➡️‘ଅନ୍ନପୂର୍ଣ୍ଣା ଗ୍ରେନ୍ ଏଟିଏମ୍’ ଉଦ୍ଘାଟନ ଉତ୍ସବ ପାଲଟିଲା ରଣକ୍ଷେତ୍ର; ଟଙ୍କଧର-ସୁରେଶ କ୍ୟାମ୍ପର ‘ଶୀତଳ ଯୁଦ୍ଧ’ ଏବେ ଖୋଲା ସଂଘର୍ଷରେ
ସତ୍ୟପାଠ ବ୍ୟୁରୋ: ଝାରସୁଗୁଡ଼ା ଜିଲ୍ଲା ବିଜେପିରେ ଦୀର୍ଘଦିନ ଧରି କୁହୁଳୁଥିବା ଗୋଷ୍ଠୀ କନ୍ଦଳ ଶେଷରେ ବିସ୍ଫୋରକ ରୂପ ନେଇଛି। ଶୁକ୍ରବାର ଦିନ ଦୁଇଜଣ ପ୍ରଭାବଶାଳୀ କ୍ୟାବିନେଟ୍ ମନ୍ତ୍ରୀ ଏବଂ ସ୍ଥାନୀୟ ବିଧାୟକଙ୍କ ଉପସ୍ଥିତିରେ ଚାଲିଥିବା ସରକାରୀ କାର୍ଯ୍ୟକ୍ରମ ମଧ୍ୟରେ ଦୁଇ ଗୋଷ୍ଠୀର କର୍ମୀମାନେ ପରସ୍ପରକୁ ଗୋଡ଼ାଇ ଗୋଡ଼ାଇ ମାଡ଼ ମାରିବା ଘଟଣା ସାରା ଜିଲ୍ଲାରେ ଚର୍ଚ୍ଚାର ଝଡ଼ ସୃଷ୍ଟି କରିଛି। ଘଟଣା ପରେ ଉଭୟ ପକ୍ଷରୁ ଝାରସୁଗୁଡ଼ା ଟାଉନ୍ ଥାନାରେ ପାଲଟା ଏତଲା ଦିଆଯାଇଥିବା ବେଳେ ପୋଲିସ ତଦନ୍ତ ଆରମ୍ଭ କରିଛି।
ମଙ୍ଗଳବଜାରସ୍ଥିତ ପୁରୁଣା ଜିଲ୍ଲା ମୁଖ୍ୟ ଚିକିତ୍ସାଳୟ ପରିସରରେ ଓଡ଼ିଶା ସରକାର ଏବଂ ଜାତିସଂଘର ବିଶ୍ୱ ଖାଦ୍ୟ କାର୍ଯ୍ୟକ୍ରମର ସହଯୋଗରେ ‘ଅନ୍ନପୂର୍ଣ୍ଣା ଗ୍ରେନ୍ ଏଟିଏମ୍’ ଲୋକାର୍ପଣ ଉତ୍ସବ ଆୟୋଜିତ ହୋଇଥିଲା। କାର୍ଯ୍ୟକ୍ରମରେ ଖାଦ୍ୟ ଯୋଗାଣ ଓ ଖାଉଟି କଲ୍ୟାଣ ମନ୍ତ୍ରୀ କୃଷ୍ଣଚନ୍ଦ୍ର ପାତ୍ର, ରାଜସ୍ୱ ମନ୍ତ୍ରୀ ସୁରେଶ ପୂଜାରୀ, ଝାରସୁଗୁଡ଼ା ବିଧାୟକ ଟଙ୍କଧର ତ୍ରିପାଠୀ ଓ ଜିଲ୍ଲାପାଳ ମଞ୍ଚାସୀନ ଥିଲେ। କିନ୍ତୁ ମଞ୍ଚରେ ସରକାରୀ ସଫଳତାର ଗାଥା ଚାଲିଥିବା ବେଳେ ମଞ୍ଚ ତଳେ ବିଜେପିର ଆଭ୍ୟନ୍ତରୀଣ ବିଭାଜନ ହିଂସ୍ର ରୂପ ନେଇଥିଲା।
