
ଭୁବନେଶ୍ୱର(ସତ୍ୟପାଠ ବ୍ୟୁରୋ): ଶ୍ରୀଲଙ୍କାକୁ ସାହାଯ୍ୟ କରିବାକୁ ଚାହୁଁଛି ତାମିଲନାଡୁ । ତେବେ ତାମିଲନାଡୁ ବିଧାନସଭାରେ ଶୁକ୍ରବାର ଏକ ପ୍ରସ୍ତାବ ଗୃହୀତ ହୋଇଛି। ଏହା ଜରିଆରେ ଶ୍ରୀଲଙ୍କାର ସାହାଯ୍ୟ କରିବା ପାଇଁ କେନ୍ଦ୍ର ସରକାରଙ୍କ ଅନୁମତି ଲୋଡା ଯାଇଛି। ପ୍ରସ୍ତାବରେ ରାଜ୍ୟ ସରକାରଙ୍କ ଅନୁରୋଧ ଉପରେ ସକରାତ୍ମକ ଭାବେ ବିଚାର କରିବାକୁ କେନ୍ଦ୍ର ସରକାରଙ୍କୁ ଅପିଲ୍ କରାଯାଇଛି। ତାମିଲନାଡୁ ବିଧାନସଭାରେ ଗୃହୀତ ପ୍ରସ୍ତାବରେ କୁହାଯାଇଛି ଯେ, ରାଜ୍ୟ ସଙ୍କଟଗ୍ରସ୍ତ ଶ୍ରୀଲଙ୍କାକୁ ଖାଦ୍ୟ ଏବଂ ଜୀବନ ରକ୍ଷକ ଔଷଧ ପଠାଇବାକୁ ଚାହୁଁଛି। ଏଥିପାଇଁ ରାଜ୍ୟର ଅନୁରୋଧ ଉପରେ କେନ୍ଦ୍ର ସରକାର ବିଚାର କରନ୍ତୁ। ମୁଖ୍ୟମନ୍ତ୍ରୀ ଷ୍ଟାଲିନଙ୍କ ଦ୍ଵାରା ଅଣାଯାଇଥିବା ପ୍ରସ୍ତାବକୁ ବିରୋଧୀ ଅନ୍ନାଦ୍ରମୁକ ଏବଂ ବିଜେପି ସହିତ ସବୁ ଦଳ ସମର୍ଥନ କରିଛନ୍ତି। ଏଥିସହ ସର୍ବସମ୍ମତି କ୍ରମେ ପ୍ରସ୍ତାବ ବିଧାନସଅଭାରେ ପାରିତ ହୋଇଛି। ସବୁଠୁ ବଡ କଥା ସରକାରଙ୍କ ପ୍ରସ୍ତାବକୁ ସମର୍ଥନ ଦେବା ବ୍ୟତୀତ ବିରୋଧୀ ଦଳ ଉପ ନେତା ପନିରସେଲଭମ ଶ୍ରୀଲଙ୍କାାଇ ତାମିଲଙ୍କୁ ସହାୟତା ରୂପେ ବ୍ୟକ୍ତିଗତ ୫୦ ଲକ୍ଷ ଟଙ୍କା ଦେବାକୁ ପ୍ରତିଶ୍ରୁତି ଦେଇଛନ୍ତି।
ମୁଖ୍ୟମନ୍ତ୍ରୀ ପ୍ରସ୍ତାବ ଉପସ୍ଥାପନ କରି କହିଛନ୍ତି, ଆମେ ଶ୍ରୀଲଙ୍କାରେ ହେଉଥିବା ଘଟଣାକ୍ରମକୁ ପଡୋଶୀ ଦେଶର ଆଭ୍ୟନ୍ତରୀଣ ପ୍ରସଙ୍ଗ ଭାବେ ଦେଖି ପାରିବା ନାହିଁ। ଆମକୁ ମାନବୀୟ ସହାୟତା ପ୍ରଦାନ କରାଯିବାର ଆବଶ୍ୟକତା ରହିଛି। ସାହାଯ୍ୟ ଶୀଘ୍ର ଏବଂ ସଠିକ୍ ସମୟରେ ମିଳିବା ଉଚିତ୍। ଏହି ପ୍ରସଙ୍ଗରେ ଗତ ମାସରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ସହ ମୁଖ୍ୟମନ୍ତ୍ରୀ ଆଲୋଚନା କରିଥିଲେ। ବୈଦେଶିକ ମନ୍ତ୍ରୀ ଏସ ଜୟଶଙ୍କରଙ୍କ ସହ ମଧ୍ୟ ସେ ଆଲୋଚନା କରିଥିଲେ। ତେବେ ଏ ଯାଏ କେନ୍ଦ୍ର ସରକାରଙ୍କ ପକ୍ଷରୁ କୌଣସି ପ୍ରତିକ୍ରିୟା ଆସିନାହିଁ। ଏଥିପାଇଁ ମୁଁ ଏହି ପ୍ରସ୍ତାବ ଉପସ୍ଥାପନ କରିବାକୁ ବିବଶ ହେଲି ବୋଲି ତାମିଲନାଡୁ ମୁଖ୍ୟମନ୍ତ୍ରୀ କହିଛନ୍ତି। ରାଜ୍ୟ ସରକାର ପିଲାମାନଙ୍କ ପାଇଁ ୪୦ ହଜାର ଟନ ଚାଉଳ, ୧୩୭ ପ୍ରକାରର ଜୀବନ ରକ୍ଷକ ଔଷଧ ଏବଂ ୫୦୦ ଟନ ମିଲ୍କ ପାଉଡର ଯୋଗାଇ ଦେବାକୁ ନିଷ୍ପତ୍ତି ନେଇଛନ୍ତି। ଏହାର ଆନୁମାନିକ ମୂଲ୍ୟ ୧୨୩ କୋଟି ଟଙ୍କା। ଆମେ ଏସବୁ ସାମଗ୍ରୀ ପଠାଇବା ନେଇ ପ୍ରସ୍ତୁତ ଅଛୁ। କିନ୍ତୁ ରାଜ୍ୟ ସରକାର ସିଧାସଳଖ ପଠାଇ ପାରିବେ ନାହିଁ। ଏଥିପାଇଁ କେନ୍ଦ୍ର ସରକାର ମଞ୍ଜୁରୀ ଆବଶ୍ୟକ ବୋଲି ଷ୍ଟାଲିନ କହିଛନ୍ତି। ଏ ଖବର ସାମ୍ନାକୁ ଆସିବା ପରେ ସାରା ଦେଶର ରାଜନୈତିକ ମାହୋଲ ବେଶ ଚଳଚଞ୍ଚଳ ହୋଇ ଉଠିଛି ।