ସରକାରଙ୍କ ନିୟନ୍ତ୍ରଣରେ ମନ୍ଦିର ଗୁଡ଼ିକ ରହିବା ଉଚିତ ନୁହେଁ: ସୁବ୍ରମଣ୍ୟମ ସ୍ୱାମୀ

ଭୁବନେଶ୍ୱର(ସତ୍ୟପାଠ ବ୍ୟୁରୋ): ବରିଷ୍ଠ ବିଜେପି ନେତା ସୁବ୍ରମଣ୍ୟମ ସ୍ୱାମୀ ପୁରୀ ଗସ୍ତରେ ଆସି ମହାପ୍ରଭୁଙ୍କୁ ଦର୍ଶନ କରିବା ସହ ଜଗତଗୁରୁ ଶଙ୍କରାଚାର୍ଯ୍ୟଙ୍କୁ ମଧ୍ୟ ଭେଟିଛନ୍ତି । ଏହା ମଧ୍ୟରେ ବିଜେପି ନେତା ଶ୍ରୀମନ୍ଦିର ପରିକ୍ରମା ପ୍ରକଳ୍ପକୁ ନେଇ ପ୍ରତିକ୍ରିୟା ଦେଇଥିବାର ଦେଖିବାକୁ ମିଳିଛି । ତେବେ ପରିକ୍ରମା ପ୍ରକଳ୍ପ ମାମଲା ଏବେ କୋର୍ଟରେ ବିଚରାଧୀନ ରହିଛି । ତେଣୁ ସେ ବିଷୟରେ କିଛି ମନ୍ତବ୍ୟ ଦେବାକୁ ଚାହୁଁନାହିଁ । ଓଡ଼ିଶା ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ପିତା ବିଜୁ ପଟ୍ଟନାୟକ ମୋର ଜଣେ ଭଲ ବନ୍ଧୁ ଥିଲେ । ମୁଖ୍ୟମନ୍ତ୍ରୀଙ୍କ ସହ ଏହି ପ୍ରସଙ୍ଗରେ ଆଲୋଚନା କରିବି । ସେହିଭଳି ମନ୍ଦିର ସବୁବେଳେ ବିଚାରାଧାରାର କେନ୍ଦ୍ର । ତେଣୁ ସରକାରଙ୍କ ନିୟନ୍ତ୍ରଣରେ ମନ୍ଦିର ରହିବା ଉଚିତ ନୁହେଁ ବୋଲି ବରିଷ୍ଠ ବିଜେପି ନେତା ସୁବ୍ରମଣ୍ୟମ ସ୍ୱାମୀ କହିଛନ୍ତି । ସେପଟେ ଶଙ୍କରାଚାର୍ଯ୍ୟଙ୍କୁ ଭେଟିବା ପୂର୍ବରୁ ସୁବ୍ରମଣ୍ୟମ ସ୍ୱାମୀଙ୍କୁ ଅନେକ ବ୍ୟକ୍ତି ତାଙ୍କୁ ପରିକ୍ରମା ପ୍ରକଳ୍ପ ସମ୍ପର୍କରେ ଅବଗତ କରାଇଥିଲେ । ମାତ୍ର ଏନେଇ ଶଙ୍କରାଚାର୍ଯ୍ୟଙ୍କ ସହିତ ଆଲୋଚନା ହୋଇନାହଁ । ବିରାଟ ହିନ୍ଦୁସ୍ତାନ ସଙ୍ଗମର ମହାମନ୍ତ୍ରୀ ଓ ଅନ୍ୟ କର୍ମକର୍ତ୍ତାଙ୍କ ସହ ସେ ଶଙ୍କରାଚାର୍ଯ୍ୟଙ୍କୁ ନିମନ୍ତ୍ରଣ ଦେବା ପାଇଁ ସେ ଏଠାକୁ ଆସିଥିଲେ । ଟ୍ରାଭଙ୍କୋର ରାଜବଂଶର ଏକ କାର୍ଯ୍ୟକ୍ରମ ଏବଂ ପଦ୍ମନାଭ ସ୍ୱାମୀ ମନ୍ଦିର କାର୍ଯ୍ୟକ୍ରମରେ ଯୋଗଦେବା ପାଇଁ ଶଙ୍କରାଚାର୍ଯ୍ୟଙ୍କୁ ନିମନ୍ତ୍ରଣ କରାଗଲା । ଏହି ଅବସରରେ ଦେଶର ରାଜନୈତିକ ସ୍ଥିତି, ସୀମା ସଙ୍କଟ, ରାଜ୍ୟସ୍ତରୀୟ ପ୍ରସଙ୍ଗ ଉପରେ ଆଲୋଚନା ହୋଇଛି । ଅନ୍ୟପକ୍ଷରେ ଶଙ୍କରାଚାର୍ଯ୍ୟ କହିଛନ୍ତି ଚୀନ ବୈଦେଶିକ କୁଟନୀତି ଭାରତର ରାଜନୈତିକ ବ୍ୟବସ୍ଥାକୁ ପ୍ରଭାବିତ କରୁଛି ।

