ପ୍ରଚାରରେ ପଇସା ଉଡେଇବାରେ ବିଜେଡି ଦେଶରେ ଦୁଇ ନମ୍ବର

(ସତ୍ୟପାଠ ବ୍ୟୁରୋ) ଭୁବନେଶ୍ବର : ନିର୍ବାଚନୀ ବର୍ଷ ଗୁଡ଼ିକରେ ବିଜ୍ଞାପନ ଖର୍ଚ୍ଚ ବାବଦରେ ସାରା ଦେଶରେ ଦୁଇ ନମ୍ବର ସ୍ଥାନରେ ରହିଛି ବିଜୁ ଜନତା ଦଳ ସରକାର। ଏସ୍‌ବିଆଇ ଇକୋରାପ୍‌ ରିପୋର୍ଟରୁ ଏହି ତଥ୍ୟ ଏବେ ସାମ୍ନାକୁ ଆସିଛି। ଏହି ରିପୋର୍ଟ ଅନୁଯାୟୀ ୨୦୧୮ ଅପେକ୍ଷା ୨୦୧୯ ମସିହାରେ ପ୍ରଚାର ପ୍ରସାର ବାବଦରେ ୨୪୯ ପ୍ରତିଶତ ଅଧିକ ବ୍ୟୟ ହୋଇଛି।

ଏହି ରିପୋର୍ଟରେ ଦର୍ଶାଯାଇଛି ଯେ , ୨୦୧୯ ମସିହାରେ ପୂର୍ବ ବର୍ଷ ଗୁଡିକ ତୁଳନାରେ ବିଭିନ୍ନ ଯୋଜନା ଗୁଡ଼ିକର ପ୍ରଚାର ପ୍ରସାର ଏବଂ ବିଜ୍ଞାପନ ବାବଦକୁ ବିଜେଡି ସରକାରରେ ୨୪୯ ପ୍ରତିଶତ ଅଧିକ ଖର୍ଚ୍ଚ କରିଛନ୍ତି। ଆଉ ଏହି ପ୍ରଚାର ପ୍ରସାରରେ ଶୀର୍ଷ ସ୍ଥାନରେ ଅଛନ୍ତି ଦିଲ୍ଲୀର ଆପ୍ ନେତୃତ୍ବାଧୀନ କେଜରିୱାଲ ସରକାର। ପୂର୍ବବର୍ଷ ଗୁଡିକ ତୁଳନାରେ ନିର୍ବାଚନ ବର୍ଷରେ କେଜରିୱାଲ ସରକାର ବିଜ୍ଞାପନ ଏବଂ ପ୍ରଚାର ପ୍ରସାର ପାଇଁ ୪୯୩ ପ୍ରତିଶତ ଅଧିକ ଖର୍ଚ୍ଚ କରିଛନ୍ତି। ଏହି କାରଣରୁ ସେମାନେ ପୁଣି ବିଜୟୀ ହୋଇଥିବା ରିପୋର୍ଟରେ ଉଲ୍ଲେଖ କରାଯାଇଛି। ତେବେ ସାଧାରଣ ଲୋକଙ୍କ ଅର୍ଥକୁ ରାଜ୍ୟର ଶାସକ ଦଳ ବିଜେଡି ବିଭିନ୍ନ ସରକାରୀ ଯୋଜନାର ପ୍ରଚାର ବାହାନାରେ ଭୋଟ ହାତେଇବା ପାଇଁ ଖର୍ଚ୍ଚ କରୁଥିବା ବିରୋଧୀ କହିଛନ୍ତି। ଏହାକୁ ନେଇ ବିରୋଧୀ ସରକାରଙ୍କୁ ଦାୟୀ କରିଥିବା ବେଳେ ଏଭଳି ଅଭିଯୋଗକୁ ଖଣ୍ଡନ କରିଛି ବିଜେଡି।

ଅପରପକ୍ଷରେ ରାଜ୍ୟ ସରକାରଙ୍କ ଗତ ୧୦ ବର୍ଷର ବଜେଟ ତଥ୍ୟ କହୁଛି, ଏହି ସମୟ ମଧ୍ୟରେ ସରକାରୀ ବିଜ୍ଞାପନ ଓ ହୋର୍ଡିଂ ବାବଦକୁ ୮୮୮ କୋଟିରୁ ଅଧିକ ଟଙ୍କା ଖର୍ଚ୍ଚ ହୋଇଛି। ସାଧାରଣ ନିର୍ବାଚନ ପାଇଁ ୨୦୧୮-୧୯ ଆର୍ଥିକ ବର୍ଷରେ ବିଜ୍ଞାପନ ଓ ପ୍ରଚାର ପ୍ରସାରରେ ରାଜ୍ୟ ସରକାର ସର୍ବାଧିକ ୨୬୯ କୋଟି ୧୩ ଲକ୍ଷ ଟଙ୍କା ଅଧିକ ଖର୍ଚ୍ଚ କରିଛନ୍ତି । ୨୦୧୭-୧୮ ଆର୍ଥିକ ବର୍ଷରେ ଏହି ପରିମାଣ ୭୭ କୋଟି ୫ ଲକ୍ଷ ଟଙ୍କା ଥିବା ବେଳେ ନିର୍ବାଚନ ପର ବର୍ଷ ଖର୍ଚ୍ଚ ହୋଇଛି ୮୯ କୋଟି ୮୬ ଲକ୍ଷ ଟଙ୍କା। ତେବେ ୨୦୧୭ ପଞ୍ଚାୟତ ନିର୍ବାଚନ ବେଳେ ବି ଏହି ସମାନ ଚିତ୍ର ସାମ୍ନାକୁ ଆସିଥିଲା।

୨୦୧୬-୧୭ରେ ରାଜ୍ୟ ସରକାର ପ୍ରଚାର ପ୍ରସାର ଲାଗି ୫୩ କୋଟି ୩୩ ଲକ୍ଷ ଟଙ୍କା ବ୍ୟୟବରାଦ କରିଥିବା ବେଳେ ନିର୍ବାଚନ ଲାଗି ସଂଶୋଧିତ ବ୍ୟୟକୁ ୮୧ କୋଟି ୨୦ ଲକ୍ଷ ଟଙ୍କାକୁ ବୃଦ୍ଧି କରି ଦେଇଥିଲେ।

Related Posts