‘ଦମ୍ ଅଛି ଯଦି ଚୀନ୍‌ ଉପରେ ସର୍ଜିକାଲ୍‌ ଷ୍ଟ୍ରାଇକ୍‌ କର’; କେନ୍ଦ୍ର ସରକାରଙ୍କୁ ଓୱେସୀଙ୍କ ଚ୍ୟାଲେଞ୍ଜ

ଭୁବନେଶ୍ୱର,୩୧/୫(ସତ୍ୟପାଠ ବ୍ୟୁରୋ): ଦମ୍ ଅଛି ଯଦି ଚୀନ୍‌ ଉପରେ ସର୍ଜିକାଲ୍‌ ଷ୍ଟ୍ରାଇକ୍‌ କର। ମଙ୍ଗଳବାର କେନ୍ଦ୍ରର ବିଜେପି ସରକାରଙ୍କୁ କିଛି ଏଭଳି ଚ୍ୟାଲେଞ୍ଜ ଦେଇଛନ୍ତି ଏଆଇଏମ୍‌ଆଇଏମ୍‌ ମୁଖ୍ୟ ଅସାଦୁଦ୍ଦିନ ଓୱେସୀ। ହାଇଦ୍ରାବାଦ ସହର ପରିବର୍ତ୍ତେ ଚୀନ୍‌ ଉପରେ ସର୍ଜିକାଲ୍‌ ଷ୍ଟ୍ରାଇକ୍‌ କରନ୍ତୁ ବୋଲି ସେ କହିଛନ୍ତି।

ତେବେ ୨୦୨୦ରେ ‘ଗ୍ରେଟର୍‌ ହାଇଦ୍ରାବାଦ ମୁନିସ୍‌ପାଲ୍‌ କର୍ପୋରେସନ୍‌’ ନିର୍ବାଚନ ପ୍ରଚାର ଅଭିଯାନ ବେଳେ ଏକ ସାଧାରଣ ସଭାରେ ଉଦ୍‌ବୋଧନ ଦେଇ ବିଜେପି ନେତା ବନ୍ଦୀ ସଞ୍ଜୟ କହିଥିଲେ, ତେଲେଙ୍ଗାନାର ଶାସକ ଦଳ ଭାରତ ରାଷ୍ଟ୍ର ସମିତି (ଟିଆର୍‌ଏସ୍‌) ଏବଂ ଏଆଇଏମ୍‌ଆଇଏମ୍‌ ମୁଖ୍ୟ ଓୱେସୀ ରୋହିଙ୍ଗ୍ୟା, ପାକିସ୍ତାନୀ ଓ ଆଫଗାନିସ୍ତାନ ଭୋଟର୍‌ମାନଙ୍କ ସାହାଯ୍ୟରେ ହାଇଦ୍ରାବାଦ ପୌର ନିର୍ବାଚନ ଜିଣିବାକୁ ଉଦ୍ୟମ କରୁଛନ୍ତି। ରୋହିଙ୍ଗ୍ୟା, ପାକିସ୍ତାନୀ ଓ ଆଫଗାନୀସ୍ତାନ ଭୋଟର୍‌ମାନଙ୍କ ବିନା ଏହି ନିର୍ବାଚନ ହେବା ଉଚିତ। ନିର୍ବାଚନ ଜିତିଯିବା ପରେ ଆମେ ହାଇଦ୍ରାବାଦ ସହର ଉପରେ ସର୍ଜିକାଲ୍‌ ଷ୍ଟ୍ରାଇକ୍‌ କରିବୁ ବୋଲି ସେ କହିଥିଲେ।

