ଆଦିବାସୀ ବିଦ୍ୟାଳୟରେ ନାହାଁନ୍ତି ଶିକ୍ଷକ

ସତ୍ୟପାଠ ବ୍ୟୁରୋ : ରାଜ୍ୟର ଆଦିବାସୀ ଅଧ୍ୟୁଷିତ ଇଲାକାରେ ଅନୁସୂଚିତଜାତି ଓ ଜନଜାତି ଉନ୍ନୟନ ବିଭାଗ ଅଧିନରେ ଥିବା ହାଇସ୍କୁଲ ଗୁଡିକରେ ଦେଖାଦେଇଛି ଶିକ୍ଷକ ସଂକଟ । ବିଭାଗ ଅଧିନରେ ପ୍ରାୟ ୪୧୬ଟି ହାଇସ୍କୁଲ ରହିଛି । ଯେଉଁଥିପାଇଁ ମଂଜୁରୀପ୍ରାପ୍ତ ୪୬୬୩ଟି ପଦବୀ ରହିଛି । ତେବେ ଏଥିମଧ୍ୟରୁ ଖାଲି ପଡିଛି ୧୧୭୬ଟି ପଦବୀ । ସବୁଠୁ ଉଦବେଗର କଥା ହେଉଛି, ସେଗୁଡିକ ଭିତରୁ ୭୩ଟି ହାଇସ୍କୁଲରେ ପ୍ରଧାନଶିକ୍ଷକ ନାହାଁନ୍ତି । କନ୍ଧମାଳ ଜିଲ୍ଲାରେ ଥିବା ୩୪ଟି ହାଇସ୍କୁଲ ପାଇଁ ୨୭୨ଟି ମଂଜୁରୀପ୍ରାପ୍ତ ପଦବୀ ଥିବା ବେଳେ ସେଥିରୁ ୧୨୬ଟି ପଦବୀ ଖାଲି ପଡିଛି ।

ସେହିଭଳି ଜିଲ୍ଲାର ୧୬ଟି ହାଇସ୍କୁଲରେ ପ୍ରଧାନଶିକ୍ଷକ ନାହାଁନ୍ତି । କେରାପୁଟ ସ୍ଥିତି ବି ଆହୁରି ସଂଗୀନ । ଜିଲ୍ଲାରେ ଥିବା ୩୬ଟି ହାଇସ୍କୁଲ ପାଇଁ ୩୮୫ଟି ମଂଜୁରୀପ୍ରାପ୍ତ ପଦବୀ ଥିବା ବେଳେ ସେଥିରୁ ୧୦୮ଟି ପଦବୀ ଖାଲି । ରାୟଗଡାରେ ବି ସମାନ ଅବସ୍ଥା । ଜିଲ୍ଲାର ୪୪ଟି ହାଇସ୍କୁଲ ପାଇଁ ୬୦୩ଟି ପଦବୀ ଥିବା ବେଳେ ୨୬୭ଟି ଖାଲି ପଡିଛି ।

ଶିକ୍ଷାବିଭାଗର ଏ ବିକଳ ଚିତ୍ର କହିଦେଉଛି କିଭଳି ଆଦିବାସୀ ପିଲାଙ୍କୁ ମିଳୁଛି ଶିକ୍ଷାଦାନ । ଅନୁସୂଚିତ ଜାତି ଓ ଜନଜାତି ବିଭାଗର ଏହି ବିଦ୍ୟାଳୟ ଗୁଡିକରେ ଶିକ୍ଷକଙ୍କ ସମେତ ପ୍ରଧାନଶିକ୍ଷକ ପଦବୀ ଖାଲି ପଡିଛି । ବିଶେଷ କରି ଆଦିବାସୀ ଅଧ୍ୟୁଷିତ ଜିଲ୍ଲାରେ ସ୍ଥିତି ଭୟଙ୍କର । ସେଥିରେ ଯେତିକି ଶିକ୍ଷକ ଅଛନ୍ତି ତାଙ୍କ ଉପରେ ବି ଅଲଗା କାମ ଲଦି ଦିଆଯାଉଛି । ଆଉ ଏଥିରେ ସରକାର ସରକାରୀ ବିଦ୍ୟାଳୟରୁ ଶତ ପ୍ରତିଶତ ଫଳାଫଳ ଚାହୁଁଛନ୍ତି । ଏମିତିରେ ଶିକ୍ଷାଦାନ କିଭଳି ବାଧାପ୍ରାପ୍ତ ହେଉଥିବ ଓ ଯେଉଁଠାରେ ଶିକ୍ଷକ ଅଭାବ ସାଙ୍ଗକୁ ପ୍ରଧାନଶିକ୍ଷକ ନାହାଁନ୍ତି ସେଠାକାର କଥା ଭାବିଲେ ଅଭିଭାବକର କଣ ହେଉଥିବ । ମନ୍ତ୍ରୀମାନଙ୍କୁ ମାର୍କ ଦେବା ବେଳେ ଏ ରିପୋର୍ଟ ଟା ଉପରେ ନବୀନ ବାବୁ ନଜର ପକାଇଥିବେ ନିଶ୍ଚୟ । ଆଦିବାସୀ ପିଲାଙ୍କ ସ୍କୁଲର ଏ ଦୁଃସ୍ଥିତି ସାର୍ ଙ୍କ ୫-ଟି କୋର୍ସ ଭିତରେ ଆସୁଛି ନା ନାହିଁ ?

କୁହାଯାଏ ଏହି ଜିଲ୍ଲା ଗୁଡିକ ପଛୁଆ ଅଂଚଳ । ଏମାନଙ୍କୁ ସ୍ୱାବଲମ୍ବୀ ଓ ବିକଶିତ କରିବା ସରକାରଙ୍କ ପ୍ରାଥମିକ କର୍ତ୍ତବ୍ୟ । କିନ୍ତୁ ସ୍କୁଲକୁ ମାଗଣା ବହି , ଡ୍ରେସ ଆଉ ମଧ୍ୟାହ୍ନ ଭୋଜନ ବାଂଟି ଚୁପ ବସୁଛନ୍ତି ସରକାର । ଏବେ ସରକାରଙ୍କୁ କିଏ ବୁଝାଇବ ଯେ, ମାଗଣା ଖାଦ୍ୟ ଯୋଗାଇଲେ ନୁହେଁ ଶିକ୍ଷକ ଯୋଗାଇଲେ ହିଁ ପିଲାଏ ପାଠ ପଢ଼ିବେ…

Related Posts