ଭାରତର ବୈଦେଶିକ ନୀତି ଦୁର୍ବଳ ହୋଇ ପଡ଼ିଛି । ନେହେରୁଙ୍କ ସମୟରୁ ବର୍ତ୍ତମାନ ପର୍ଯ୍ୟନ୍ତ ଚୀନ କୁଟନୀତିକୁ ମୁକାବିଲାରେ କରିବାରେ ଭାରତ ବିଫଳ ହେଉଛି । ଚୀନ ଭାରତ ପାଇଁ ବଡ଼ ସଙ୍କଟରେ ପରିଣତ ହୋଇଛି । ସୁବ୍ରମଣ୍ୟମ ଅର୍ଥଶାସ୍ତ୍ରର ଜଣେ ଶ୍ରେଷ୍ଠ ବିଦ୍ୱାନ । ଦେଶ ବିଦେଶରେ ତାଙ୍କର ଖ୍ୟାତି ରହିଛି । ଏଣୁ ସୀମା ବିବାଦ ଓ ଅର୍ଥନୀତିକ ପ୍ରସଙ୍ଗରେ ତାଙ୍କ ସହ ଆଲୋଚନା କରିଛି । ସେହିଭଳି ଧାର୍ମିକ ଏବଂ ଆଧ୍ୟାମିକ ଅନୁଷ୍ଠାନ ସର୍ବଦା ଧାର୍ମିକ ଗୁରୁମାନଙ୍କ ଦ୍ୱାରା ନିୟନ୍ତ୍ରିତ ଓ ପରିଚାଳିତ ହେବା ଉଚିତ । ସରକାର ସହଯୋଗ କରନ୍ତୁ ମାତ୍ର ହସ୍ତକ୍ଷେପ ନକରିବା ଉଚିତ । ମନ୍ଦିର ସୁରକ୍ଷା ପାଇଁ ସରକାର ସହଯୋଗ କରିବା ଉଚିତ । ମଠ ଓ ମନ୍ଦିରକୁ ସରକାର ପ୍ରଥମେ ଧ୍ୱଂସ କରିଦେଲେ । ଏବେ ମଠର ନବୀକରଣ କରିବାକୁ ଚାହୁଁଛନ୍ତି । ଯଦି ସରକାର ମଠର ସପକ୍ଷବାଦୀ ତେବେ ମଠ ଭାଙ୍ଗିଲେ କାହିଁକି । ସରକାର ଧାର୍ମିକସ୍ଥଳୀରେ କୌଣସି ବିକାଶ କିମ୍ବା ପରିବର୍ତ୍ତନ କରିବାକୁ ଚାହୁଁଥିଲେ ମୋ’ ସହ ସମ୍ପର୍କ କରନ୍ତୁ । ମାତ୍ର ସରକାର କୌଣସି ଭୁଲ ପଦକ୍ଷେପ ନେଲେ ମୁଁ ଚୁପ ରହିବି ନାହିଁ । ଅନ୍ୟପକ୍ଷରେ ସୁବ୍ରମଣ୍ୟମଙ୍କ ସହିତ ଶ୍ରୀମନ୍ଦିର ପରିକ୍ରମା ପ୍ରକଳ୍ପ ସମ୍ପର୍କରେ ତାଙ୍କର କୌଣସି ଆଲୋଚନା ହୋଇ ନାହିଁ ବୋଲି ଶଙ୍କରାଚାର୍ଯ୍ୟ ସ୍ପଷ୍ଟ କରିଛନ୍ତି । ଏ ଖବର ସାମ୍ନାକୁ ଆସିବା ପରେ ସାରା ରାଜ୍ୟର ରାଜନୈତିକ ମାହୋଲ ବେଶ ଚଳଚଞ୍ଚଳ ହୋଇ ଉଠିଛି ।

Related Posts