ଗୁଆହାଟୀ: ଭାରତ ଓ ଦକ୍ଷିଣ ଆଫ୍ରିକା ମଧ୍ୟରେ ଆଜି ୩ ମ୍ୟାଚ ବିଶିଷ୍ଟ ଟି-୨୦ ଶୃଙ୍ଖଳାର ଦ୍ବିତୀୟ ମ୍ୟାଚ ଖେଳାଯିବ । ଆସାମର ଗୁଆହାଟୀସ୍ଥିତ ବାରସପରା କ୍ରିକେଟ ଷ୍ଟାଡିୟମ୍‌ରେ ଆରମ୍ଭ ହୋଇଯାଇଛି ମ୍ୟାଚ୍। ଦକ୍ଷିଣ ଆଫ୍ରିକା ଟସ୍‌ ଜିଣି ପ୍ରଥମେ ବୋଲିଂ ନିଷ୍ପତ୍ତି ନେଇଛି। ଫଳରେ ରୋହିତ ଶର୍ମାଙ୍କ ନତେୃତ୍ବରେ ଘରୋଇ ଟିମ୍‌ ବ୍ୟାଟିଂ କରୁଛି।

ଦ୍ରୁତ ବୋଲର ଯଶପ୍ରୀତ ବୁମ୍‌ରାଙ୍କ ଅନୁପସ୍ଥିତିରେ ଭାରତ ତିରୁଅନନ୍ତପୁରମ୍‌ରେ ଦକ୍ଷିଣ ଆଫ୍ରିକା ବିପକ୍ଷ ପ୍ରଥମ ଟ୍ବେଣ୍ଟି-୨୦କୁ ସହଜରେ ଜିତି ନେଇଥିଲା। ଏବେ ଏହି ଧାରା ବଜାୟ ରଖି ଗୁଆହାଟୀରେ ଶୃଙ୍ଖଳା କବ୍‌ଜା କରିବା ଲକ୍ଷ୍ୟରେ ରହିଛି। ଗୁଆହାଟୀ ମ୍ୟାଚ୍‌ ଜିତିପାରିଲେ ଗତବର୍ଷ ଟ୍ବେଣ୍ଟି-୨୦ ବିଶ୍ବକପ୍‌ ପରଠାରୁ ଭାରତ ମୋଟ ୯ରୁ ଅଷ୍ଟମ ଦ୍ବିପାକ୍ଷିକ ଶୃଙ୍ଖଳା ଜିତିବାର ଗୌରବ ବହନ କରିବ। ବିଶ୍ବକପ୍‌ ପୂର୍ବରୁ ଏହି ଶୃଙ୍ଖଳା ଭାରତୀୟ ଦଳର ଶେଷ ପ୍ରସ୍ତୁତି ରହିଥିବାରୁ ପ୍ରଶିକ୍ଷକ ରାହୁଲ ଦ୍ରାବିଡ୍‌ଙ୍କ ପାଖରେ ବୁମ୍‌ରାଙ୍କ ଅନୁପସ୍ଥିତିରେ ଦଳକୁ ପରଖିବା ପାଇଁ ଏହା ପ୍ରକୃଷ୍ଠ ସମୟ। ବୁମ୍‌ରାଙ୍କ ବଦଳରେ ଉମେଶ ଯାଦବ ଓ ମହମ୍ମଦ ସିରାଜ ଦଳରେ ସ୍ଥାନ ପାଇସାରିଛନ୍ତି। ତେଣୁ ବୁମ୍‌ରାଙ୍କ ବିନା ଭାରତୀୟ ଦଳ ମ୍ୟାଚ୍‌ରେ ପ୍ରଭାବ ପ୍ରକାଇବାକୁ କେତେ ପ୍ରସ୍ତୁତ ତାହା ଦକ୍ଷିଣ ଆଫ୍ରିକା ବିପକ୍ଷ ପରବର୍ତୀ ଦୁଇ ମ୍ୟାଚ୍‌ରୁ ଜାଣିହେବ ।