ଶିକ୍ଷକ ସଙ୍ଘ-ମୁଖ୍ୟ ଶାସନ ସଚିବ ଆଲୋଚନା ବିଫଳ, ଜାରି ରହିବ ଆନ୍ଦୋଳନ

ଭୁବନେଶ୍ୱର ( ସତ୍ୟପାଠ ବ୍ୟୁରୋ ): ରାଜଧାନୀ ଭୁବନେଶ୍ବରରେ ୩ ଦଫା ମିଳିତ ପ୍ରାଥମିକ ଶିକ୍ଷକ ସଂଘର ଆନ୍ଦୋଳନ ଜାରି ରହିଛି । ଲୋୟର ପିଏମଜିରେ ଧାରଣାରେ ବସିଛନ୍ତି ରାଜ୍ୟର ୧ ଲକ୍ଷରୁ ଉର୍ଦ୍ଧ୍ବ ଶିକ୍ଷକ ।ତେବେ ଆଜି ସରକାରଙ୍କ ସହ ଶିକ୍ଷକମାନଙ୍କ ଆଲୋଚନା ହୋଇଥିବା ସତ୍ତ୍ବେ ଏହା ବିଫଳ ହୋଇଛି । ଫଳରେ ଏହି ଆନ୍ଦୋଳନ ଆଗାମୀ ଦିନରେ ଜାରି ରହିବ ବୋଲି କହିଛି ମିଳିତ ପ୍ରାଥମିକ ଶିକ୍ଷକ ସଂଘ ।

ମିଳିତ ପ୍ରାଥମିକ ଶିକ୍ଷକ ସଂଘ ପକ୍ଷରୁ କୁହାଯାଇଛି ଯେ, ଆଜି ମୁଖ୍ୟ ଶାସନ ସଚିବ ସୁରେଶ ମହାପାତ୍ରଙ୍କ ସହ ପ୍ରାଥମିକ ଶିକ୍ଷକ ସଂଘର ଆଲୋଚନା ହୋଇଛି । ତେବେ ଏହି ଆଲୋଚନାରେ କୌଣସି ନିଷ୍କର୍ସ ବାହାରି ପାରିଲାନହିଁ । ମିଳିତ ପ୍ରଥମିକ ଶିକ୍ଷକ ସଂଘର ଯେଉଁ ଷ୍ଟିୟରିଂ କମିଟି ରହିଛି ସେଥିରେ ଆଲୋଚନା କରାଯିବ । ପରବର୍ତ୍ତୀ ସମୟରେ କମିଟି ଯାହା ନିଷ୍ପତ୍ତି ନେବ ସେହି ଅନୁସାରେ କାର୍ଯ୍ୟ କରାଯିବ । ଯଦି ମୁଖ୍ୟମନ୍ତ୍ରୀ ଡାକିବେ ତେବେ ଯିବୁ । ଆମକୁ ଏପର୍ଯ୍ୟନ୍ତ କିଛି ବି ଲିଖିତ ଆକାରରେ ଦେଇନାହାନ୍ତି । ଆଗାମୀ ଦିନରେ ଶିକ୍ଷାଦାନରେ ଯାହା କ୍ଷତି ଘଟିବ ସେଥିପାଇଁ ରାଜ୍ୟ ସରକାର ଦାୟୀ ରହିବେ ବୋଲି ସଂଘ ସିଧାସଳଖ କହିଛି।

ସୂଚନା ଅନୁଯାୟୀ, ସଂଘର ମୁଖ୍ୟତଃ ୩ଟି ଦାବି ରହିଛି । ସେଗୁଡିକ ହେଲା, ୨୦୦୧ ମସିହାରୁ ଯେଉଁ ଠିକା ନିଯୁକ୍ତି ଆରମ୍ଭ ହୋଇଥିଲା, ୨୦୧୩ ମସିହାରୁ ଯେଉଁ ଠିକା ନିଯୁକ୍ତିରେ ଯେଉଁ ଶିକ୍ଷକ ମାନେ ନିଯୁକ୍ତି ପାଇଥିଲେ ସେମାନଙ୍କ ଉପରୁ ଠିକା ନିଯୁକ୍ତି ଉଠାଇଛନ୍ତି ସରକାର । କିନ୍ତୁ ୨୦୦୧ ମସିହାରୁ ଯେଉଁ ଶିକ୍ଷକ ମାନେ ନିଯୁକ୍ତି ପାଇଥିଲେ ସେମାନଙ୍କୁ ସରକାର ଉପେକ୍ଷା କରିଛନ୍ତି ବୋଲି କହିଛି ସଂଘ । ଦ୍ବିତୀୟ ଦାବି ହେଉଛି କେନ୍ଦ୍ରୀୟ ହାରରେ ସରକାର ଦରମା ଦେଉନାହାନ୍ତି । ପୁରୁଣା ପେନସନର ପୁନଃ ପ୍ରଚଳନ କରିବା ପାଇଁ ଦାବି ରଖିଛି ସଂଘ ।

ଏ ନେଇ ଲୋୟର ପିଏମଜିରେ ସାରା ରାଜ୍ୟରୁ ଅନେକ ଶିକ୍ଷକ ଧାରଣାରେ ବସିଛନ୍ତି । ଦୀର୍ଘ ଦିନ ଧରି ଶିକ୍ଷକ ଏହି ଆନ୍ଦୋଳନ ଜାରି ରଖିଥିବା ବେଳେ ବିଧାନସଭାର ଶୀତକାଳୀନ ଅଧିବେଶନ ପୂର୍ବରୁ ଏମାନେ ରାଜଧାନୀରେ ଧାରଣାରେ ବସିଛନ୍ତି । ସୋମବାର ବିଧାନସଭାରେ ମଧ୍ୟ ଏହି ପ୍ରସଙ୍ଗ ଉଠାଇ ବିରୋଧୀ ହଟ୍ଟଗୋଳ କରିଥିଲେ । ଏହାପରେ ବାଚସ୍ପତି ରୁଲିଂ ଦେଇଥିଲେ । ଶିକ୍ଷକ ଆନ୍ଦୋଳନ ଉପରେ ସରକାରଙ୍କୁ ସ୍ବତନ୍ତ୍ର ଧ୍ୟାନ ଦେବାକୁ ନିର୍ଦ୍ଦେଶ ଦେଇଥିଲେ ।

Related Posts