ଆସନ୍ତାକାଲି ବିଜେପିରେ ମିଶିବେ ତେଲକୋଇ ବିଧାୟକ ପ୍ରେମାନନ୍ଦ ନାୟକ

ଭୁବନେଶ୍ୱର (ସତ୍ୟପାଠ ବ୍ୟୁରୋ): ନିର୍ବାଚନ ଯେତିକି ପାଖେଇ ଆସୁଛି, ନେତାଙ୍କ ଦଳବଦଳ ପ୍ରକ୍ରିୟା ସେତିକି ବଢ଼ି ବଢ଼ି ଚାଲିଛି । ଏହି କ୍ରମରେ ଆସନ୍ତାକାଲି ବିଜେପିରେ ସାମିଲ ହେବେ ପୂର୍ବତନ ମନ୍ତ୍ରୀ ତଥା ତେଲକୋଇ ବିଧାୟକ ପ୍ରେମାନନ୍ଦ ନାୟକ ଓ ଧାମନଗରର ପୂର୍ବତନ ବିଧାୟକ ରାଜେନ୍ଦ୍ର ଦାସ । ଆଜି ବିଜେପି ରାଜ୍ୟ କାର୍ଯ୍ୟାଳୟରେ ମିଶ୍ରଣ ପର୍ବ ଅବସରରେ ଏହି ସୂଚନା ଦେଇଛନ୍ତି ଭୁବନେଶ୍ୱର ସାଂସଦ ଅପରାଜିତା ଷଡ଼ଙ୍ଗୀ |

ସୂଚନାଯୋଗ୍ୟ ଯେ, ଗତ ଅକ୍ଟୋବର ମାସରୁ ଦଳର ସଭାପତି ଓ ସଂଗଠନ ସମ୍ପାଦକଙ୍କୁୁ ଇ-ମେଲରେ ଇସ୍ତଫାପତ୍ର ପଠାଇଥିଲେ ପ୍ରେମାନନ୍ଦ ନାୟକ । ହେଲେ କେହି ତାଙ୍କ ସହ ଏନେଇ ଆଲୋଚନା ନକରିବାରୁ ବିଧାନସଭା ବଜେଟ ଅଧିବେଶନ ସମୟରେ ଗଣମାଧ୍ୟମ ସାମ୍ନାକୁ ଏକଥା ସେ ଆଣିଥିଲେ । ତେବେ ତେଲକୋଇରେ ୨୦୧୯ରେ ବିଜେପି ଟିକେଟରେ ପ୍ରେମାନନ୍ଦଙ୍କ ବିରୋଧରେ ଲଢ଼ି ହାରିଥିଲେ ଧନୁର୍ଜୟ ସିଦ୍ଧୁ । ହେଲେ ପରେ ତାଙ୍କୁ ବିଜେଡିରେ ମିଶାଯାଇଥିଲା । ଏହାକୁ ନେଇ ଅସନ୍ତୁଷ୍ଟ ଥିଲେ ପ୍ରେମାନନ୍ଦ । ପରେ ସେ ଦଳର ପ୍ରାଥମିକ ସଦସ୍ୟ ପଦରୁ ଇସ୍ତଫା ଦେଇଥିଲେ |

ସେହିପରି ଧାନନଗର ଉପନିର୍ବାଚନ ସମୟରେ ବିଜେଡି ଟିକେଟ ଦାବିଦାର ଥିଲେ ରାଜେନ୍ଦ୍ର ଦାସ । ହେଲେ ତାଙ୍କୁ ଅଣଦେଖା କରି ଅବନ୍ତୀ ଦାସଙ୍କୁ ପ୍ରାର୍ଥୀ କରିଥିଲା ବିଜେଡି । ଏହାକୁ ନେଇ ଅସନ୍ତୁୁଷ୍ଟ ଥିଲେ ରାଜୁ ଦାସ । ତେଣୁ ସେ ଉପନିର୍ବାଚନରେ ସ୍ୱାଧୀନ ଭାବେ ପ୍ରତିଦ୍ବନ୍ଦିତା କରିଥିଲେ ଓ ବିଜେଡି ତାଙ୍କୁ ନିଲମ୍ବନ କରିଥିଲା । ରାଜୁ ସ୍ୱାଧୀନ ଠିଆ ହେବା ଫଳରେ ବିଜେଡି ଭୋଟ ଭାଗ ଭାଗ ହୋଇଥିଲା ଓ ଦଳ ପରାଜୟର ସ୍ୱାଦ ଚାଖିଥିଲା |

ସେପଟେ ରାଜ୍ୟ ବିଜେପିରେ ବିଜେଡି ନେତାଙ୍କ ମିଶ୍ରଣ ପର୍ବ ଜାରି ରହିଛି | ନିକଟରେ ଗୋପାଳପୁର ବିଧାୟକ ପ୍ରଦୀପ ପାଣିଗ୍ରାହୀ, ଚିଲିକା ବିଧାୟକ ପ୍ରଶାନ୍ତ ଜଗଦ୍ଦେବ ବିଜେପିରେ ସାମିଲ ହୋଇଥିଲେ | ସେହିପରି ଆଜି ଜୟଦେବ ବିଧାୟକ ଅରବିନ୍ଦ ଢାଲି, ମାଲକାନାଗିରିର ପୂର୍ବତନ ବିଧାୟକ ମୁକୁନ୍ଦ ସୋଢ଼ି, ଦିଗପହଣ୍ଡିର ପୂର୍ବତନ ବ୍ଲକ ଅଧକ୍ଷ ବିପିନ ପ୍ରଧାନ ନିଜ ସମର୍ଥକଙ୍କ ସହିତ ବିଜେପିରେ ସାମିଲ ହୋଇଛନ୍ତି |

Related Posts