ଭୁବନେଶ୍ୱର(ସତ୍ୟପାଠ ବ୍ୟୁରୋ): ସରିଲା ନୀତୀଶ ଯୁଗ, ଦୀର୍ଘ ୨୦ ବର୍ଷ ପରେ ମୁଖ୍ୟମନ୍ତ୍ରୀ ଆସନ ଛାଡିଲେ ନୀତୀଶ କୁମାର । ସେପଟେ ନୀତୀଶଙ୍କ ଇସ୍ତଫା ପରେ ବିହାରରେ ପ୍ରଥମ ଥର ପାଇଁ ବିଜେପି ମୁଖ୍ୟମନ୍ତ୍ରୀ ହେବାକୁ ଯାଉଛି। ଦଳ ସମ୍ରାଟ ଚୌଧୁରୀଙ୍କୁ ବିହାରର ନୂଆ ମୁଖ୍ୟମନ୍ତ୍ରୀ ବୋଲି ଘୋଷଣା କରିଛି। ଆସନ୍ତକାଲି ସେ ମୁଖ୍ୟମନ୍ତ୍ରୀ ପଦ ପାଇଁ ଶପଥ ନେବେ। ଏନେଇ ମଙ୍ଗଳବାର ବସିଥିବା ବିଧାୟକ ଦଳ ବୈଠକରେ ସମ୍ରାଟଙ୍କୁ ଗୃହର ନେତା ଭାବେ ଚୟନ କରାଯାଇଥିଲା। ଆସନ୍ତାକାଲି ପୂର୍ବାହ୍ନ ୧୧ଟାରେ ଲୋକଭବନରେ ରାଜ୍ୟର ନୂଆ ମୁଖ୍ୟମନ୍ତ୍ରୀ ଭାବେ ଶପଥ ନେବେ ସମ୍ରାଟ ଚୌଧୁରୀ। ଅନ୍ୟପଟେ ନୀତିଶ ଲୋକଭବନକୁ ଯାଇ ରାଜ୍ୟପାଳ ଲେଫ୍ଟନାଣ୍ଟ ଜେନେରାଲ୍ ସୟଦ ଅତା ହସନୈନଙ୍କୁ ତାଙ୍କ ଇସ୍ତଫା ପତ୍ର ପ୍ରଦାନ କରିଛନ୍ତି। ୫ ମାସ ତଳେ ବିହାର ବିଧାନସଭା ନିର୍ବାଚନରେ ଜେଡିୟୁ ୮୫ ଆସନ ଜିତିଥିଲା। ବିଜେପି ଜିତିଥିଲା ୮୯ଟି ଆସନ। ଜେଡିୟୁର ଏତେ ମଜଭୁତ ପ୍ରଦର୍ଶନ ସତ୍ତ୍ୱେ ବି ନୀତୀଶଙ୍କୁ ମୁଖ୍ୟମନ୍ତ୍ରୀ ଆସନ ଛାଡ଼ିବାକୁ ପଡ଼ିଛି। ଇସ୍ତଫା ଦେବା ପୂର୍ବରୁ ନୀତୀଶ କ୍ୟାବିନେଟ ବୈଠକ ଡକାଇଥିଲେ। ବୈଠକରେ ଅଧ୍ୟକ୍ଷତା କରିଥିବା ନୀତୀଶ ଏ ପ୍ରସଙ୍ଗରେ ଆଲୋଚନା କରିଥିଲେ। ଯାହାଦ୍ୱାରା ରାଜ୍ୟରେ ପ୍ରଥମ ଥର ପାଇଁ ବିଜେପି ସରକାର ପାଇଁ ପଥ ପରିଷ୍କାର ହୋଇଛି। ଇସ୍ତଫା ଦେବା ପରେ ନୀତୀଶ ଏକ୍ସରେ ପୋଷ୍ଟ କରି ନୀତିଶ କୁମାର ଲେଖିଛନ୍ତି ଯେ ତାଙ୍କ ସରକାର ସମାଜର