
ପାଟନା : ଲାଲୁ ପ୍ରସାଦ ଯାଦବଙ୍କ ବଡ଼ ପୁଅ ତେଜ ପ୍ରତାପ ଯାଦବ ଏବେ ଖୋଲିବେ ସ୍କୁଲ । ଏନେଇ ସେ ନିଜେ ତ୍ବିଟ କରି ସୂଚନା ଦେଇଛନ୍ତି । ଅଗରବତୀ ପରେ ଏଲଆର ଚାଉଳ ଓ ଏବେ ସ୍କୁଲ ଖୋଲିବେ । ଏହି ସ୍କୁଲକୁ ସେ ଗରିବ ପିଲାଙ୍କ ଲାଗି ଖୋଲିବେ ଓ ଏହାର ନାମ ‘ଲାଲୁ ପାଠଶାଲା’ ରଖାଯିବ। ଏ ବାବଦେ ତେଜ ପ୍ରତାପ ବୁଧବାର ଘୋଷଣା କରିଥିବା ବେଳେ ଖୁବ ଶୀଘ୍ର ତାଙ୍କର ‘ଏଲଆର ପାଠଶାଲା’ ଖୋଲିବାକୁ ଯାଉଥିବା କହିଛନ୍ତି।
ଏହି ସ୍କୁଲରେ କେବଳ ସେହିମାନେ ହିଁ ପଢିବାର ସୁଯୋଗ ପାଇବେ ଯେଉଁମାନେ ଗରିବ ଓ ବଞ୍ଚିତ ବୋଲି ତେଜ ପ୍ରତାପ କହିଛନ୍ତି। ଏ ବାବଦେ ତେଜ ଟ୍ୱିଟ୍ କରିଥିବା ବେଳେ ସୋନୁ ଭ୍ରଷ୍ଟ ବ୍ୟବସ୍ଥା ଉପରୁ ପର୍ଦ୍ଦା ହଟାଇ ଦେଇଥିବା ଉଲ୍ଲେଖ କରିଛନ୍ତି। ରାଜ୍ୟରେ ଏପରି ଅନେକ ସୋନୁ ଶିକ୍ଷାରୁ ବଞ୍ଚିତ ହୋଇଥିବେ ବୋଲି ତେଜ ଆକଳନ କରିଥିବା ବେଳେ ଏହି ଭ୍ରଷ୍ଟ ବ୍ୟବସ୍ଥା ଯୋଗୁ ଯେପରି କେହି ଗରିବ ଶିକ୍ଷାରୁ ବଞ୍ଚିତ ନ ରହେ ସେଥି ଲାଗି ତାଙ୍କର ଏଲଆର ପାଠଶାଲା କାମ କରିବ ବୋଲି ତେଜ ପ୍ରତାପ ଉଲ୍ଲେଖ କରିଛନ୍ତି।
ଉଲ୍ଲେଖଯୋଗ୍ୟ ଯେ ଆଜିକାଲି ବିହାରରେ ଏକ ୧୧ ବର୍ଷର ବାଳାକ ସୋନୁର ଖୁବ ଚର୍ଚ୍ଚା ହେଉଛି। ଯିଏ ନିଜ ଶିକ୍ଷାକୁ ନେଇ ମୁଖ୍ୟମନ୍ତ୍ରୀ ନିତିଶ କୁମାରଙ୍କଠାରୁ ଆରମ୍ଭ କରି ତେଜ ପ୍ରତାପଙ୍କ ଆଗରେ ତାଙ୍କର ଚିନ୍ତା ବ୍ୟକ୍ତ କରିଛନ୍ତି। ତେଜପ୍ରତାପ ମଙ୍ଗଳବାର ସୋନୁ ସହ ଭଡିଓ କଲରେ କଥା ହୋଇଥିଲେ। ଏହି ଆଲୋଚନାରେ ସୋନୁ ଆଇଏଏସ୍ ହେବ ବୋଲି ଇଛା ପ୍ରକଟ କରିଥିଲା। କଥାବାର୍ତ୍ତା କାଳରେ ଭେଟିବା ଲାଗି ମଧ୍ୟ ତେଜପ୍ରତାପଙ୍କୁ ଡାକିଥିଲା। ତେଜପ୍ରତାପ ମଧ୍ୟ ତାର ଫ୍ୟାନ ହୋଇସାରିଥିବାର ସୋନୁକୁ କହିବା ବେଳେ ଖୁବ ଶୀଘ୍ର ଭେଟିବାର ପ୍ରତିଶ୍ରୁତି ମଧ୍ୟ ଦେଇଛନ୍ତି।
ତେଜ ପ୍ରତାପ ରାଜନୀତି ସହ ଏବେ ବିଭିନ୍ନ ପ୍ରକାର ବ୍ୟବସାୟରେ ନିଜକୁ ସାମିଲ କରିଛନ୍ତି। କିଛି ମାସ ପୂର୍ବରୁ ସେ ପିତାମାତାଙ୍କ ନାମରେ ପ୍ରଥମେ ଅଗରବତୀ କମ୍ପାନୀ ସ୍ଥାପନା କରିଥିବା ବେଳେ ରାଜ୍ୟର ବିଭିନ୍ନ ସହରରେ ଏହାର କିଓସ୍କ ମଧ୍ୟ ଖୋଲିସାରିଲେଣି। ଧୂପକାଠି କାରବାର ସେଟ ହୋଇ ଆସିବା ବେଳେକୁ ଚାଉଳ ବେପାର ମଧ୍ୟ ଆରମ୍ଭ କରିଛନ୍ତି। ତେବେ ସ୍କୁଲ ସମ୍ପର୍କରେ ଘୋଷଣା ପୂର୍ବରୁ ତେଜ ପ୍ରତାପ ‘ଲାଲୁ ରୋଷେଇ’ ନାମରେ ମୁମ୍ବାଇ ସମେତ ସାରା ଦେଶରେ ଦେଶୀ ରେଷ୍ଟୁରାଣ୍ଟ ଖୋଲିବେ ବୋଲି ଘୋଷଣା କରିଥିଲେ ।