ମଧ୍ୟାହ୍ନ ଭୋଜନ ଚାଉଳ ପାଇଁ ଗଲା ଭାରପ୍ରାପ୍ତ ପ୍ରଧାନ ଶିକ୍ଷକଙ୍କ ଚାକିରି

ଯାଜପୁର: ଯାଜପୁର ଜିଲ୍ଲା ଦଶରଥପୁର ବ୍ଲକ କୁଆଁରପୁର ନୋଡାଲ ଉଚ ମାଧ୍ୟମିକ ବିଦ୍ୟାଳୟର ଭାରପ୍ରାପ୍ତ ପ୍ରଧାନ ଶିକ୍ଷକ ନିଲମ୍ବିତ । ନିରୀହ ଛାତ୍ରଛାତ୍ରୀଙ୍କ ପାଇଁ ଆସୁଥିବା ମଧ୍ୟାହ୍ନ ଭୋଜନ ଚାଉଳ ହଡ଼ପ କରିବା ଏଥିସହ ସହାୟତା ଅର୍ଥ ରାଶିକୁ ବି ହଡ଼ପ କରିବା ଅଭିଯୋଗ ରେ ସତ୍ୟ ସାମ୍ନା କୁ ଆସିବା ପରେ ନିଲମ୍ବିତ ହୋଇଛନ୍ତି ଶିକ୍ଷକ । ନିଲମ୍ବିତ ଶିକ୍ଷକଜଣକ ହେଲେ ଭାରପ୍ରାପ୍ତ ପ୍ରଧାନ ଶିକ୍ଷକ ସଞ୍ଜୟ ନାୟକ ।

କୋଭିଡ କଟକଣା ବେଳେ ୨୦୨୦–୨୧ ଓ ୨୨ ମସିହା ଯାଏ ଆସିଥିବା ମଧ୍ୟାହ୍ନ ଭୋଜନ ଅର୍ଥକୁ କିଛି ବାଣ୍ଟି ବାକି ସ୍କୁଲ କର୍ତ୍ତୃପକ୍ଷ ହରିଲୁଟ କରିଥିବା ଅଭିଯୋଗ ଆଣିଥିଲେ ଅଭିଭାବକ । ଏହି ଘଟଣାକୁ ନେଇ କିଛି ଦିନ ପୂର୍ବେ ତାତିଥିବା ଅଭିଭାବକ ପ୍ରଥମେ ପ୍ରଧାନ ଶିକ୍ଷକ ପରେ ବିଇଓଙ୍କୁ ଘଣ୍ଟା ଘଣ୍ଟା ଅଟକାଇଥିଲେ । କୋଭିଡ ସମୟରେ ସରକାର ୧୦ କିସ୍ତି ଆକାରରେ ୪ ଲକ୍ଷରୁ ଊର୍ଦ୍ଧ୍ୱ ଅର୍ଥ ଓ ଚାଉଳ ପ୍ରଦାନ କରିଥିଲେ । କିନ୍ତୁ ଭାରପ୍ରାପ୍ତ ପ୍ରଧାନ ଶିକ୍ଷକ ସଂଜୟ ନାୟକ ୪ କିସ୍ତି ଅର୍ଥ ଓ ଚାଉଳ ଦେଇଥିବା ବେଳେ ବାକି କୁଆଡେ ଗଲା ତାହା ତୁରନ୍ତ ପ୍ରଦାନ କରିବାକୁ ଦାବୀ କରି ବିଇଓଙ୍କୁ ଘେରାଉ କରିଥିଲେ ଗ୍ରାମବାସୀ ।

ଘଟଣା ସ୍ଥଳରେ ବ୍ଲକ ଶିକ୍ଷାଧିକାରୀ ପହଞ୍ଚି ତଦନ୍ତ କରିଥିଲେ। ଏହି ସମୟରେ ଭାରପ୍ରାପ୍ତ ପ୍ରଧାନ ଶିକ୍ଷକ ଛୁଟିରେ ରହିଯାଇଥିଲେ। ଫଳରେ ବକେୟା ଅର୍ଥ ଓ ଚାଉଳ ପ୍ରଦାନ କରିବା ସହ ତୁରନ୍ତ ତାଙ୍କୁ ବଦଳି କରିବାକୁ ଦାବୀ କରି ବିଇଓଙ୍କୁ ଅଟକାଇଥିଲେ ଗ୍ରାମବାସୀ । ୭ ଦିନ ଭିତରେ ଜିଲ୍ଲା ଶିକ୍ଷାଧିକାରୀଙ୍କୁ ଅବଗତ କରି କାର୍ଯ୍ୟାନୁଷ୍ଠାନ ନେବା ପ୍ରତିଶ୍ରୁତି ପରେ ଗ୍ରାମବାସୀ ଶାନ୍ତ ପଡିଥିଲେ । ଏନେଇ ଗଣମାଧ୍ୟମରେ ଖବର ପ୍ରକାଶିତ ହେବା ପରେ ଏହାକୁ ନେଇ ପ୍ରବଳ ତନାଘନା ହୋଇଥିଲା। ଆଉ ଶେଷରେ ଭାରପ୍ରାପ୍ତ ପ୍ରଧାନ ଶିକ୍ଷକଙ୍କୁ ନିଲମ୍ବନ କରିଛନ୍ତି ବ୍ଳକ ଶିକ୍ଷାଧୀକାରୀ ।

Related Posts