ବିଜେପି ଅପରାଧୀ ଓ ଜନବିରୋଧୀ ନେତାଙ୍କୁ ପାଛୋଟି ନେଉଛି: ବିଜେଡି

ଭୁବନେଶ୍ୱର (ସତ୍ୟପାଠ ବ୍ୟୁରୋ): ଗତ କିଛି ଦିନ ମଧ୍ୟରେ ବହୁ ସଂଖ୍ୟାରେ ବିଜେଡି ନେତା ଓ ବିଧାୟକମାନେ ଦଳ ଛାଡି ବିଜେପିରେ ସାମିଲ ହେବା ପ୍ରସଙ୍ଗକୁ ନେଇ ପ୍ରତିକ୍ରିୟା ରଖିଛି ବିଜେଡି । ଦଳର ମୁଖପାତ୍ର ସ୍ୱୟଂ ପ୍ରକାଶ ମହାପାତ୍ର କହିଛନ୍ତି, ୨୦୧୯ ମସିହାରେ ଯେଉଁ ନେତାମାନଙ୍କୁ ବିଜେଡି ଟିକେଟ ଦେବା ସମ୍ଭାବନା ନଥିଲା କି ବିଜେଡିରେ ସ୍ଥାନ ନଥିଲା । ସେହି ନେତାଙ୍କୁ ବିଜେପି କୋଳେଇ ନେଇଥିଲା ।

ହେଲେ ୨୦୨୪ରେ ବିଜେପି ଆଉ ପାଦେ ଆଗକୁ ଯାଇ ଜଘନ୍ୟ ଅପରାଧୀ, ଜନବିରୋଧୀ, ଟିକେଟ ନପାଇବା ନେତାଙ୍କୁ ନିଜ ଦଳକୁ ପାଛୋଟି ନେଉଛି । ଏଥିରୁ ଗୋଟିଏ କଥା ସ୍ପଷ୍ଟ ନୂଆ ନେତା ସୃଷ୍ଟି କରିବାରେ ବିଜେପି ଅସମର୍ଥ । ଏହା ବିଜେପି ଅପାରଗତାକୁ ଇଙ୍ଗିତ କରୁଛି । ଏପରି ନେତାଙ୍କୁ ରାଜ୍ୟବାସୀ କେବେ ବି ଗ୍ରହଣ କରିବେ ନାହିଁ ବୋଲି କହିଛନ୍ତି ବିଜେଡି ମୁଖପାତ୍ର ସ୍ୱୟଂ ପ୍ରକାଶ ମହାପାତ୍ର ।

ସୂଚନାଯୋଗ୍ୟ ଯେ, ନିକଟରେ ଗୋପାଳପୁର ବିଧାୟକ ପ୍ରଦୀପ ପାଣିଗ୍ରାହୀ, ଚିଲିକା ବିଧାୟକ ପ୍ରଶାନ୍ତ ଜଗଦ୍ଦେବ ବିଜେପିରେ ସାମିଲ ହୋଇଥିଲେ | ସେହିପରି ଆଜି ଜୟଦେବ ବିଧାୟକ ଅରବିନ୍ଦ ଢାଲି, ମାଲକାନାଗିରିର ପୂର୍ବତନ ବିଧାୟକ ମୁକୁନ୍ଦ ସୋଢ଼ି, ଦିଗପହଣ୍ଡିର ପୂର୍ବତନ ବ୍ଲକ ଅଧକ୍ଷ ବିପିନ ପ୍ରଧାନ ନିଜ ସମର୍ଥକଙ୍କ ସହିତ ବିଜେପିରେ ସାମିଲ ହୋଇଛନ୍ତି | ସେହିପରି ଆସନ୍ତାକାଲି ଟେଳାକୋଇର ବିଧାୟକ ପ୍ରେମାନନ୍ଦ ନାୟକ ଓ ଧାମନଗରର ପୂର୍ବତନ ବିଧାୟକ ରାଜେନ୍ଦ୍ର ଦାସ ବିଜେପିରେ ସାମିଲ ହେବେ ବୋଲି ସୂଚନା ମିଳିଛି |

Related Posts