ରେଡ୍ ବେଳେ ଅଧିକାରୀଙ୍କ ସହ ଯୁକ୍ତିତର୍କ ଘଟଣା; ବିଜେପି ବିଧାୟିକା କୁସୁମ ଟେଟେଙ୍କ ନାଁ ରେ ଏତଲା ଦେଲେ ଜିଏସଟି ଅଧିକାରୀ

ଭୁବନେଶ୍ୱର ( ସତ୍ୟପାଠ ବ୍ୟୁରୋ ): ପଦ୍ମପୁର ଉପନିର୍ବାଚନ ପୂର୍ବରୁ ଏବେ ଆରମ୍ଭ ହୋଇଯାଇଛି ରେଡ୍ ରାଜନୀତି। ତେବେ ବିଜେଡି ଓ ବିଜେପି ମଧ୍ୟରେ ଏହି ଲଢେଇ ଏବେ ଭିନ୍ନ ମୋଡ ନେଇଛି। ଗତକାଲି ପାଇକମାଳରେ ଜିଏସଟି ରେଡ୍ ବେଳେ ବିଜେପି ବିଧାୟିକା କୁସୁମ ଟେଟେ ବାଧା ଦେଇଥିବା ଅଭିଯୋଗରେ ତାଙ୍କ ନାମରେ ଥାନାରେ ଏତଲା ହୋଇଛି।

ସୂଚନା ଅନୁସାରେ, ଗତକାଲି ପାଇକମାଳରେ ସିଟି ଜିଏସଟି ଚଢାଉ କରୁଥିବା ବେଳେ ଶତାଧିକ ସମର୍ଥକଙ୍କ ସହ ପହଞ୍ଚି ବାଧା ଦେଇଥିଲେ ସୁନ୍ଦରଗଡ ବିଧାୟିକା କୁସୁମ ଟେଟେ । ଚଢାଉ ସମୟରେ ଜବତ ହୋଇଥିବା କାଗଜପତ୍ର ସିଟି ଜିଏସଟି ଅଧିକାରୀଙ୍କ ଠାରୁ ଛଡାଇ ନେବାକୁ ଉଦ୍ୟମ କରିଥିଲେ କୁସୁମ ।ଯାହାର ପୂରା ଦୃଶ୍ୟ କ୍ୟାମେରାରେ କଏଦ ହୋଇଥିଲା । ସିଟି ଜିଏସଟି ଅଧିକାରୀଙ୍କ ସହ ଯୁକ୍ତିତର୍କ କରି ଧମକାଇବା ଭଳି ଘଟଣା ସାମ୍ନାକୁ ଆସିଥିଲା । ଯାହାକୁ ନେଇ ସୁନ୍ଦରଗଡ ବିଧାୟିକାଙ୍କ ନାଁରେ ଥାନାରେ ଅଭିଯୋଗ କରିଛନ୍ତି ଜିଏସଟି ଅଧିକାରୀ। ଏହାପରେ ତାଙ୍କ ନାମରେ ମାମଲା ରୁଜୁ ହୋଇଛି ।

ତେବେ କେବଳ ପାଇକମାଳ ନୁହେଁ ବରଂ ପଦ୍ମପୁରର ଏକ ଲୁଗା ଦୋକାନରେ ମଧ୍ୟ ଜିଏସଟି ଚଢାଉ ବେଳେ ବିଜେପି ନେତା ପହଞ୍ଚି ଅପ୍ରୀତିକର ପରିସ୍ଥିତି ସୃଷ୍ଟି କରିଥିବା ନେଇ ଅଭିଯୋଗ ହୋଇଥିଲା । ଏପରିକି ଲୁଗା ଦୋକାନରେ ପହଞ୍ଚି ଜିଏସଟି ଅଧିକାରୀଙ୍କ କାର୍ଯ୍ୟରେ ବିଜେପି ନେତା ବାଧା ଦେଇଥିବା ଅଭିଯୋଗ ହୋଇଥିଲା । ଯାହାକୁ ନେଇ ବିଜେଡି ପ୍ରେସମିଟ୍ କରି ବିଜେପି ଉପରେ ବର୍ଷିଥିଲା । ପଦ୍ମପୁର ଉପ-ନିର୍ବାଚନରେ ହିଂସା ମାହୋଲ ସୃଷ୍ଟି କରିବାକୁ ବିଜେପି ଉଦ୍ୟମ କରୁଥିବା କହିଥିଲା ବିଜେଡି । ଏପରିକି ବିଜେପିର ୪ ନେତାଙ୍କୁ ପଦ୍ମପୁର ପ୍ରଚାର ମୈଦାନରୁ ବିଦା କରାଯାଉ ବୋଲି ଦାବି କରିଥିଲେ ବିଜେଡି ରାଜ୍ୟସଭା ସାଂସଦ ସସ୍ମିତ ପାତ୍ର ।

Related Posts