ବିଶ୍ୱକପ ହାରକୁ ନେଇ ନେତାଙ୍କ ଶସ୍ତା ବୟାନବାଜୀ ଜାରି; ଜଣାନ୍ତୁ କଣ କହିଲେ ମମତା ଓ ହିମନ୍ତା

ଭୁବନେଶ୍ୱର (ସତ୍ୟପାଠ ବ୍ୟୁରୋ): ଦିନିକିଆ ବିଶ୍ୱକପ ଫାଇନାଲରେ ଭାରତ ଅଷ୍ଟ୍ରେଲିଆଠାରୁ ହାରିବା ପରେ ଏହାକୁ ନେଇ ଥମିବାର ନାଁ ନେଉନି ନେତାଙ୍କ ଶସ୍ତା ବୟାନବାଜୀ | ପ୍ରଥମେ ଭାରତ ବିଶ୍ୱକପ ହାରିବା ପାଇଁ କଂଗ୍ରେସ ନେତା ରାହୁଲ ଗାନ୍ଧୀ ପ୍ରଧାନମନ୍ତ୍ରୀ ମୋଦିଙ୍କୁ ପନୌତି ବୋଲି କହି ଟାର୍ଗେଟ କରିବା ପରେ ଏବେ ଜଣେ ପରେ ଜଣେ ଜାତୀୟ ସ୍ତରର ନେତାଙ୍କ ଶସ୍ତା ବୟାନ ଆସିବା ଆରମ୍ଭ ହୋଇଯାଇଛି | ଅବଶ୍ୟ ରାହୁଲଙ୍କ ବିରୋଧରେ ବିଜେପି ନିର୍ବାଚନ କମିଶନଙ୍କ ନିକଟରେ ଫେରାଦ ହେବା ପରେ ଏବେ ନିର୍ବାଚନ କମିଶନ ରାହୁଲଙ୍କୁ କାରଣଦର୍ଶାଅ ନୋଟିସ ଜାରି କରିଛନ୍ତି | ତେବେ ଭାରତର ବିଶ୍ୱକପ ହାରକୁ ନେଇ ଏବେ ପଶ୍ଚିମବଙ୍ଗ ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀ ଓ ଆସାମ ମୁଖ୍ୟମନ୍ତ୍ରୀ ତଥା ବିଜେପି ନେତା ହିମନ୍ତା ବିଶ୍ୱ ଶର୍ମାଙ୍କ ଶସ୍ତା ବୟାନ ସାମ୍ନାକୁ ଆସିଛି |

ପଶ୍ଚିମବଙ୍ଗ ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀ ଗତକାଲି ଏକ କାର୍ଯ୍ୟକ୍ରମରେ ପ୍ରଧାନମାନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ନାଁ ନନେଇ କହିଛନ୍ତି ଯେ, ଭାରତ ପ୍ରଥମ 10 ଟି ମ୍ୟାଚ ଜିତିଲା ହେଲେ ପାପୀ ଦେଖିବାକୁ ଯାଇଥିବା ଫାଇନାଲ ମ୍ୟାଚ ହାରିଗଲା | ଏଥିସହିତ ବିଶ୍ୱକପ ଫାଇନାଲ ମ୍ୟାଚ ଅହମ୍ମଦାବାଦରେ ନହୋଇ କୋଲକାତା କିମ୍ବା ମୁମ୍ବାଇରେ ହୋଇଥିଲେ ଭାରତ ନିଶ୍ଚିତ ଜିତିଥାନ୍ତା ବିଲି ମମତା କହିଛନ୍ତି | ଏଥିସହିତ ଟିମ ଇଣ୍ଡିଆର ପ୍ରାକ୍ଟିସ ଜର୍ସିର ଗେରୁଆ ରଙ୍ଗକୁ ନେଇ ସେ ବିଜେପିକୁ ଟାର୍ଗେଟ କରିଛନ୍ତି | ବିଜେପି ସରକାର ଖେଳାଳିମାନଙ୍କୁ ଗେରୁଆ ଜର୍ସି ପିନ୍ଧିବାକୁ ବାଧ୍ୟ କରିଥିଲେ ବୋଲି ମମତା ଅଭିଯୋଗ କରିଛନ୍ତି |

ଅନ୍ୟପଟେ ଆସାମ ମୁଖ୍ୟମନ୍ତ୍ରୀ ହିମନ୍ତା ବିଶ୍ୱ ଶର୍ମା ମଧ୍ୟ ପଛରେ ନାହାନ୍ତି | ଏକ ସଭାରେ ଅତ୍ୟନ୍ତ ଶସ୍ତା ବୟାନ ଦେଇ ହିମନ୍ତା କହିଛନ୍ତି ଯେ, ବିଶ୍ୱକପ ଫାଇନାଲ ଦିନ ଇନ୍ଦିରା ଗାନ୍ଧୀଙ୍କ ଜନ୍ମ ଜୟନ୍ତୀ ଥିଲା, ସେଥିପାଇଁ ଭାରତ ହାରିଗଲା | ତେବେ ଏହି ଦିନକୁ ଛାଡି ଅନ୍ୟ ଯେକୌଣସି ଦିନରେ ଫାଇନାଲ ହୋଇଥିଲେ ଭାରତ ନିଶ୍ଚୟ ଜିତିଥାନ୍ତା ବୋଲି ସେ କହିଛନ୍ତି | ତେବେ ପ୍ରଥମେ ରାହୁଲ ଓ ଏବେ ମମତା ଓ ହିମନ୍ତାଙ୍କ ଭଳି ସାମ୍ବିଧାନିକ ପଦରେ ଥିବା ଦେଶର ବଡ଼ ବଡ ନେତା ମାନେ ଏଭଳି ଶସ୍ତା ମନ୍ତବ୍ୟ ଦେବାକୁ ନେଇ ବୁଦ୍ଧିଜୀବୀ ମହଲରେ ନାପସନ୍ଦ କରାଯାଇଛି |

Related Posts