ରାଜଧାନୀର ରାଜରାସ୍ତାରେ ଯୁବତୀଙ୍କୁ ସ୍ୱିଗି ବୟଙ୍କ ଶକ୍ତ ଚାପୁଡ଼ା; ଭାଇରାଲ ହେବାରେ ଲାଗିଛି ଭିଡିଓ

ଭୁବନେଶ୍ୱର(ସତ୍ୟପାଠ ବ୍ୟୁରୋ): ରାଜଧାନୀର ରାଜରାସ୍ତାରେ ଯୁବତୀଙ୍କୁ ସ୍ୱିଗି ବୟଙ୍କ ଶକ୍ତ ଚାପୁଡ଼ା । ଭୁବନେଶ୍ୱରର ରାଜରାସ୍ତାରେ ଜଣେ ସ୍ୱିଗି ବୟ ଜଣେ ଯୁବତୀଙ୍କୁ ଚାପୁଡ଼ା ପରେ ଚାପୁଡ଼ା ମାରିବା ଘଟଣା ବେଶ ଚର୍ଚ୍ଚାର ବିଷୟ ପାଲଟିଛି । ସେପଟେ ଏହାର ଭିଡିଓ ବର୍ତ୍ତମାନ ସୋସିଆଲ ମିଡିଆରେ ଖୁବ ଭାଇରାଲ ହେବାରେ ଲାଗିଛି । ଜଣେ ଯୁବତୀଙ୍କୁ ବିଚ ରାସ୍ତାରେ ଏମିତି ମାଡ଼ ମାରିବା ଘଟଣାକୁ ବିଭିନ୍ନ ମହଲରୁ ନିନ୍ଦା କରାଯାଇଛି । ଅନ୍ୟପଟେ ଅଭିଯୋଗ ହୋଇନଥିବାର ଏହି ଘଟଣାକୁ ବେଶ ହାଲୁଗା ଭାବେ ନେଇଛି କ୍ୟାପିଟାଲ ଥାନା ପୁଲିସ । ତେବେ ଆଇଜି ପାର୍କ ନିକଟରେ ଜଣେ ଯୁବକ ଓ ଜଣେ ଯୁବତୀଙ୍କ ମଧ୍ୟରେ କୌଣସି କଥାକୁ ନେଇ ଗଣ୍ଡଗୋଳ ହେଉଥିଲା । ସେମାନଙ୍କ କଥାରୁ ଜଣାପଡ଼ୁଥିଲା ଯେ ସେମାନେ ପ୍ରେମିକ ପ୍ରେମିକା । ବହୁ ସମୟ ପର୍ଯ୍ୟନ୍ତ ଯୁବତୀ ଜଣକ ଉକ୍ତ ଯୁବକଙ୍କୁ ବିଭିନ୍ନ ଅଶ୍ଳୀଳ ଭାଷାରେ ଗାଳି କରୁଥିଲେ । ଏବଂ ହାତ ଉଠାଇ ମାଡ଼ ମାରୁଥିଲେ । ସେହି ସମୟରେ ରାସ୍ତାରେ ଯାଉଥିବା ଲୋକେ ପ୍ରେମୀଯୁଗଳଙ୍କ ଝଗଡାକୁ ଦେଖୁଥିଲେ । ଏମିତିକି କିଛି ଯୁବକ ସେମାନଙ୍କ ଝଗଡାକୁ ମୋବାଇଲ ଫୋନରେ ରୋକଡିଂ ମଧ୍ୟ କରୁଥିବାର ଦେଖିବାକୁ ମିଳିଥିଲା ।

ଏଥିରେ ଉତକ୍ଷିପ୍ତ ହୋଇ ଯୁବତୀ ଜଣକ ଭିଡିଓ ରେକର୍ଡିଂ କରୁଥିବା କିଛି ଯୁବକଙ୍କୁ ଗାଳି ଦେଇଥିଲେ । ଏବଂ ଜଣେ ଯୁବକଙ୍କ ମୋବାଇଲ ଫୋନକୁ ଝାମ୍ପି ନେଇ ତଳେ କଚାଡି ଦେଇଥିଲେ । ଯୁବତୀଙ୍କ ଏଭଳି ଉଗ୍ର ଆଚରଣକୁ ସହ୍ୟ କରିପାରିନଥିଲେ ସ୍ୱିଗି ବୟ । ସେ ଯୁବତୀଙ୍କୁ ପ୍ରତିରୋଧ କରିଥିଲେ । କିନ୍ତୁ ସ୍ୱିଗି ବୟ ବି ଭିଡିଓ ରେକର୍ଡିଂ କରୁଥିବାରୁ ଯୁବତୀ ଜଣକ ତାଙ୍କୁ ଖରାପ ଭାଷାରେ ଗାଳି ଦେଇଥିଲେ । ଯୁବତୀଙ୍କ ଗାଳି ଶୁଣି ସ୍ୱିଗି ବୟ ରାଗି ଯାଇଥିଲେ ଓ ଯୁବତୀଙ୍କୁ ମାଡ଼ ମାରିବା ଆରମ୍ଭ କରିଥିଲେ । ଢ଼ୋ ଢ଼ୋ କରି ଶକ୍ତ ଚଟକଣା ମାରିଥିଲେ । ସେଠାରେ ବହୁ ଲୋକ ଜମା ହୋଇଥିଲେ ମଧ୍ୟ କେହି ଯୁବତୀଙ୍କୁ ରକ୍ଷା କରିବାକୁ ଆଗେଇ ଆସିନଥିଲେ । ଏହା ମଧ୍ୟରେ ଜଣେ ବୟସ୍କ ବ୍ୟକ୍ତି ସ୍କୁଟିରୁ ଓହ୍ଲାଇ ସ୍ୱିଗି ବୟଙ୍କୁ ଅଟକାଇଥିଲେ । କିଛି ସମୟ ପୂର୍ବରୁ ରାସ୍ତାରେ ବୋବାଲ କରୁଥିବା ଯୁବତୀ ସ୍ୱିଗି ବୟଙ୍କ ଶକ୍ତ ଚଟକଣା ଖାଇବା ପରେ କାନମୁଣ୍ଡ ଆଉଁସି ଚୁପଚାପ ସେଠାରୁ ପଳାଇଥିଲେ । କିଛି ସମୟ ପୂର୍ବରୁ ପ୍ରେମିକ ବୋଲି ଅନୁମାନ କରାଯାଉଥିବା ଯୁବକ ମଧ୍ୟ ସେଠାରୁ ଚମ୍ପଟ ମାରିସାରିଥିଲେ । ଏ ଘଟଣାଟି ସାମ୍ନାକୁ ଆସିବା ପରେ ସାରା ରାଜ୍ୟରେ ଏହା ଚର୍ଚ୍ଚାର ବିଷୟ ପାଲଟିଛିା ଏବଂ ଏହାର ଭିଡିଓ ଖୁବ ଭାଇରାଲ ହେବାରେ ଲାଗିଛି ।

Related Posts