ମଙ୍ଗଳବାର ଦିନ ଏହି ବକ୍ତବ୍ୟକୁ ନେଇ ସଙ୍ଗାରେଡ୍ଡୀ ଅଞ୍ଚଳରେ ଆୟୋଜିତ ଏକ ସାଧାରଣ ସଭାରେ ଓୱେସୀ କହିଛନ୍ତି ଯେ, ଭାରତର ଏହି ପୁରୁଣା ସହର ଉପରେ ସର୍ଜିକାଲ୍‌ ଷ୍ଟ୍ରାଇକ୍‌ କରିବେ ବୋଲି ସେମାନେ କହୁଛନ୍ତି। ଯଦି ସେମାନଙ୍କର ସତ୍‌ ସାହସ ଅଛି ତାହେଲେ ଚୀନ୍‌ ଉପରେ ସର୍ଜିକାଲ୍‌ ଷ୍ଟ୍ରାଇକ୍‌ କରନ୍ତୁ।

‘ଏଆଇଏମ୍‌ଆଇଏମ୍‌’ ମୁଖ୍ୟ ଏବଂ ତେଲେଙ୍ଗାନା ମୁଖ୍ୟମନ୍ତ୍ରୀ ତଥା ‘ବିଆର୍‌ଏସ୍‌’ ମୁଖ୍ୟ କେ. ଚନ୍ଦ୍ରଶେଖର ରାଓଙ୍କ ମଧ୍ୟରେ ଗୁପ୍ତ ବୁଝାମଣା ହୋଇଛି ବୋଲି କହିଥିବା କେନ୍ଦ୍ର ଗୃହମନ୍ତ୍ରୀ ଅମିତ ଶାହଙ୍କୁ ମଧ୍ୟ ଓୱେସୀ ତୀବ୍ର ସମାଲୋଚନା କରିଛନ୍ତି। ସେ କହିଛନ୍ତି, ମୋ ହାତରେ ‘ଷ୍ଟିଅରିଙ୍ଗ୍‌’ ରହିଲେ ଆପଣଙ୍କୁ କାହିଁକି କଷ୍ଟ ଲାଗୁଛି?
ସେ ଆହୁରି ମଧ୍ୟ କହିଛନ୍ତି, ତେଲେଙ୍ଗାନାରେ ମନ୍ଦିର ପାଇଁ କୋଟି କୋଟି ଟଙ୍କା ମଞ୍ଜୁର ହେଉଥିବାବେଳେ ସେ କହୁଛନ୍ତି ମୋ ହାତରେ ରାଜ୍ୟ ଶାସନର ‘ଷ୍ଟିଅରିଙ୍ଗ୍‌’ ରହିଛି। ଯଦି ମୋ ହାତରେ ‘ଷ୍ଟିଅରିଙ୍ଗ୍‌’ ରିହିଲା, ଆପଣଙ୍କୁ କାହିଁକି କଷ୍ଟ ଲାଗୁଛି ବୋଲି କହି ଶାହଙ୍କୁ ସେ ଟାର୍ଗେଟ କରିଛନ୍ତି।

ସୂଚନାଯୋଗ୍ୟ ଯେ, ଏପ୍ରିଲ୍‌ ୨୩ ତାରିଖ ଦିନ କର୍ଣ୍ଣାଟକର ଚେୱେଲ୍ଲାରେ ‘ବିଜେପି’ର ‘ସଙ୍କଳ୍ପ ସଭା’ରେ ଉଦ୍‌ବୋଧନ ଦେଇ ଶାହ କହି‌ଥିଲେ, ଅୱେସୀ ଓ ‘କେସିଆର୍‌’ଙ୍କ ମଧ୍ୟରେ ବୁଝାମଣା ହୋଇଛି। ଯେଉଁ ସରକାରଙ୍କ ‘ଷ୍ଟିଅରିଙ୍ଗ୍‌’ ‘ମଜ୍‌ଲିସ୍’ (ଅୱେସୀ) ହାତରେ ଅଛି, ଏହି ସରକାର ତେଲେଙ୍ଗାନାକୁ ଚଳାଇ ପାରିବେ ନାହିଁ ବୋଲି ଶାହ କହିଥିଲେ।

Related Posts