ଭୁବନେଶ୍ୱର(ସତ୍ୟପାଠ ବ୍ୟୁରୋ): ଜୁଲାଇ ୧ରୁ ମହଙ୍ଗା ହେବ ଟାଟା ମୋଟର୍ସର ବାଣିଜ୍ୟିକ ଯାନ । କଞ୍ଚାମାଲର ଦରବୃଦ୍ଧି ଓ ଆନୁଷଙ୍ଗିକ ଖର୍ଚ୍ଚ ବଢିବା ଯୋଗୁଁ କମ୍ପାନି ଏହି ପଦକ୍ଷେପ ନେଇଥିବା ଘୋଷଣା କରିଛି । କମ୍ପାନିର ଘୋଷଣା ଅନୁସାରେ ଜୁଲାଇ ୧ରୁ ବିଭିନ୍ନ ବାଣିଜ୍ୟିକ ଯାନର ମୂଲ୍ୟ ୧.୫ ପ୍ରତିଶତରୁ ୨.୫ ପ୍ରତିଶତ ପର୍ୟ୍ୟନ୍ତ ବୃଦ୍ଧି କରାଯିବ । ତେବେ ମଡେଲ ଅନୁସାରେ ଏହି ଦରବୃଦ୍ଧିର ପରିମାଣ ଅଲଗା ଅଲଗା ରହିବ । ଟାଟା ମୋଟର୍ସର ଏହି ଘୋଷଣା ପରେ ଅନ୍ୟ କମ୍ପାନିମାନେ ବି ଦରବୃଦ୍ଧି କରିପାରନ୍ତି । ଟାଟା ମୋଟର୍ସ ପକ୍ଷରୁ ଗତ ଏପ୍ରିଲ ୧ରେ ମଧ୍ୟ ନିଜର ବାଣିଜ୍ୟିକ ଯାନର ଦର ୧.୫ ପ୍ରତିଶତରୁ ୨.୫ ପ୍ରତିଶତ ପର୍ୟ୍ୟନ୍ତ ବୃଦ୍ଧି କରାଯାଇଥିଲା ।

ଟାଟା ମୋଟର୍ସର ବାଣିଜ୍ୟିକ ଯାନ ମଧ୍ୟରେ ରହିଛି ଟ୍ରକ, ବସ, ମିନିଟ୍ରକ, ପିକଅପ ଇତ୍ୟାଦି । ଗତ ସପ୍ତାହରେ ହିରୋ ମୋଟକର୍ପ ପକ୍ଷରୁ ନିଜର ବାଇକ ଓ ସ୍କୁଟର ଦର ୩ ହଜାର ଟଙ୍କା ପର୍ୟ୍ୟନ୍ତ ବୃଦ୍ଧି କରାଯାଇଥିଲା । ଏହି ବର୍ଦ୍ଧିତ ଦର ଜୁଲାଇ ୧ରୁ ଲାଗୁ ହେବ । ବିଭିନ୍ନ କଞ୍ଚାମାଲର ଦରବୃଦ୍ଧି ଓ ଅନ୍ୟ ଆନୁଷଙ୍ଗିକ ଖର୍ଚ୍ଚ ବଢିବା ଯୋଗୁଁ କମ୍ପାନି ଦରବୃଦ୍ଧି ଲାଗି ନିଷ୍ପତ୍ତି ନେଇଥିଲା । ଜୁନ ୧ରୁ ବିଭିନ୍ନ କମ୍ପାନିର ମୋଟର ସାଇକେଲ, ସ୍କୁଟର ଓ କାର ମୂଲ୍ୟ ବୃଦ୍ଧି ପାଇଥିଲା । ସରକାରଙ୍କ ପକ୍ଷରୁ ଗାଡ଼ିବୀମା ପ୍ରମିୟମ ବୃଦ୍ଧି କରିବା ପରେ ଏହି ଦରବୃଦ୍ଧି ହୋଇଥିଲା ।