ମୋଦୀଙ୍କୁ ଭଗବାନଙ୍କ ପାଖରେ ବସାଇଲେ ସେ ଭଗବାନଙ୍କୁ ବ୍ରହ୍ମାଣ୍ଡ ରହସ୍ୟ ବୁଝାଇଦେବେ: ରାହୁଲ୍‌ ଗାନ୍ଧୀ

ଭୁବନେଶ୍ୱର,୩୧/୫(ସତ୍ୟପାଠ ବ୍ୟୁରୋ): ନିଜେ ସବୁକିଛି ଜାଣନ୍ତି ବୋଲି ହୃଦ୍‌ବୋଧ କରୁଥିବା ଗୋଟିଏ ଗୋଷ୍ଠୀର ବ୍ୟକ୍ତିଙ୍କଦ୍ବାରା ଭାରତ ଶାସନ ଚାଲିଛି। ସେମାନେ ଈଶ୍ବରଙ୍କ ନିକଟରେ ବସିଲେ ବ୍ରହ୍ମାଣ୍ଡର ରହସ୍ୟ ମଧ୍ୟ ଈଶ୍ବରଙ୍କୁ ବୁଝାଇଦେବେ। ପ୍ରଧାନମନ୍ତ୍ରୀ ମୋଦୀ ହେଉଛନ୍ତି ସେମାନଙ୍କ ମଧ୍ୟରୁ ଜଣେ ବୋଲି ଆମେରିକାର କାଲିଫର୍ଣ୍ଣିଆ ବିଶ୍ବବିଦ୍ୟାଳୟରେ ଉଦ୍‌ବୋଧନ ଦେବା ବେଳେ କଂଗ୍ରେସ ନେତା ରାହୁଲ୍‌ ଗାନ୍ଧୀ କହିଛନ୍ତି।

ପ୍ରଧାନମନ୍ତ୍ରୀ ମୋଦୀଙ୍କୁ କଟାକ୍ଷ କରି ରାହୁଲ୍‌ କହିଛନ୍ତି, ମୋର ମନେହୁଏ ଆପଣମାନେ ଯଦି ମୋଦୀଜୀଙ୍କୁ ଈଶ୍ବରଙ୍କ ଆଗରେ ବସାଇ ଦିଅନ୍ତି, ବିଶ୍ବ-ବ୍ରହ୍ମାଣ୍ଡ କେମତି ଚାଲିଛି ସେ ଈଶ୍ବରଙ୍କୁ ବୁଝାଇ ଦେବେ। ତାହା ଶୁଣିବା ପରେ ନିଜେ କ’ଣ ସୃଷ୍ଟି କରିଛନ୍ତି ଭାବି ଈଶ୍ବରଙ୍କ ମୁଣ୍ଡ ଗୋଳମାଳ ହୋଇଯିବ।

ଗୋଟିଏ ଗୋଷ୍ଠୀର ଲୋକ ଅଛନ୍ତି, ସେମାନେ ସବୁ ବୁଝିପାରନ୍ତି। ସେମାନେ ବୈଜ୍ଞାନିକଙ୍କୁ ବିଜ୍ଞାନ, ଐତିହାସିକମାନଙ୍କୁ ଇତିହାସ, ସେନାକୁ ଯୁଦ୍ଧକୌଶଳ ବତାଇ ଦେଇପାରିବେ। କିନ୍ତୁ, ବାସ୍ତବ କଥା ହେଲା ସେମାନେ କିଛି ଜାଣନ୍ତି ନାହିଁ ବୋଲି ରାହୁଲ୍‌ ଗାନ୍ଧୀ କହିଛନ୍ତି।

ଏହି ଅବସରରେ ‘ଭାରତ ଯୋଡ଼ୋ ଯାତ୍ରା’ ପ୍ରସଙ୍ଗରେ ଉଲ୍ଲେଖ କରି ସେ କହିଛନ୍ତି ଯେ, ଏଜେନ୍‌ସିମାନଙ୍କୁ ଅପବ୍ୟବହାର କରାଯାଉଥିବା ଯୋଗୁଁ ରାଜନୈତିକ କାର୍ଯ୍ୟକଳାପ ଚଳାଇବାରେ ଅସୁବିଧାର ସମ୍ମୁଖୀନ ହୋଇ ଆମେ ‘ଭାରତ ‌ଯୋଡ଼ୋ ଯାତ୍ରା’ ଆରମ୍ଭ କରିବାକୁ ନିଷ୍ପତ୍ତି ନେଇଥିଲୁ। କିନ୍ତୁ, ଏହି ଯାତ୍ରାକୁ ବନ୍ଦ କରିବା ପାଇଁ ସରକାର ସାଧ୍ୟମତେ ଉଦ୍ୟମ କରିଥିଲେ। ମାତ୍ର ଏହି ଯାତ୍ରାର ପ୍ରଭାବ ବଢ଼ି ବଢ଼ି ଚାଲିଲା।

ପ୍ରବାସୀ ଭାରତୀୟଙ୍କୁ ଉଦ୍ଦେଶ୍ୟ କରି ରାହୁଲ କହିଛନ୍ତି ଯେ, ସବୁ ଧର୍ମ-ବିଶ୍ବାସର ଜନତାଙ୍କ ପ୍ରତି ସମ୍ମାନ ପ୍ରଦର୍ଶନ କରିବା ଓ ଶ୍ରଦ୍ଧାଭାଜନ ହେବା ମୂଲ୍ୟବୋଧକୁ କଂଗ୍ରେସ ବିଶ୍ବାସ କରେ। ଆପଣମାନେ ଏଠାରେ ସେ ପ୍ରକାରର ଭାରତର ପ୍ରତିନିଧିତ୍ବ କରୁଛନ୍ତି। ଏହି ମୂଲ୍ୟବୋଧ ସହିତ ଏକମତ ହୋଇ ନ ଥିଲେ ଆପଣମାନେ ଏଠାରେ ନ ଥାନ୍ତେ। ଆପଣମାନେ ଯଦି କ୍ରୋଧ, ବିଦ୍ବେଷ ଓ ଅହଙ୍କାରରେ ବିଶ୍ବାସ କରୁଥାଆନ୍ତେ, ତେବେ ‘ବିଜେପି’ର କୌଣସି ସଭାରେ ବସି ଥାଆନ୍ତେ ଏବଂ ମୁଁ ‘ମନ୍‌ କୀ ବାତ୍‌’ କହୁଥାଆନ୍ତି।

ଉଲ୍ଲେଖଯୋଗ୍ୟ, ବର୍ତ୍ତମାନ ୧୦ ଦିନିଆ ଆମେରିକା ଗସ୍ତରେ ଥିବା ରାହୁଲ୍‌ ଗାନ୍ଧୀ ଆମେରିକାର ୩ଟି ସହରରେ ଭାରତୀୟ ବଂଶୋଦ୍ଭବ, ସାମାଜିକକର୍ମୀ ଓ ଶିକ୍ଷାବିତ୍‌ମାନଙ୍କ ସହିତ ଭାବବିନିମୟ କରିବେ ବୋଲି ସୂଚନା ମିଳିଛି।

Related Posts