ପ୍ରତ୍ୟକ୍ଷଦର୍ଶୀଙ୍କ କହିବା ଅନୁଯାୟୀ, ପ୍ରଥମେ ଦୁଇ ଗୋଷ୍ଠୀ ମଧ୍ୟରେ କଥାକାଟାକାଟି ଓ ବ୍ୟଙ୍ଗୋକ୍ତି ଆରମ୍ଭ ହୋଇଥିଲା। ପରେ ପରିସ୍ଥିତି ହଠାତ୍ ଉତ୍ତେଜିତ ହୋଇ ହାତାହାତିକୁ ପହଞ୍ଚିଥିଲା। ଯୁବକମାନେ ପରସ୍ପରକୁ ଚାପୁଡ଼ା, ବିଧା ଓ ଠେଲାପେଲା କରିବା ସହ ମଞ୍ଚ ସାମ୍ନାରେ ହିଁ ଗୋଡ଼ାଇ ଗୋଡ଼ାଇ ପିଟିଥିଲେ। କିଛି ସମୟ ପାଇଁ ସମଗ୍ର ପରିସର ରଣକ୍ଷେତ୍ର ପାଲଟିଯାଇଥିଲା।
ଘଟଣାରେ ଆହତ ହୋଇଥିବା ବ୍ରଜରାଜନଗର ମଣ୍ଡଳ ସଭାପତି ତପନ କୁମାର ସ୍ୱାଇଁ ଟାଉନ୍ ଥାନାରେ ଅଭିଯୋଗ କରି କହିଛନ୍ତି ଯେ ସେ ମନ୍ତ୍ରୀଙ୍କୁ ସ୍ୱାଗତ କରିବାକୁ ଯାଇଥିବା ବେଳେ କିଛି ଯୁବକ ତାଙ୍କୁ ଘେରି ଆକ୍ରମଣ କରିଥିଲେ। ତାଙ୍କ ଅଭିଯୋଗ ଅନୁଯାୟୀ, ଆକ୍ରମଣକାରୀମାନେ ବିଧାୟକ ଟଙ୍କଧର ତ୍ରିପାଠୀଙ୍କ ନାଁ ନେଇ ଧମକ ଦେଇଥିଲେ ଏବଂ “ମିଡିଆରେ ବାଇଟ୍ ଦେଉଥିବାର ଶାସ୍ତି ମିଳିବ” ବୋଲି କହିଥିଲେ। ସେ ଏହାକୁ “ସଂଗଠିତ ଆକ୍ରମଣ” ବୋଲି ଅଭିହିତ କରିଛନ୍ତି।
ଘଟଣା ପରେ ଜିଲ୍ଲା ବିଜେପି ସଭାପତି ରଘୁନନ୍ଦନ ପଣ୍ଡା, ପ୍ରମୋଦ ସେନାପତି ଓ ଅମରେନ୍ଦ୍ର ରାୟଙ୍କ ସମେତ ଅନେକ ବରିଷ୍ଠ ନେତା ଝାରସୁଗୁଡା ଏସପି କାର୍ଯ୍ୟାଳୟରେ ପହଞ୍ଚି ଦୋଷୀଙ୍କ ବିରୋଧରେ କଠୋର କାର୍ଯ୍ୟାନୁଷ୍ଠାନ ପାଇଁ ଝାରସୁଗୁଡ଼ା ଏସପି ଗୁଣ୍ଡାଲା ରେଡ୍ଡୀ ରାଘବେନ୍ଦ୍ରଙ୍କୁ
ଦାବି କରିଥିଲେ। ସେମାନେ ସିସିଟିଭି ଫୁଟେଜ୍ ଯାଞ୍ଚ କରି ଆକ୍ରମଣକାରୀଙ୍କୁ ଗିରଫ କରିବାକୁ ମଧ୍ୟ ଦାବି ଉଠାଇଛନ୍ତି।
ଅନ୍ୟପକ୍ଷରେ ଦ୍ୱିତୀୟ ଗୋଷ୍ଠୀର ରିତିକ କଲେତ ମଧ୍ୟ ତପନ ସ୍ୱାଇଁ ଓ ତାଙ୍କ ସମର୍ଥକଙ୍କ ବିରୋଧରେ ପାଲଟା ଏତଲା ଦେଇଛନ୍ତି। ତାଙ୍କ ଅଭିଯୋଗ ଅନୁଯାୟୀ, ସେ କେବଳ ସରକାରୀ କାର୍ଯ୍ୟକ୍ରମ ଦେଖିବାକୁ ଯାଇଥିବା ବେଳେ ତପନଙ୍କ ସମର୍ଥକମାନେ ଅକାରଣରେ ତାଙ୍କୁ ମାଡ଼ ମାରିଥିଲେ। ଏହି ଘଟଣାକୁ ରୋକିବାକୁ ଯାଇ ସୁବ୍ରତ ସରାଫ୍ ଓ ଚନ୍ଦନ ଯାଦବ ମଧ୍ୟ ଆହତ ହୋଇଥିବା ସେ ଦାବି କରିଛନ୍ତି।
