ପେଗାସସ୍ ସ୍କାଣ୍ଡେଲର ଯାଞ୍ଚ୍ ପାଇଁ ପ୍ୟାନେଲ ଗଠନ କଲେ ବେଙ୍ଗଲ ସରକାର, ସମ୍ଭାବ୍ୟ ହ୍ୟାକିଂ ତାଲିକାରେ ଥିଲା ଅଭିଷେକ ବାନାର୍ଜୀଙ୍କ ନାଁ

(ସତ୍ୟପାଠ ବ୍ୟୁରେ) ଭୁବନେଶ୍ୱର : ପେଗାସସ୍ ବିବାଦ ଦିନକୁ ଦିନ ଉଗ୍ର ରୂପ ନେଉଛି। ବର୍ତ୍ତମାନ ପଶ୍ଚିମବଙ୍ଗ ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀ ରାଜ୍ୟରେ ପେଗାସସ୍ ଫୋନ୍ ହ୍ୟାକିଂ ସ୍କାମର ଯାଞ୍ଚ ପାଇଁ ଏକ ପ୍ୟାନେଲ୍ ଗଠନ କରିଛନ୍ତି।  ଏହି ପ୍ୟାନେଲର ଅବସରପ୍ରାପ୍ତ ବିଚାରପତି ଏମ.ଭି ଲୋକର ଏବଂ ଜ୍ୟୋତିର୍ମୟୀ ଭଟ୍ଟାଚାର୍ଯ୍ୟ ଅଧ୍ୟକ୍ଷତା କରିବେ।  ତୃଣମୂଳ କଂଗ୍ରେସ ସାଂସଦ ତଥା ମମତା ବାନାର୍ଜୀଙ୍କ ଭଣଜା ଅଭିଷେକ ବାନାର୍ଜୀଙ୍କ ଫୋନ୍ ଇସ୍ରାଏଲ୍ ଦ୍ୱାରା ପ୍ରସ୍ତୁତ ପେଗାସସ୍ ସ୍ପାଏୱେୟାର ମାଧ୍ୟମରେ ହୋଇଥିବା ନେଇ ରିପୋର୍ଟ ପ୍ରକାଶ ପାଇଥିଲା। 

ଅଭିଷେକ ବାନାର୍ଜୀଙ୍କ ଫୋନ୍ ଟ୍ୟାପିଂ ଅଭିଯୋଗ ଆସିବା ପରେ ଏହି ନିଷ୍ପତ୍ତି ନିଆଯାଇଛି।  ଏହି ହ୍ୟାକିଂ କିପରି କରାଯାଇଥିଲା ସେନେଇ ତଦନ୍ତ ହେବ ବୋଲି ମମତା କହିଛନ୍ତି। ମୁଖ୍ୟମନ୍ତ୍ରୀ କହିଛନ୍ତି ଯେ, ” ଆଶା କରେ ଏହି ଛୋଟ ପଦକ୍ଷେପ ଅନ୍ୟମାନଙ୍କୁ ଜାଗ୍ରତ କରିବ। ଆମେ ଯଥାଶୀଘ୍ର ଏକ ତଦନ୍ତ କରିବାକୁ ଚାହୁଁଛୁ। ବଙ୍ଗଳାର ଅନେକ ଲୋକଙ୍କ ଫୋନ୍ ଟ୍ୟାପ୍ ହୋଇଥିବା ନେଇ ସେ ଅଭିଯୋଗ କରିଥିଲେ। 

