ଭୁବନେଶ୍ୱର ( ସତ୍ୟପାଠ ବ୍ୟୁରୋ ): ଜାମ୍ମୁ-କାଶ୍ମୀରରେ ଟାର୍ଗେଟରେ କିଲିଂ ନେଇ ପ୍ରତିକ୍ରିୟା ରଖିଛନ୍ତି ନ୍ୟାସନାଲ କନଫରେନ୍ସ ନେତା ଫାରୁକ୍ ଅବଦୁଲ୍ଲା। ଏନେଇ ସେ କହିଛନ୍ତି ଯେ, ‘ନ୍ୟାୟ ନମିଳିବା ପର୍ଯ୍ୟନ୍ତ ଜାମ୍ମୁ କାଶ୍ମୀରରେ ଟାର୍ଗେଟରେ କିଲିଂ ବନ୍ଦ ହେବ ନାହିଁ।’

ଫାରୁକ୍ ଆହୁରି କହିଛନ୍ତି ଯେ, ପୂର୍ବରୁ ବିଜେପି କହିଥିଲା ​​ଯେ ଧାରା ୩୭୦ ଧାରା କାରଣରୁ ଏପରି ହତ୍ୟା ଘଟୁଛି, କିନ୍ତୁ ବର୍ତ୍ତମାନ ଏହାକୁ ରଦ୍ଦ କରିଦିଆଯାଇଛି, ତେବେ କାହିଁକି ଏପରି ହତ୍ୟା ବନ୍ଦ ହୋଇନାହିଁ? କିଏ ଏଥି ପାଇଁ ଦାୟୀ? ବୋଲି ସେ ପ୍ରଶ୍ନ କରିଛନ୍ତି।

ସୂଚନାଯୋଗ୍ୟ ଯେ, ଗତ ଶନିବାର ଦିନ କାଶ୍ମୀରୀ ପଣ୍ଡିତ ପୂରନ କୃଷ୍ଣ ଭଟ୍ଟଙ୍କୁ ଶୋପିଆନରେ ଆତଙ୍କବାଦୀମାନେ ଗୁଳି କରି ହତ୍ୟା କରିଥିଲେ। ଗୁଳି ବିନିମୟ ପରେ ଭଟ୍ଟଙ୍କୁ ଡାକ୍ତରଖାନା ନିଆଯାଇଥିଲା ଯେଉଁଠାରେ ତାଙ୍କୁ ମୃତ ଘୋଷଣା କରାଯାଇଥିଲା।

ତେବେ କାଶ୍ମୀର ପଣ୍ଡିତଙ୍କ ହତ୍ୟା ଘଟଣାକୁ ଭାରତୀୟ ଜନତା ପାର୍ଟି (ବିଜେପି)ର ଜାମ୍ମୁ କାଶ୍ମୀର ମୁଖ୍ୟ ରବିନ୍ଦର ରାଇନା ନିନ୍ଦା କରିବା ସହ ଅପରାଧୀଙ୍କୁ ଛଡ଼ା ଯିବା ନାହିଁ ବୋଲି କହିଥିଲେ। ଏନେଇ ସେ କହିଥିଲେ ଯେ, ପାକିସ୍ତାନ ଓ ଆତଙ୍କବାଦୀଙ୍କ ସମସ୍ତ ଷଡ଼ଯନ୍ତ୍ର ବିଫଳ ହେବ। ଯେଉଁମାନେ କାଶ୍ମୀରୀ ପଣ୍ଡିତଙ୍କୁ ଟାର୍ଗେଟ କରିବାକୁ ଷଡ଼ଯନ୍ତ୍ର କରୁଛନ୍ତି ସେମାନଙ୍କୁ ଏହାର ପରିଣାମ ଭୋଗିବାକୁ ପଡ଼ିବ। ଷଡ଼ଯନ୍ତ୍ର କରିଥିବା ଆତଙ୍କବାଦୀମାନେ ଖୁବଶୀଘ୍ର ଶେଷ ହେବେ ବୋଲି ସେ କହିଥିଲେ।

ଅନ୍ୟପଟେ ଜାମ୍ମୁ କାଶ୍ମୀର ପୋଲିସ ଶୋପିଆନ୍ ଜିଲ୍ଲାରେ କାଶ୍ମୀର ପଣ୍ଡିତଙ୍କ ହତ୍ୟା ପାଇଁ ଆତଙ୍କବାଦୀ ସଙ୍ଗଠନ ‘କାଶ୍ମୀର ଫ୍ରିଡମ୍ ଫାଇଟର୍ସ’ ଦାୟୀ ବୋଲି ଦାବି କରିଥିଲା। ଡେପୁଟି ଇନ୍ସପେକ୍ଟର ଜେନେରାଲ୍ (ଡିଜି) ସୁଜିତ କୁମାର କହିଛନ୍ତି ଯେ କାଶ୍ମୀରୀ ପଣ୍ଡିତ ପୂରନ କୃଷ୍ଣ ଭଟ୍ଟଙ୍କୁ ହତ୍ୟା କରାଯାଇଛି। ଆମେ ଏହି ଘଟଣାର ଅନୁସନ୍ଧାନ କରୁଛୁ ବୋଲି ସେ କହିଛନ୍ତି।

ସୂଚନାଯୋଗ୍ୟ ଯେ, ଚଳିତ ବର୍ଷ ମେ ମାସରେ ଆତଙ୍କବାଦୀ ଏକ ସରକାରୀ କାର୍ଯ୍ୟାଳୟରେ ପ୍ରବେଶ କରି କାଶ୍ମୀର ପଣ୍ଡିତ କର୍ମଚାରୀ ରାହୁଲ ଭଟ୍ଟଙ୍କୁ ଗୁଳି କରି ହତ୍ୟା କରିଥିଲେ। ଏଥି ସହିତ ଜାମ୍ମୁ କାଶ୍ମୀରରେ ଆତଙ୍କବାଦୀଙ୍କ ଟାର୍ଗେଟ କିଲିଂ ଷଡ଼ଯନ୍ତ୍ରକୁ ଗମ୍ଭୀରତାର ସହ ଗ୍ରହଣ କରି ସରକାର କାଶ୍ମୀର ପଣ୍ଡିତଙ୍କ ସୁରକ୍ଷା ପାଇଁ ଗୁରୁତ୍ୱପୂର୍ଣ୍ଣ ପଦକ୍ଷେପ ନେଇଥିଲେ। ହେଲେ ଏବେ ମଧ୍ୟ ଆତଙ୍କବାଦୀ ଟାର୍ଗେଟ କିଲିଂ ବନ୍ଦ କରିନାହାଁନ୍ତି।