ଝାରସୁଗୁଡ଼ା ଟାଉନ୍ ଥାନାଧିକାରୀ ରଞ୍ଜନ ପ୍ରଧାନ କହିଛନ୍ତି ଯେ ଉଭୟ ପକ୍ଷରୁ ଅଭିଯୋଗ ମିଳିଛି ଏବଂ ଆହତମାନଙ୍କୁ ଡାକ୍ତରୀ ମାଇନା ପାଇଁ ପଠାଯାଇଛି। ମେଡିକାଲ ରିପୋର୍ଟ ଓ ସିସିଟିଭି ଫୁଟେଜ୍ ଆଧାରରେ ନିରପେକ୍ଷ ତଦନ୍ତ କରାଯିବ ବୋଲି ସେ ସୂଚନା ଦେଇଛନ୍ତି।
ଏହି ଘଟଣା କେବଳ ଏକ ସାଧାରଣ ମାଡ଼ପିଟ୍ ନୁହେଁ; ଏହା ଝାରସୁଗୁଡ଼ା ବିଜେପିର ଭିତରେ ଚାଲିଥିବା ଶକ୍ତି ସଂଘର୍ଷର ଖୋଲା ପ୍ରଦର୍ଶନ। ଜିଲ୍ଲାରେ ସ୍ଥାନୀୟ ବିଧାୟକ ଟଙ୍କଧର ତ୍ରିପାଠୀଙ୍କ ଶିବିର ଏବଂ ରାଜସ୍ୱ ମନ୍ତ୍ରୀ ସୁରେଶ ପୂଜାରୀଙ୍କ ସମର୍ଥକଙ୍କ ମଧ୍ୟରେ ଦୀର୍ଘଦିନ ଧରି ଚାଲିଥିବା ‘ଶୀତଳ ଯୁଦ୍ଧ’ ଏବେ ରାସ୍ତାରେ ରକ୍ତମୁଖା ସଂଘର୍ଷରେ ପରିଣତ ହୋଇଛି। ଯେଉଁ ଦଳ “ଶୃଙ୍ଖଳା” ଓ “ଓଡ଼ିଆ ଅସ୍ମିତା”ର ନାରା ଦେଇ ରାଜ୍ୟରେ କ୍ଷମତାକୁ ଆସିଥିଲା, ସେହି ଦଳର କର୍ମୀମାନେ ଏବେ ସରକାରୀ ମଞ୍ଚ ତଳେ ପରସ୍ପରକୁ ରକ୍ତାକ୍ତ କରୁଥିବା ଚିତ୍ର ଦଳର ସାଂଗଠନିକ ଶୃଙ୍ଖଳା ଉପରେ ବଡ଼ ପ୍ରଶ୍ନଚିହ୍ନ ସୃଷ୍ଟି କରିଛି।
ରାଜନୈତିକ ମହଳରେ ଏବେ ଚର୍ଚ୍ଚା ଚାଲିଛି ଯେ ଯଦି ଶୀର୍ଷ ନେତୃତ୍ୱ ତୁରନ୍ତ ହସ୍ତକ୍ଷେପ କରି ଏହି ଆଭ୍ୟନ୍ତରୀଣ କନ୍ଦଳକୁ ନିୟନ୍ତ୍ରଣ କରିବେନାହିଁ , ତେବେ ଝାରସୁଗୁଡ଼ାର ଏହି ଗୋଷ୍ଠୀ ସଂଘର୍ଷ ଆଗାମୀ ଦିନରେ ଦଳ ପାଇଁ ବଡ଼ ରାଜନୈତିକ ସଙ୍କଟର ରୂପ ନେଇପାରେ।
