ଗୁରୁବାର ପଳାତକ ବ୍ୟବସାୟୀ ବିଜୟ ମାଲ୍ୟାଙ୍କ ଦଣ୍ଡ ଉପରେ ହୋଇଥିବା ଶୁଣାଣୀ ସଂରକ୍ଷିତ । ମାନ୍ୟବର ସୁପ୍ରିମକୋର୍ଟ ରାୟ ସଂରକ୍ଷିତ ରଖିଛନ୍ତି। ଏଥିଲାଗି ଅନୁଷ୍ଠିତ ତର୍କରେ କେନ୍ଦ୍ର ସରକାର କଠୋର ଦଣ୍ଡ ବିଧାନ ନିମନ୍ତେ କୋର୍ଟଙ୍କୁ ନିବେଦନ କରିଥିବା ବେଳେ ମାଲ୍ୟା କେବଳ ତାଙ୍କର ବିଦେଶୀ ବ୍ୟାଙ୍କ ଆକାଉଣ୍ଟକୁ ଟଙ୍କା ଟ୍ରାନ୍ସଫର ନେଇ ସୁପ୍ରିମକୋର୍ଟଙ୍କୁ ଭୁଲ ତଥ୍ୟ ଦେଇ ନାହାନ୍ତି ଗତ ୫ ବର୍ଷ ହେଲା କୋର୍ଟରେ ହାଜର ନ ହୋଇ ନ୍ୟାୟାଳୟଙ୍କ ଘୋର ଅବମାନନା କରିଥିବା ଅଭିଯୋଗ କରିଛନ୍ତି କେନ୍ଦ୍ର ସରକାର।
ସୂଚନାଯୋଗ୍ୟ, ସୁପ୍ରିମକୋର୍ଟ ୨୦୧୭ ମସିହାରେ ମାଲ୍ୟାଙ୍କୁ ଅଦାଲତ ଅବମାନନା ମାମଲାରେ ଦୋଷୀ ସାବ୍ୟସ୍ତ କରିଥିଲେ। ତେବେ ଦଣ୍ଡ ଚର୍ଚ୍ଚା ଲାଗି ଏପର୍ଯ୍ୟନ୍ତ ନା ମାଲ୍ୟା ବ୍ୟକ୍ତିଗତ ଭାବେ କୋର୍ଟରେ ଉପସ୍ଥିତ ହୋଇଛନ୍ତି ନା ତାଙ୍କ ଓକିଲ। ଗତମାସ ଫେବୃଆରୀ ମାସରେ ସୁପ୍ରିମକୋର୍ଟ ତାଙ୍କ ଶୁଣାଣି ଟାଳି ମାଲ୍ୟାଙ୍କୁ ପକ୍ଷ ରଖିବାକୁ ଶେଷ ସୁଯୋଗ ଦେଇଥିଲେ। ହେଲେ ସେ କୋର୍ଟଙ୍କ ସୁଯୋଗର ମଧ୍ୟ ଉପଯୋଗ କରିନାହାନ୍ତି। ଏଥିରେ କୋର୍ଟ ଦୋଷୀ ଯଦି ନିଜେ ହାଜର ହୋଇ ନ ପାରୁଛନ୍ତି ଓ ତାଙ୍କ ଓକିଲଙ୍କ ମାଧ୍ୟମରେ ପକ୍ଷ ରଖିପାରୁନାହାନ୍ତି ତଥାପି ତାଙ୍କର ଦଣ୍ଡକୁ ନେଇ କାର୍ଯ୍ୟାନୁଷ୍ଠାନ ରୋକାଯାଇ ନପାରେ ବୋଲି କହିଥିଲେ।
ଦେଶର ବ୍ୟାଙ୍କ କନସୋର୍ଟିଅମଙ୍କ ହଜାର ହଜାର କୋଟି ଟଙ୍କା ହଜମ କରି ଫେରାର ମାଲ୍ୟାଙ୍କୁ ସୁପ୍ରିମକୋର୍ଟ ୯ ମେ ୨୦୧୭ ମସିହାରେ ଦୋଷୀ ସାବ୍ୟସ୍ତ କରିଥିଲେ। ତାଙ୍କୁ ଡିଏଗୋ ଡିଲର ୪୦ ନିୟୁତ ଡଲାର ତାଙ୍କ ପିଲାଙ୍କ ଆକାଉଣ୍ଟକୁ ଟ୍ରାନ୍ସଫର କରିବା ଓ ସମ୍ପତ୍ତିର ବାସ୍ତବ ବିବରଣୀ ନ ଦେବାରୁ କୋର୍ଟ ଅବମାନନାର ଦୋଷୀ ଘୋଷଣା କରିଥିଲେ। ଏ ନେଇ ମାଲ୍ୟାଙ୍କ ରିଭ୍ୟୁ ପିଟିସନ ମଧ୍ୟ କୋର୍ଟରେ ଅଗ୍ରାହ୍ୟ ହୋଇସାରିଛି। ତେବେ ଦଣ୍ଡ ଶୁଣାଣି ପାଇଁ ଅଭିଯୁକ୍ତଙ୍କ ଉପସ୍ଥିତି ଜରୁରି। ଏଥିଲାଗି କୋର୍ଟ ତାଙ୍କୁ ଅନେକ ସୁଯୋଗ ଦେଇଥିଲେ ହେଁ ସେ କୋର୍ଟରେ ହାଜର ହେଉ ନାହାନ୍ତି।
