ଆଉ ଦୁଇ ନୂଆ ବିଚାରପତିଙ୍କ ନିଯୁକ୍ତିକୁ ମିଳିଲା ମଞ୍ଜୁରୀ, ପୂର୍ଣ୍ଣ ହେଲା ସୁପ୍ରିମକୋର୍ଟର ସମସ୍ତ ବିଚାରପତି ଆସନ

ଭୁବନେଶ୍ୱର,୧୦/୨(ସତ୍ୟପାଠ ବ୍ୟୁରୋ): ପୂରଣ ହେଲା ସୁପ୍ରିମକୋର୍ଟର ସମସ୍ତ ବିଚାରପତି ପଦବୀ। ସର୍ବୋଚ୍ଚ ନ୍ୟାୟାଳୟରେ ଆଉ ଦୁଇ ବିଚାରପତିଙ୍କ ନିଯୁକ୍ତି ସୁପାରିଶକୁ କେନ୍ଦ୍ର ସରକାରଙ୍କ ମଞ୍ଜୁରୀ ମିଳିଛି।ଆଲାହାବାଦ ହାଇକୋର୍ଟର ମୁଖ୍ୟ ବିଚାରପତି ଜଷ୍ଟିସ୍‌ ରାଜେଶ ବିନ୍ଦଲ ଏବଂ ଗୁଜରାଟ ହାଇକୋର୍ଟର ମୁଖ୍ୟ ବିଚାରପତି ଅରବିନ୍ଦ କୁମାରଙ୍କୁ ସୁପ୍ରିମକୋର୍ଟ ବିଚାରପତି ଭାବରେ ନିଯୁକ୍ତ କରାଯାଇଛି। ସୁପ୍ରିମକୋର୍ଟ କଲେଜିୟମ ତରଫରୁ ଉଭୟଙ୍କ ନାମ ସୁପାରିଶ କରାଯାଇଥିଲା। ନିଯୁକ୍ତି ସମ୍ପର୍କରେ କେନ୍ଦ୍ର ଆଇନ ମନ୍ତ୍ରୀ କିରଣ ରଜିଜ୍ଜୁ ଟ୍ୱିଟ୍‌ କରି ସୂଚନା ଦେଛନ୍ତି।

ଆଉ ଉଭୟଙ୍କ ନାମରେ ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ ମୋହର ଲଗାଇଛନ୍ତି। ଏହି ଦୁଇ ବିଚାରପତିଙ୍କ ନିଯୁକ୍ତ ସହ ସୁପ୍ରିମକୋର୍ଟ ଫୋରମ୍ ପୂରଣ ହୋଇଛି। ସୁପ୍ରିମକୋର୍ଟରେ ଥିବା ସମୁଦାୟ ୩୪ ବିଚାରପତି ପଦ ଏବେ ପୂରଣ ହୋଇଛି।

ତେବେ ଗତ ସପ୍ତାହରେ କେନ୍ଦ୍ର ସରକାର ସୁପ୍ରିମକୋର୍ଟରେ ୫ ନୂଆ ବିଚାରପତିଙ୍କ ନାମକୁ ମଞ୍ଜୁରୀ ଦେଇଥିଲେ। ଏହି ୫ ନୂଆ ବିଚାରପତିଙ୍କ ନିଯୁକ୍ତି ପରେ ସୁପ୍ରିମକୋର୍ଟଙ୍କ ସମୁଦାୟ ବିଚାରପତି ସଂଖ୍ୟା ୩୨ ରେ ପହଞ୍ଚିଥିଲା। ଆଉ ଶୁକ୍ରବାର ଆଉ ୨ ବିଚାରପତିଙ୍କ ନିଯୁକ୍ତ ହେବା ଫଳରେ ଏ​‌ବେ ସମୁଦାୟ ବିଚାରପତିଙ୍କ ସଂଖ୍ୟା ୩୪ ରେ ପହଞ୍ଚିଛି। ଏବେ ସୁପ୍ରିମକୋର୍ଟରେ ବିଚାରପତି ପଦରେ ଖାଲି ନାହିଁ।

ତେବେ ଗତ ଦୁଇମାସ ଧରି ସୁପ୍ରିମକୋର୍ଟ କଲେଜିୟମ ଓ କେନ୍ଦ୍ର ସରକାରଙ୍କ ବିବାଦୀୟ ପରିସ୍ଥିତି ପରେ ସରକାର ୫ ବିଚାରପତିଙ୍କ ନାମକୁ ମଞ୍ଜୁର କରିଥିଲେ। ଗତ ଶନିବାର ନାମର ବିଜ୍ଞପ୍ତି ଜାରି କରାଯାଇଥିଲା ଏବଂ ସୋମବାର ବିଚାରପତିମାନେ ଶପଥ ଗ୍ରହଣ କରିଥିଲେ। ସୂଚନାଯୋଗ୍ୟ, କେନ୍ଦ୍ର ସରକାରଙ୍କ ତରଫରୁ କେନ୍ଦ୍ର ଆଇନ ମନ୍ତ୍ରୀ କିରଣ ରଜିଜ୍ଜୁ ଅନେକ ଥର ବିଚାରପତି ନିଯୁକ୍ତି ପାଇଁ ଥିବା କଲେଜିୟମ ପ୍ରକ୍ରିୟା ଉପରେ ପ୍ରଶ୍ନ ଉଠାଯାଇଥିଲା।

Related Posts