
ଭୁବନେଶ୍ୱର ( ସତ୍ୟପାଠ ବ୍ୟୁରୋ ): ସୁପ୍ରିମକୋର୍ଟ ୨୦୦୦ ମସିହାରେ ଲାଲକିଲ୍ଲା ଆକ୍ରମଣ ଘଟଣାରେ ଦୋଷୀ ମହମ୍ମଦ ଆରିଫ୍ ଓରଫ ଅସଫାକଙ୍କ ଫାଶୀଦଣ୍ଡ କାଏମ ରଖିଛନ୍ତି । ଏହାସହିତ କୋର୍ଟ ମହମ୍ମଦ ଆରିଫଙ୍କ ପୁନର୍ବିଚାର ଆବେଦନ ବା ରିଭ୍ୟୁ ପିଟିସନକୁ ଖାରଜ କରିଛନ୍ତି ।
ସୂଚନାଯୋଗ୍ୟ ଯେ, ଲାଲକିଲ୍ଲା ଉପରେ ଆତଙ୍କବାଦୀ ସଂଗଠନ ଲସ୍କର-ଏ-ତୋଏବା ୨୦୦୦ ମସିହା ଡିସେମ୍ବର ୨୨ରେ ଆକ୍ରମଣ କରିଥିଲା । ଏହି ଆକ୍ରମଣରେ ଦୁଇ ଯବାନଙ୍କ ସମେତ ତିନି ଜଣଙ୍କର ମୃତ୍ୟୁ ହୋଇଥିଲା । ଏହାପରେ ଭାରତୀୟ ସେନାର ପାଲଟା ଜବବରେ ଦୁଇ ଆତଙ୍କୀଙ୍କର ମୃତ୍ୟୁ ହୋଇଥିଲା । ଏହି ଆକ୍ରମଣ ଘଟଣାରେ ୨୦୦୫ ଅକ୍ଟୋବର ୩୧ରେ ନିମ୍ନ ଅଦାଲତ ଆରିଫଙ୍କୁ ଦୋଷୀ ଘୋଷଣା କରିବା ସହ ଫାଶୀ ଶୁଣାଇଥିଲେ ।
୨୦୧୩ ମସିହାରେ ସୁପ୍ରିମକୋର୍ଟ ଆରିଫର ଫାଶୀଦଣ୍ଡକୁ କାଏମ ରଖିବା ସହ ପୁନର୍ବିଚାର ଆବେଦନକୁ ଖାରଜ କରିଦେଇଥିଲେ । ଏହା ପରେ ୨୦୧୪ ମସିହାରେ କୋର୍ଟରେ କ୍ୟୁରେଟିଭ ପିଟିସନକୁ ମଧ୍ୟ ଖାରଜ କରିଦେଇଥିଲେ । ବର୍ତ୍ତମାନ ପୁଣି ଥରେ ସୁପ୍ରିମକୋର୍ଟ ରିଭ୍ୟୁ ପିଟିସନକୁ ଖାରଜ କରିଦେଇଛନ୍ତି।
ସୁପ୍ରିମକୋର୍ଟ ୨୦୧୫ ମସିହାରେ ୟାକୁବ ମେନନ ଏବଂ ଆରିଫର ଆବେଦନ ଉପରେ ଐତିହାସିକ ଫଇସଲା ଶୁଣାଇଥିଲେ । ସେତେବେଳେ କୋର୍ଟ କହିଥିଲେ ଯେ, ଫାଶୀଦଣ୍ଡ ପାଇଥିବା ଦୋଷୀଙ୍କ ପୁନର୍ବିଚାର ଆବେଦନ ଓପନ କୋର୍ଟ ଶୁଣିବା ଦରକାର । ଏହା ପୂର୍ବରୁ ପୁନର୍ବିଚାର ଆବେଦନ ଶୁଣାଣି ନ୍ୟାୟାଧୀଷ ନିଜ ଚାମ୍ବରରେ କରିଥାନ୍ତି । ଏହା ପ୍ରଥମ ମାମଲା ଥିଲା ଯେତେବେଳେ ଫାଶୀଦଣ୍ଡ ପାଇଥିବା ଦୋଷୀର ପୁନର୍ବିଚାର ଏବଂ କ୍ୟୁରେଟିଭ ପିଟିସନ ଖାରଜ ହେବା ପରେ ସୁପ୍ରିମକୋର୍ଟ ପୁଣିଥରେ ପୁନର୍ବିଚାର ଆବେଦନର ଶୁଣାଣି କରିଥିଲେ ।