(ସତ୍ୟପାଠ ବ୍ୟୁରେ) ଭୁବନେଶ୍ୱର : ପ୍ରିଣ୍ଟ ମିଡିଆରେ ବିଜ୍ଞାପନ ବାବଦରେ ସରକାରଙ୍କର ୧୪୭ କୋଟି ଟଙ୍କାର ବକେୟା ରହିଛି। ଆରଟିଆଇ ତଥ୍ୟ ଜରିଆରେ ମିଳିଥିବା ସୂଚନା ଅନୁଯାୟୀ, ଏହି ବକେୟା ବିଲ୍ ୨୦୦୪ ମସିହାରୁ ରହିଛି। ଆଇନ୍ ଛାତ୍ର ଅଙ୍କିତ ଗୌରବ ଆରଟିଆଇ ଜରିଆରେ ଏହି ତଥ୍ୟ ହାସଲ କରିଛନ୍ତି। ପାଖାପାଖି ୭୬ ହଜାରରୁ ଅଧିକ ବକେୟା ବିଲ୍ DAVP ନିକଟରେ ବିଚାରାଧୀନ ରହିଥିବା ଜଣାପଡିଛି।
ଅନ୍ୟପକ୍ଷରେ ସୂଚନା ଓ ପ୍ରସାରଣ ମନ୍ତ୍ରାଳୟ କହିଛି ଯେ ଇଲେକ୍ଟ୍ରୋନିକ ମିଡିଆ ଗୁଡ଼ିକର ବିଜ୍ଞାପନ ବାବଦରେ କେତୋଟି ବିଲ୍ ବାକି ରହିଛି ଓ ବିଲ୍ର ତାରିଖ ସମ୍ବନ୍ଧରେ କିଛି ରେକର୍ଡ ରଖାଯାଇ ନାହିଁ। କିନ୍ତୁ ୬୭ କୋଟିରୁ ଅଧିକ ଟଙ୍କା ବକେୟା ରହିଛି। ଏବଂ ଆଉଟ୍ ଡୋର ବିଜ୍ଞାପନ ବାବଦକୁ ୧୮ କୋଟି ଟଙ୍କା ବକେୟା ରହିଛି।
ମୀରଟ ବିଶ୍ୱବିଦ୍ୟାଳୟର ପ୍ରଥମ ବର୍ଷର ଆଇନ ଛାତ୍ର ଗୌରବ କହିଛନ୍ତି ଯେ ଅନେକ ଖବରକାଗଜ ଏବେ ବନ୍ଦ ହୋଇଯାଉଛି। ଏପରି ବନ୍ଦ ହେବାର କାରଣ କ’ଣ ହୋଇପାରେ ବୋଲି ସେ ଚିନ୍ତା କରିଥିଲେ। ସେଥିପାଇଁ ଆରଟିଆଇ ଜରିଆରେ ଏହି ତଥ୍ୟ ହାସଲ କରିବାକୁ ଚେଷ୍ଟା କରିଥିଲେ।
ଗୌରବ କହିଛନ୍ତି ଯେ ଜଣେ ପାଠକ ଭାବରେ ସେ ଅନୁଭବ କରୁଛନ୍ତି ଯେ କୌଣସି ଖବରକାଗଜ ବନ୍ଦ ହେବାର ମୁଖ୍ୟ କାରଣ ହେଉଛି ଅର୍ଥର ଅଭାବ। ଖବରକାଗଜ ଗୁଡିକର ସରକାରୀ ବିଜ୍ଞାପନ ହେଉଛି ଆୟର ଏକ ପ୍ରମୁଖ ଅଂଶ, ତେଣୁ ସେ ଜାଣିବାକୁ ଚାହିଁଥିଲେ ଯେ ସରକାର ତାଙ୍କର ବିଜ୍ଞାପନ ପ୍ରକାଶନ ପାଇଁ ଠିକ୍ ସମୟରେ ଗଣମାଧ୍ୟମ ସଂସ୍ଥା ଗୁଡ଼ିକୁ ତାଙ୍କର ପ୍ରାପ୍ୟ ଦେଉଛନ୍ତି କି ନାହିଁ ଏବଂ କେଉଁ ମନ୍ତ୍ରାଳୟର କେତେ ଟଙ୍କା ବକେୟା ରହିଛି ? ତେଣୁ ଆର୍ଟିଆଇରେ ଆବେଦନ କରିଥିଲେ। ସେ ଜାଣିବାକୁ ପାଇଛନ୍ତି ଯେ ୧୭ ବର୍ଷ ହେଲା ସରକାର ଅନେକ ବିଜ୍ଞାପନ ଦେୟ ଦେଇ ନାହାନ୍ତି। ମୁଖ୍ୟତଃ ପ୍ରତିରକ୍ଷା ମନ୍ତ୍ରାଳୟ ବାକି ରଖିଛି।
ପ୍ରତିରକ୍ଷା ମନ୍ତ୍ରାଳୟ ପ୍ରିଣ୍ଟ ମିଡିଆକୁ ସର୍ବାଧିକ ୧୨,୨୭୧, ୧୬ଟି ବିଲ୍ ବାକି ରହିଛି, ଯାହାର ମୂଲ୍ୟ ୧୬ କୋଟି ଟଙ୍କା। ସେହିପରି ଅର୍ଥ ମନ୍ତ୍ରାଳୟ ୧୩ କୋଟି ଟଙ୍କାର ବିଜ୍ଞାପନ ବକେୟା ରଖିଛି। ୨୦୨୧ ଜୁନ୍ ୨୧ ସୁଦ୍ଧା ଏହି ବକେୟା ରହିଛି।
ମନ୍ତ୍ରଣାଳୟର ପ୍ରତିକ୍ରିୟାରେ କୁହାଯାଇଛି ଯେ DAVP ସହିତ ବିଚାରାଧୀନ ବିଜ୍ଞାପନ ଅଭିଯାନ ସହ ଜଡିତ ସର୍ବ ପୁରାତନ ବକେୟା ଦେୟ / ବିଲ୍ ତାରିଖ ୦୪.୦୮.୨୦୦୪ ଅଟେ।
୨୦୨୦-୨୧ରେ କେନ୍ଦ୍ର ସରକାର ବିଜ୍ଞାପନ ବାବଦରେ ମୋଟ୍ ୧୧୮ କୋଟି ଟଙ୍କା ଖର୍ଚ୍ଚ କରିବେ ବୋଲି କହିଥିଲେ। ଉଭୟ ପ୍ରିଣ୍ଟ ଏବଂ ଇଲେକ୍ଟ୍ରୋନିକ୍ସ ମିଡିଆ ପାଇଁ ୬୫ କୋଟି ଟଙ୍କା ଖର୍ଚ୍ଚ ହୋଇଛି । ଡିଏଭିପି ୱେବସାଇଟ ଅନୁଯାୟୀ, ବିଜ୍ଞାପନ ବାବଦକୁ କେନ୍ଦ୍ର ସରକାରଙ୍କ ସୂଚନା ଓ ପ୍ରସାରଣ ମନ୍ତ୍ରାଳୟ ଡିଏଭିପିକୁ ଅର୍ଥ ଦିଅନ୍ତି। ପରେ ଏହି ଟଙ୍କାକୁ ଡିଏଭିପି ମିଡିଆ ସଂସ୍ଥା ଗୁଡ଼ିକୁ ପ୍ରଦାନ କରିଥାଏ।