ରାଜ୍ୟରେ ଆଇଏଏସ ପାଇଁ ଅଫିସର ଅଭାବ ? ୪ ମାସ ପରେ ପୁଣି ଜାରି ହେଲା ରିମାଇଣ୍ଡର

(ସତ୍ୟପାଠ ବ୍ୟୁରୋ) ଭୁବନେଶ୍ବର : ରାଜ୍ୟରେ ଆଇଏଏସ୍ ପଦବୀକୁ ପଦୋନ୍ନତି ନିମନ୍ତେ ଅଫିସରଙ୍କ ଅଭାବ। ଆଇଏଏସ ପଦବୀକୁ ପଦୋନ୍ନତି ନିମନ୍ତେ ରାଜ୍ୟ ଅଣପ୍ରଶାସନିକ ସେବାର ଯୋଗ୍ୟ ଅଫିସରଙ୍କ ତାଲିକା ପଠାଇବାକୁ ସାଧାରଣ ପ୍ରଶାସନ ବିଭାଗ ପୁଣିଥରେ ରିମାଇଣ୍ଡର ପଠାଇବା ପରେ ଏହି ତଥ୍ୟ ଏବେ ସାମ୍ନାକୁ ