(ସତ୍ଯପାଠ ବ୍ୟୁରୋ) ଭୁବନେଶ୍ୱର : ଆଫଗାନିସ୍ତାନରେ  ତାଲିବାନର ବର୍ବରତା ଦିନକୁ ଦିନ ଉଗ୍ର ରୂପ ନେଉଛି। ତାଲିବାନ ସେନା ମାନେ ଲଗାତର ଭାବେ ମହିଳା, ସାମ୍ବାଦିକ, ଏବଂ ସେମାନଙ୍କ ବିରୋଧୀଙ୍କୁ ଦମନ କରିବାରେ ଲାଗିଛନ୍ତି। ଏହା ମଧ୍ୟରେ ଖବର ମିଳୁଛି ଯେ ଜଣେ ଭାରତୀୟ ବ୍ୟବସାୟୀଙ୍କୁ ତାଲିବାନୀ ସୈନିକ ମାନେ ଅପହରଣ କରି ନେଇଛନ୍ତି। ଆଫଗାନିସ୍ତାନରେ ରହୁଥିବା ଜଣେ ଭାରତୀୟ ବ୍ୟବସାୟଙ୍କୁ ତାଲିବାନ ଅପହରଣ କରି ନେଇଥିବା ରିପୋର୍ଟ ପ୍ରକାଶ ପାଇଛି। ଇଣ୍ଡିଆନ୍‌ ୱାର୍ଲ୍ଡ ଫୋରମର ଅଧ୍ୟକ୍ଷ ପୁନିତ୍‌ ସିଂ ଚା‌ନ୍ଧୋକଙ୍କ ସୂଚନା ଅନୁସାରେ , ତାଲିବାନୀ ବନ୍ଧୁକଧାରୀମାନେ ରାଜଧାନୀ କାବୁଲରେ ଆଫଗାନିସ୍ତାନର ଜଣେ ଭାତରୀୟ ବ୍ୟବସାୟୀଙ୍କୁ ଅପହରଣ କରିନେଇଛନ୍ତି। ଏହି ଘଟଣା ଘଟିଛି କାବୁଲର ୧୧ଶ ପୁଲିସ ଡିଷ୍ଟ୍ରିକ୍ଟ ଅଞ୍ଚଳରେ । ଅପହୃତ ହୋଇଥିବା ଭାତରୀୟ ବ୍ୟବସାୟୀଙ୍କ ନାଁ ହେଉଛି ବଂସରୀ ଲାଲ ଅରେନ୍ଦେହି (୫୦) । ସେ ଶିଖ ସମ୍ପ୍ରଦାୟର ହୋଇଥିବା ଜଣାପଡିଛି। 

ଚା‌ନ୍ଧୋକ କହିଛନ୍ତି ଯେ , କାବୁଲରେ ବଂସରୀ ଲାଲଙ୍କ ଏକ ମେଡିସିନ ଷ୍ଟୋର୍ ରହିଛି। ତାଙ୍କୁ ତାଲିବାନୀ ବନ୍ଧୁକଧାରୀ ମାନେ ମଙ୍ଗଳବାର ସକାଳ ୮ଟାରେ ତାଙ୍କ ଦୋକାନ ନିକଟରୁ ହିଁ ଅପହରଣ କରିନେଇଛନ୍ତି। 

ରିପୋର୍ଟ ଅନୁଯାୟୀ , ସେ ଦୋକାନକୁ ଯାଉଥିବା ବାଟରେ କାର୍‌ ପଛପଟେ ମାଡ଼ ହେଇଥିଲେ। ପରେ ତାଙ୍କୁ ବନ୍ଧୁକ ଦେଖାଇ ତାଲିବାନୀ ସୈନ୍ୟ ମାନେ ଗୋଟିଏ ସବୁଜ ରଙ୍ଗର ଟୋୟଟା କୋରୋଲା କାର୍‌ର ନେଇଯାଇଥିଲେ।

ବଂସରୀ ଲାଲଙ୍କ ସମେତ ତାଙ୍କର କିଛି କର୍ମଚାରୀଙ୍କୁ  ମଧ୍ୟ ଅପହରଣ କରି ନିଆଯାଇଥିଲା, କିନ୍ତୁ କର୍ମଚାରୀ ଜଣକ  ସୌଭାଗ୍ୟ ବଶତଃ ଖସି ଆସିବାରେ ସମର୍ଥ ହୋଇଥିଲେ। ଅପହରଣକାରୀମାନେ ବଂସରୀ ଲାଲଙ୍କୁ ମାଡ ମାରିଥିବା ଅଭିଯୋଗ ହୋଇଛି। 

ବଂସରୀଙ୍କ ପରିବାର ରାଜଧାନୀ ଦିଲ୍ଲୀ-ଏନ୍‌ସିଆର୍‌ରେ ରୁହନ୍ତି। ସ୍ଥାନୀୟ ଅନୁସନ୍ଧାନକାରୀ ସଂସ୍ଥା ତାଙ୍କ ଅପହରଣ ମାମଲା ରୁଜୁ କରିଛି ଏବଂ ତାଙ୍କୁ ବର୍ତ୍ତମାନ ଖୋଜା ଚାଲିଛି। ସେପଟେ ଭାରତୀୟ ବୈଦେଶିକ ମନ୍ତ୍ରଣାଳୟ ଏହି ଘଟଣାରେ ତୁରନ୍ତ ହସ୍ତକ୍ଷେପ ଏବଂ ସହଯୋଗ କରିବାକୁ ତାଲିବାନ ସରକାରଙ୍କୁ ନିବେଦନ କରାଯାଇଛି। ତାଲିବାନ ମୁଖପାତ୍ର ଏ ସମ୍ପର୍କରେ କିଛି ବି ଜାଣି ନ ଥିବା କହିଛନ୍ତି।