ଭୁବନେଶ୍ୱର(ସତ୍ୟପାଠ ବ୍ୟୁରୋ): ଦିଲ୍ଲୀର ଜାମିଆ ନଗରରେ ମେଟ୍ରୋ ପାର୍କିଂରେ ଭୟଙ୍କର ଅଗ୍ନିକାଣ୍ଡ । ସେପଟେ ପାର୍କିଙ୍ଗ୍ରେ ଭୀଷଣ ଅଗ୍ନିକାଣ୍ଡ ଘଟି ଶତାଧିକ ଇ-ରିକ୍ସା ଏବଂ ଅନ୍ୟାନ୍ୟ ଗାଡ଼ି ପୋଡ଼ିଯାଇଛି ବୋଲି ଦିଲ୍ଲୀ ଅଗ୍ନିଶମ ସେବା କହିଛି। ଓଖଲା ବିହାର ଥାନାର ଏସ୍ ଆଇ ଫେତହ ଚନ୍ଦ କହିଛନ୍ତି, ଅଗ୍ନିକାଣ୍ଡ ଯୋଗୁ ମେଟ୍ରୋ ପାର୍କିଂରେ ଥିବା ୧୦ଟି କାର୍, ଗୋଟିଏ ବାଇକ୍, ଦୁଇଟି ସ୍କୁଟି, ୩୦ଟି ନୂଆ ଇ-ରିକ୍ସା, ୫୦ଟି ପୁରୁଣା ଇ-ରିକ୍ସା ଜଳି ଯାଇଛି। ତେବେ ଆଶ୍ୱସ୍ତକର କଥା ଯେ, ଏଥିରେ କେହି ମୃତାହତ ହୋଇନାହାନ୍ତି।ତେବେ କେଉଁ କାରଣରୁ ଏହି ଅଗ୍ନିକାଣ୍ଡ ଘଟିଛି ସେ ନେଇ କିଛି ସ୍ପଷ୍ଟ ସୂଚନା ମିଳିନାହିଁ।
ସଟ୍ ସର୍କିଟ୍ରୁ ଏହି ନିଆଁ ଲାଗିଥାଇପାରେ ବୋଲି ସନ୍ଦେହ କରାଯାଉଛି। ଗ୍ରୀଷ୍ମ ପ୍ରବାହ ଚାଲିଥିବା ବେଳେ ଗତ କେତେ ସପ୍ତାହ ହେବ ଦିଲ୍ଲୀରେ କ୍ରମାଗତ ଅଗ୍ନିକାଣ୍ଡ ଘଟଣା ରିପୋର୍ଟ ହୋଇଆସୁଛି। ସେଥିରୁ ମୁଣ୍ଡକାରେ ଘଟିଥିବା ଅଗ୍ନିକାଣ୍ଡଟି ସବୁଠୁ ଭୟାବହ ଥିଲା। ଏଥିରେ ୨୭ଜଣ ଲୋକଙ୍କର ମୃତ୍ୟୁ ଘଟିଥିଲା ଏବଂ ଅନେକ ଆହତ ହୋଇଥିଲେ। ଏ ଖବର ସାମ୍ନାକୁ ଆସିବା ପରେ ସାରା ଦେଶରେ ଏନେଇ ଚର୍ଚ୍ଚା ଜୋର ଧରିବାରେ ଲାଗିଛି ।
