ପ୍ୟାଲେଷ୍ଟାଇନରେ ଅବସ୍ଥାପିତ ଭାରତୀୟ ରାଷ୍ଟ୍ରଦୂତଙ୍କ ସନ୍ଦେହଜନକ ଭାବେ ମୃତ୍ୟୁ

ପ୍ୟାଲେଷ୍ଟାଇନରେ ଅବସ୍ଥାପିତ ଭାରତୀୟ ରାଷ୍ଟ୍ରଦୂତଙ୍କ ମୃତ୍ୟୁ | ରାଷ୍ଟ୍ରଦୂତ ମୁକୁଲ ଆର୍ୟଙ୍କର ଅକାଳ ବିୟୋଗ ହୋଇଛି । ଦୂତାବାସ କାର୍ଯ୍ୟାଳୟ ଭିତରୁ ତାଙ୍କର ମୃତଦେହ ଉଦ୍ଧାର କରାଯାଇଥିବା ବେଳେ, କିପରି ତାଙ୍କର ମୃତ୍ୟୁ ହେଲା ସେନେଇ ସନ୍ଦେହ ଉପୁଜିଛି | ମୃତ୍ୟୁର କାରଣ ଅସ୍ପଷ୍ଟ ରହିଛି |

ରିପୋର୍ଟ ମୁତାବକ, ରବିବାର ପାଲେଷ୍ଟାଇନରେ ଥିବା ଭାରତୀୟ ଦୂତାବାସରୁ ହିଁ ଆର୍ଯ୍ୟଙ୍କ ମୃତଦେହ ମିଳିଛି । ସେ ସେଠିକାର ରମଲ୍ଲା ସ୍ଥିତ ଭାରତୀୟ ଦୂତାବାସରେ କାର୍ଯ୍ୟରତ ଥିଲେ । ଭାରତ ବୈଦେଶିକ ମନ୍ତ୍ରୀ ଏସ୍ ଜୟଶଙ୍କର ଏନେଇ ଟ୍ୱିଟ କରି ସୂଚନା ଦେବା ସହ ଶୋକପ୍ରକାଶ କରିଛନ୍ତି । ଭାରତୀୟ ବିଦେଶ ମନ୍ତ୍ରଣାଳୟର କହିବା ମୁତାବକ, ସେଠିକାର ଭାରତୀୟ ଦୂତାବାସର ଅଧିକାରୀଙ୍କ ଯୋଗାଯୋଗ ସମ୍ପର୍କ ସ୍ଥାପନ କରାଯାଉଛି ଯଦ୍ୱାରା ଆର୍ଯ୍ୟଙ୍କ ମରଶରୀରକୁ ଯଥାଶିଘ୍ର ଅନ୍ତ୍ୟେଷ୍ଟି କ୍ରିୟା କରାଯାଇପାରିବ । ମୁକୁଲ ଆର୍ଯ୍ୟ ଜଣେ ଦକ୍ଷ ପ୍ରଶାସକ ଥିବା କହିଛନ୍ତି ଏସ୍ ଜୟଶଙ୍କର ।

୨୦୦୮ ବ୍ୟାଚର ଆଇଏଫଏସ ଅଧିକାରୀ ମୁକୁଲ ଆର୍ଯ୍ୟ କେଉଁ କାରଣରୁ ପ୍ରାଣ ହରାଇଲେ ସେନେଇ ତଦନ୍ତ ଚାଲିଛି । ପାଲେଷ୍ଟାଇନ ସରକାର ମଧ୍ୟ ଏହାକୁ ମୃତ୍ୟୁକୁ ଆଶ୍ଚର୍ଯ୍ୟ ଓ ଦୁଃଖଦ କହିଛନ୍ତି । ଏପ୍ରସଙ୍ଗରେ ସେ ସମସ୍ତ ସହାୟତା ଯୋଗାଇବେ ବୋଲି ଆଶ୍ୱାସନା ଦେଇଛନ୍ତି ।

ପାଲେଷ୍ଟାଇନ୍ ବୈଦେଶିକ ମନ୍ତ୍ରାଳୟର କହିବାନୁସାରେ, ମୁକୁଲଙ୍କ ଦେହାନ୍ତ ଖବରରେ ରାଷ୍ଟ୍ରପତି ମହମ୍ମଦ ଅବ୍ବାସ ଓ ପ୍ରଧାନମନ୍ତ୍ରୀ ମହମ୍ମଦ ସତୟେହ ଦୁଃଖ ପ୍ରକାଶ କରିଛନ୍ତି । ମାମଲାର ତଦନ୍ତ ପାଇଁ ପୋଲିସ ଓ ଫରେନ୍ସିକ୍ ଟିମ୍‌କୁ ଦାୟିତ୍ୱ ଦିଆଯାଇଛି ।

ସୂଚନାଯୋଗ୍ୟ, ମୁକୁଲ କାବୁଲ, ମସ୍କୋ ସ୍ଥିତ ଭାରତୀୟ ଦୂତାବାସରେ କାର୍ଯ୍ୟ କରିସାରିଛନ୍ତି । ସେ ୟୁଏନଏସସିରେ ମଧ୍ୟ ଭାରତର ସ୍ଥାୟୀ ପ୍ରତିନିଧିମଣ୍ଡଳରେ କାର୍ଯ୍ୟ କରିସାରିଛନ୍ତି ।

Related Posts