ଦୁବାଇ : ଆଇସିସି ଟି-ଟ୍ୱେଣ୍ଟି ବିଶ୍ୱକପ୍ ଶେଷ ହୋଇଛି। ତେବେ ଏହି ମ୍ୟାଚରେ ଉଭୟ ବ୍ୟାଟିଂ ଓ ବୋଲିଂର ଶୀର୍ଷ ସ୍ଥାନରେ ଅପରିବର୍ତ୍ତିତ ରହିଛି । କିନ୍ତୁ ଅନ୍ୟ ସ୍ଥାନ ଗୁଡ଼ିକରେ ଅନେକ ପରିବର୍ତ୍ତନ ଘଟିଛି । ଭାରତର ସୂର୍ଯ୍ୟକୁମାର ଯାଦବ ଓ ଶ୍ରୀଲଙ୍କାର ୱାନିଣ୍ଡୁ ହସରଙ୍ଗା ଯଥାକ୍ରମେ ବ୍ୟାଟିଂ ଓ ବୋଲିଂ ମାନ୍ୟତାର ଶୀର୍ଷ ସ୍ଥାନ ବଜାୟ ରଖିଛନ୍ତି ।
ଟି-ଟ୍ୱେଣ୍ଟି ବିଶ୍ୱକପ୍ରେ ପ୍ଲେୟାର ଅଫ ଦ ଟୁର୍ଣ୍ଣାମେଣ୍ଟ ବିବେଚିତ ହୋଇଥିବା ସାମ କୁରାନ ଦ୍ରୁତ ବେଗରେ ଉପରକୁ ଉଠିଛନ୍ତି । ସେ ବର୍ତ୍ତମାନ ପଞ୍ଚମ ସ୍ଥାନରେ ପହଞ୍ଚି ସାରିଛନ୍ତି । ଅନ୍ୟ ଇଂଲଣ୍ଡ ବୋଲର ଆଦିଲ ରସିଦ ୫ଟି ସ୍ଥାନ ଉନ୍ନତି ଘଟାଇ ତୃତୀୟରେ ପହଞ୍ଚିଛନ୍ତି । ହସରଙ୍ଗା ପ୍ରଥମ ଓ ଆଫଗାନିସ୍ତାନ ଦ୍ୱିତୀୟ ସ୍ଥାନ ବଜାୟ ରଖିଛନ୍ତି । ଜୋସ ହାଜେଲଉଡ୍ ଚତୁର୍ଥକୁ ଖସିଥିବା ବେଳେ ତାବ୍ରେଜ ସାମସି ଷଷ୍ଠ, ଆଡାମ ଜାମ୍ପା ସପ୍ତମ, ମୁଜିବ ଉର ରେହମାନ ଅଷ୍ଟମକୁ ଖସିଛନ୍ତି । ଆନରିଚ ନର୍ଜ ଓ ମହୀଶ ତୀକ୍ଷଣା ଯଥାକ୍ରମେ ନବମ ଓ ଦଶମ ସ୍ଥାନ ବଜାୟ ରଖିଛନ୍ତି ।
ସେହିପରି ବ୍ୟାଟିଂ ମାନ୍ୟତା ତାଲିକାର ପ୍ରଥମ ୨ଟି ସ୍ଥାନ ଅପରିବର୍ତ୍ତିତ ରହିଛି । ସୂର୍ଯ୍ୟଙ୍କ ସମେତ ମହମ୍ମଦ ରିଜୱାନ ଦ୍ୱିତୀୟ ସ୍ଥାନ ବଜାୟ ରଖିଛନ୍ତି। ଉଭୟଙ୍କ ମଧ୍ୟରେ ୨୩ ପଏଣ୍ଟର ବ୍ୟବଧାନ ରହିଛି। ବାବର ଆଜମ ତୃତୀୟକୁ ଉଠିଥିବାବେଳେ ଡେଭନ କନୱେ ଚତୁର୍ଥକୁ ଖସିଛନ୍ତି। ଅନ୍ୟମାନଙ୍କ ମଧ୍ୟରେ ଆଡେନ ମାରକ୍ରମ ପଞ୍ଚମ, ଦାୱିଦ ମଲାନ ଷଷ୍ଠ, ରାଇଲି ରସୋ ସପ୍ତମ, ଗ୍ଲେନ ଫିଲିପ୍ସ ଅଷ୍ଟମ, ଆରୋନ ଫିଞ୍ଚ ନବମ ଓ ମଥୁମ ନିଶଙ୍କା ଦଶକ ସ୍ଥାନରେ ରହିଛନ୍ତି ।
ଅଲ୍ରାଉଣ୍ଡର ମାନ୍ୟତା ତାଲିକାରେ ଭାରତର ହାର୍ଦ୍ଦିକ ପାଣ୍ଡ୍ୟା ତୃତୀୟ ସ୍ଥାନ ଅଧିକାର କରିଛନ୍ତି । ସାକିବ ଅଲ୍ ହାସନ ଶୀର୍ଷ ସ୍ଥାନ ବଜାୟ ରଖିଥିବା ବେଳେ ମହମ୍ମଦ ନବି ଦ୍ୱିତୀୟରେ ରହିଛନ୍ତି ।





