୍ତି ଯେ ଅନୁସନ୍ଧାନକାରୀ ଅଧିକାରୀ କେବଳ ହସ୍ତଲିଖନ ବିଶେଷଜ୍ଞଙ୍କ ପରାମର୍ଶ ପରେ ହିଁ କାମ କରିବା ଉଚିତ । ଏହି ଟିପ୍ପଣୀ ସହିତ ହାଇକୋର୍ଟ ଏହି ଆବେଦନକୁ ମଞ୍ଜୁରୀ ଦେବା ସହ ଆବେଦନକାରୀଙ୍କୁ ମୁକ୍ତ କରିବାକୁ ନିର୍ଦ୍ଦେଶ ଦେଇଛନ୍ତି ।

Related Posts