ଭୁବନେଶ୍ୱର(ସତ୍ୟପାଠ ବ୍ୟୁରୋ): ଉତ୍ତରପ୍ରଦେଶର ବାନ୍ଦାରେ ଲଗାତାର ୪ ଦିନ ଧରି ତାପମାତ୍ରା ୪୮.୨ ଡିଗ୍ରି । ବାନ୍ଦା ବାସିନ୍ଦାଙ୍କ ପାଇଁ ଏହା ବାସ୍ତବରେ ଏକ ‘ଅଗ୍ନି ପରୀକ୍ଷା’ର ସମୟ। ଦିନ କଥା ଛାଡ଼। ରାତି ତାପମାତ୍ରା ବି କମିବାର ନାଁ ଧରୁନି। ଅସହ୍ୟ ତାତିରେ ଲୋକ ଆଉଟୁପାଉଟୁ ହେଉଥିବାବେଳେ ଆଇଏମ୍‌ଡି (ଭାରତୀୟ ପାଣିପାଗ ବିଭାଗ) ଆସନ୍ତା ୨ ଦିନ ପର୍ଯ୍ୟନ୍ତ ରାଜ୍ୟ‌ରେ ଅତି ସାଂଘାତିକ ଗ୍ରୀଷ୍ମଲହରୀ ସ୍ଥିତି ନେଇ ରେଡ ଆଲର୍ଟ ଜାରି କରିଛି। ବାନ୍ଦାରେ ତାତି ବଢ଼ୁଥିବାରୁ ସାଧାରଣ ଜନଜୀବନ ବାଧାପ୍ରାପ୍ତ ହୋଇଛି ଏବଂ ଅଂଶୁଘାତ ମାମଲା ମଧ୍ୟ ବଢ଼ିଛି।

ଭାରତର ଏବେ ସବୁଠାରୁ ଉତ୍ତପ୍ତ ସହର ପାଲଟିଥିବା ବାନ୍ଦାରେ ଏବେ ପୂର୍ବାହ୍ନ ୧୦ଟା ସୁଦ୍ଧା ସବୁ ଦୋକାନ ବଜାର ବନ୍ଦ ହୋଇଯାଉଛି। ୧୦ଟା ପରେ ବାନ୍ଦା ବଜାର ଜନଶୂନ୍ୟ ପାଲଟି ଯାଉଛି। ଦିନ ବଢ଼ିବା ସହ ସହରରେ କେବଳ ନିରବତା ଦେଖିବାକୁ ମିଳୁଛି। ଅନ୍ୟପକ୍ଷେ ବିହାରରେ ମଧ୍ୟ ଏବେ ଗ୍ରୀଷ୍ମଲହରୀ ସ୍ଥିତି ଜାରି ରହିଛି। ବିହାରରେ ତାପମାତ୍ରା ୪୦ ଡିଗ୍ରି ଟପିଥିବାବେଳେ ଆଗାମୀ ୪ ଦିନ ପର୍ଯ୍ୟନ୍ତ ଗ୍ରୀଷ୍ମଲହରୀ ସ୍ଥିତି ଜାରି ରହିବ ବୋଲି ଆଇଏମ୍‌ଡି ଆକଳନ କରିଛି।