ପ୍ରତ୍ୟେକ ବର୍ଗ ପାଇଁ ଶିକ୍ଷା, ସ୍ୱାସ୍ଥ୍ୟ, ବିଦ୍ୟୁତ୍ ଭଳି କ୍ଷେତ୍ରରେ କାର୍ଯ୍ୟ କରିଛି, ବିଶେଷ କରି ମହିଳା ଏବଂ ଯୁବପିଢ଼ି ପାଇଁ କାମ କରିଛି। ଏବେ ନୂଆ ସରକାର ଏହି ଦାୟିତ୍ୱ ତୁଲାଇବ ଏବଂ ଏଥିରେ ନୀତୀଶଙ୍କର ପୂର୍ଣ୍ଣ ସହଯୋଗ ଏବଂ ମାର୍ଗଦର୍ଶନ ରହିବ ବୋଲି ସେ କହିଛନ୍ତି। ସେପଟେ ନୀତିଶ କୁମାର ପ୍ରଥମେ ୨୪ ନଭେମ୍ବର ୨୦୦୫ରେ ବିହାର ମୁଖ୍ୟମନ୍ତ୍ରୀ ଭାବରେ ଶପଥ ନେଇଥିଲେ। ଏହାପର ଠାରୁ ଦୁଇ ଦଶନ୍ଧି ଧରି ସେ ମୁଖ୍ୟମନ୍ତ୍ରୀ ଆସନରେ ବସିଥିଲେ।୨୦୦୫ରେ ଏନଡିଏ ସହ ମେଣ୍ଟ କରି ମୁଖ୍ୟମନ୍ତ୍ରୀ ହୋଇଥିଲେ। ଏହାପରେ ୨୦୧୦ରେ ସେ ଦୃଢ଼ ଜନାଦେଶ ପାଇଁ ପୁଣିଥରେ ସରକାର ଗଠନ କରିଥିଲେ। ତାଙ୍କ ଶାସନ କାଳରେ ବିକାଶ, ଭିତ୍ତିଭୂମି ପ୍ରୋତ୍ସାହନ ଏବଂ ଆଇନ ଶୃଙ୍ଖଳାରେ ଉନ୍ନତି ଆଣିଥିଲେ। ଫଳରେ ବିହାର ପଛୁଆ ରାଜ୍ୟର ବଦାନାମରୁ ମୁକ୍ତ ହୋଇଥିଲା।ଏହାପରେ ନୀତୀଶ ୨୦୧୩ରେ ବିଜେପି ସହିତ ସମ୍ପର୍କ ଭାଙ୍ଗିଥିଲେ। ୨୦୧୫ରେ ଆରଜେଡି-କଂଗ୍ରେସ ମେଣ୍ଟ ସହିତ ମେଣ୍ଟ କରିଥିଲେ। ୨୦୧୭ରେ ସେ ପୁଣି ଏନଡିଏ ମେଣ୍ଟକୁ ଫେରିଥିଲେ। ଆଉ ୨୦୨୨ରେ ପୁଣି ଥରେ ନୀତୀଶ କୁମାର କଂଗ୍ରେସ ଓ ଅନ୍ୟାନ୍ୟ ଦଳର ମହାମେଣ୍ଟକୁ ଯାଇଥିଲେ। ଆଉ ଏହି ବିଜେପି ବିରୋଧୀ ମହାମେଣ୍ଟର ଆବାହକ ମଧ୍ୟ ଖୋଦ୍ ନୀତୀଶ କୁମାର ହିଁ ଥିଲେ। ହେଲେ ଏଥିରେ ସମସ୍ତଙ୍କୁ ମନାଇବାରେ ବିଫଳ ହେବାରୁ ତାଙ୍କ ଭବିଷ୍ୟତରେ ଏନଡିଏରେ ସୁରକ୍ଷିତ ବୋଲି ବିବେଚନା କରି ସେ ପୁଣିଥରେ ବିଜେପି ସହିତ ମେଣ୍ଟ କରିଥିଲେ।