   ଏହା ପୂର୍ବରୁ ମୋଦୀ ସରକାରଙ୍କ ଉପରେ ଜୋରଦାର ହମଲା କରୁଥିଲେ ମମତା ବାନାର୍ଜୀ। ସେ କେନ୍ଦ୍ରକୁ ଟାର୍ଗେଟ କରି କହିଥିଲେ ଯେ, ” ମୋଦୀ ସରକାର ଏକ ‘ସର୍ଭିଲାନ୍ସ ଷ୍ଟେଟ୍‌’ ପ୍ରତିଷ୍ଠା କରିବାକୁ ଉଦ୍ୟମ ଚଳାଇଛନ୍ତି। ତେଣୁ ଏକଚ୍ଛତ୍ରବାଦୀ ଭାଜପା ସରକାରକୁ କ୍ଷମତାଚ୍ୟୁତ କରିବା ଲାଗି ଆସନ୍ତା ଲୋକ ସଭା ନିର୍ବାଚନରେ ସମସ୍ତ ବିରୋଧୀ ଦଳ ଏକାଠି ହେବାକୁ ସେ ଆହ୍ବାନ ଦେଇଥିଲେ। 

ପେଗାସସ୍‌ ସ୍ପାଏଓ୍ବେର ଜରିଆରେ ମୋଦୀ ସରକାର ବିରୋଧୀ ନେତା, ଖବରଦାତା, ଆକ୍ଟିଭିଷ୍ଟ, ନିର୍ବାଚନ କମିଶନ ଓ ବିଚାରପତିମାନ, ବିଜନେସ୍ ମ୍ୟାନ୍ ଙ୍କ ସ୍ମାର୍ଟଫୋନ୍‌ରେ ଜାସୁସି କରାଇଥିବା ନେଇ ଚାଞ୍ଚଲ୍ୟକର ରିପୋର୍ଟ ପ୍ରଘଟ ହେବା ପରେ ପଶ୍ଚିମବଙ୍ଗ ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀ ଏହି ଆହ୍ବାନ ଦେଇଥିଲେ । ସୁପ୍ରିମକୋର୍ଟ ଏହି ପ୍ରସଙ୍ଗକୁ ସଂଜ୍ଞାନକୁ ନେଇ ନିଜ ଆଡ଼ୁ ମାମଲା ରୁଜୁ କରନ୍ତୁ ବୋଲି ମମତା ଅନୁରୋଧ କରିଥିଲେ, ବର୍ତ୍ତମାନ ପ୍ୟାନେଲ ଗଠନ କରିଛନ୍ତି। 

ଇସ୍ରାଏଲ କମ୍ପାନୀ ଏନ୍‌ଏସ୍‌ଓ ଗ୍ରୁପ୍‌ର ସ୍ପାଏଓ୍ବେର ପେଗାସସ୍‌କୁ ନେଇ ଭାରତରେ ଉଠିଥିବା ଝଡ଼ ଭୟଙ୍କର ରୂପ ନେବାରେ ଲାଗିଛି। ଏହି ପ୍ରସଙ୍ଗରେ ଜେପିସି ତଦନ୍ତ କରାଯାଉ ବୋଲି ବିରୋଧୀ ନେତାମାନେ ଦାବି କରିଛନ୍ତି। 

  ଟିଏମ୍‌ସି ସୁପ୍ରିମୋ ଆହୁରି କହିଛନ୍ତି, ପେଗାସସ୍‌ ଅତ୍ୟନ୍ତ ବିପଜ୍ଜନକ। ଏମ୍‌ପି ଅଭିଷେକ ବାନାର୍ଜୀ (ମମତାଙ୍କ ପୁତୁରା) ଏବଂ ପ୍ରଶାନ୍ତ କିଶୋର (ନିର୍ବାଚନ ରଣନୀତିକାର)ଙ୍କ ଉପରେ ଚୋରାରେ ସତର୍କ ଦୃଷ୍ଟି ରଖାଯାଉଛି। ତେଣୁ ମୁଁ ମୋ ଫୋନ୍‌କୁ ପ୍ଲାଷ୍ଟରରେ ଘୋଡ଼ାଇ ଦେଇଛି ବୋଲି ମମତା ବାନାର୍ଜୀ କହିଥିଲେ। 

Related Posts