ଯଦି ଭାରତ ଅଷ୍ଟ୍ରେଲିଆକୁ ହରାଇବାରେ ସଫଳ ନହୁଏ ତେବେ ଦଳ ଟି-୨୦ ବିଶ୍ଵ କପ୍ ଜିତି ପାରିବ ନାହିଁ: ଗୌତମ ଗମ୍ଭୀର

ନୂଆଦିଲ୍ଲୀ:ଯଦି ଭାରତ ଅଷ୍ଟ୍ରେଲିଆକୁ ହରାଇବାରେ ସଫଳ ନହୁଏ ତେବେ ଦଳ ଟି-୨୦ ବିଶ୍ଵ କପ୍ ଜିତି ପାରିବ ନାହିଁ । ଏପରି କିଛି କହିଛନ୍ତି ଭାରତୀୟ ଦଳର ପୂର୍ବତନ ଓପନିଂ ବ୍ୟାଟସମ୍ୟାନ ଗୌତମ ଗମ୍ଭୀର । ଅଷ୍ଟ୍ରେଲିଆ ବିପକ୍ଷରେ ମଙ୍ଗଳବାରଠୁ ତିନି ମ୍ୟାଚ୍ ବିଶିଷ୍ଟ ଟି-୨୦ ସିରିଜ୍ ଆରମ୍ଭ ହେବା ପୂର୍ବରୁ ଗୌତମ ଗମ୍ଭୀର ବଡ ଦାବି କରିଛନ୍ତି।

ଦୁଇ ଦଳ ସେପ୍ଟେମ୍ବର ୨୦ରୁ ଆରମ୍ଭ ହେଉଥିବା ତିନି ମ୍ୟାଚ୍‌ର ଟି-୨୦ ସିରିଜ୍‌ରେ ପରସ୍ପରର ମୁକାବିଲା ପାଇଁ ପ୍ରସ୍ତୁତ। ଏହା ପରେ ଭାରତ ଦକ୍ଷିଣ ଆଫ୍ରିକା ବିପକ୍ଷରେ ତିନି ମ୍ୟାଚ୍‌ର ଟି-୨୦ ଏବଂ ଦିନିକିଆ ସିରିଜ୍ ଖେଳିବ।

ଭାରତର ପୂର୍ବତନ ଓପନିଂ ବ୍ୟାଟସମ୍ୟାନ ଗୌତମ ଗମ୍ଭୀରଙ୍କ ମତରେ ଟି-୨୦ ବିଶ୍ଵ କପ୍ ପୂର୍ବରୁ ଅଷ୍ଟ୍ରେଲିଆ ବିପକ୍ଷ ସିରିଜ୍ ବେଶ ଗୁରୁତ୍ଵପୂର୍ଣ୍ଣ ରହିବ। କାରଣ ଯଦି ଭାରତ ଆରୋନ ଫିଞ୍ଚଙ୍କ ନେତୃତ୍ଵାଧୀନ ଅଷ୍ଟ୍ରେଲିଆକୁ ହରାଇନପାରେ ତେବେ ଦଳ ଟି-୨୦ ବିଶ୍ଵ କପ୍ ଜିତିବା ମୁସ୍କିଲ ହୋଇଯିବ। ସେ ୨୦୦୭ ଟି-୨୦ ବିଶ୍ଵ କପ୍ ଏବଂ ୨୦୧୧ ଦିନିକିଆ ବିଶ୍ଵ କପ୍‌ରେ ଅଷ୍ଟ୍ରେଲିଆ ବିପକ୍ଷ ଭାରତର ବିଜୟକୁ ମନେ ପକାଇଛନ୍ତି। ଏହି ଦୁଇ ମୁକାବିଲାରେ ଭାରତ ଅଷ୍ଟ୍ରେଲିଆକୁ ହରାଇଥିଲା।

ଗମ୍ଭୀର କହିଛନ୍ତି, ମୋର କହିବାର ଅର୍ଥ ୨୦୦୭ ଟି-୨୦ ବିଶ୍ଵ କପ୍‌କୁ ଦେଖନ୍ତୁ। ଆମେ ସେମି ଫାଇନାଲରେ ଅଷ୍ଟ୍ରେଲିଆକୁ ହରାଇଥିଲୁ। ପୁଣି ୨୦୧୧ ଦିନିକିଆ ବିଶ୍ଵ କପରେ କ୍ଵାର୍ଟର ଫାଇନାଲ୍‌ରେ ମାତ୍ ଦେଇଥିଲୁ। ଅଷ୍ଟ୍ରେଲିଆ ସବୁଠୁ ପ୍ରତିଦ୍ଵନ୍ଦ୍ଵୀ ଦଳ ମଧ୍ୟରୁ ଏକ। ତେଣୁ ଆପଣ କୌଣସି ଟୁର୍ଣ୍ଣାମେଣ୍ଟ ଜିତିବାକୁ ଚାହାନ୍ତି ତେବେ ଅଷ୍ଟ୍ରେଲିଆକୁ ହରାଇବାକୁ ପଡିବ ।

Related Posts