ଭୁବନେଶ୍ୱର(ସତ୍ୟପାଠ ବ୍ୟୁରୋ): କ୍ୟାମେରାମ୍ୟାନ ମାନସ ସ୍ୱାଇଁ ହତ୍ୟାକାଣ୍ଡକୁ ନେଇ ପ୍ରତ୍ୟେକ ଦିନ ନୂଆ ନୂଆ ତଥ୍ୟ ସାମ୍ନାକୁ ଆସିବାରେ ଲାଗିଛି । ଏହା ମଧ୍ୟରେ ଏକ ନୂଆ ଭିଡିଓ ସାମ୍ନାକୁ ଆସିଛି । ଭାଇରାଲ ଭିଡିଓରେ ଅଭିଯୁକ୍ତ ନିରଞ୍ଜନ ସେଠୀଙ୍କୁ ଦେଖିବାକୁ ମିଳିଛି । ଗତ ଜାନୁଆରୀରେ ପୁରୀ ସମୁଦ୍ରକୂଳରେ ଭିଡିଓଟି ସୁଟିଂ ହୋଇଥିବାର ଜଣାପଡ଼ିଛି । ତେବେ ଜଣେ ଛୋଟ ଛୁଆକୁ ପାଣିରୁ ଉଦ୍ଧାର କରାଯାଇ ଛୁଆଟି ପାଇଁ ଭଗବାନଙ୍କ ନିକଟରେ ପ୍ରାର୍ଥନା କରାଯାଇଛି । ସେପଟେ ଏସବୁ ମଧ୍ୟରେ ସବୁଠାରୁ ବଡ଼ କଥାଟି ହେଲା ଏହି ଭିଡିଓଟି ଡିଲିଟ ହୋଇ ଯାଇଥିବାରୁ ଏନେଇ ନିରଞ୍ଜନ ଓ ଶର୍ମିଷ୍ଠା ଉତକ୍ଷିପ୍ତ ହୋଇଯାଇଥିଲେ ବୋଲି କୁହାଯାଉଥିଲା । ଭିଡିଓଟିକୁ ଚିପକୁ ରିକଭରି କରି ଦେବା ପାଇଁ ସେମାନେ ମାନସଙ୍କୁ ବାଧ୍ୟ କରିଥିଲେ ।
କିନ୍ତୁ ପ୍ରକୃତ ସତ କଣ ସେନେଇ କ୍ରାଇମବ୍ରାଞ୍ଚ ତଦନ୍ତ କରୁଛି । ଅନ୍ୟପଟେ ପ୍ରକୃତରେ କେଉଁ ଭିଡିଓ ଓ କେଉଁ ମେମୋରି ଚିପ ପାଇଁ ମାନସଙ୍କୁ ହତ୍ୟା କରାଗଲା ? ହତ୍ୟାକାଣ୍ଡର ପ୍ରକୃତ କାରଣ କଣ ? ମାନସଙ୍କ ହତ୍ୟା ପଛର ପ୍ରକୃତ କାରଣ କଣ ? ମେମୋରି ଚିପରେ ଏମିତି କଣ ଥିଲା ଯେ, ମାନସଙ୍କୁ ଅପହରଣ ଏବଂ ପରେ ହତ୍ୟା କରି ଶବ ପୋତିବା ଯାଏ କଥା ଗଲା ? ମେମୋରୀ ଚିପ ଏବେ କେଉଁଠି ? ଏଭଳି ଅନେକ ପ୍ରଶ୍ନ ବର୍ତ୍ତମାନ ସାମ୍ନାକୁ ଆସିବାରେ ଲାଗିଛି । ତେବେ ବର୍ତ୍ତମାନ ଦେଖିବାର ବିଷୟ କ୍ୟାମେରାମ୍ୟାନ ମାନସ ସ୍ୱାଇଁ ହତ୍ୟାକାଣ୍ଡରୁ ରହସ୍ୟ ଉପରୁ ପରଦା କେବେ ଉଠୁଛି ।





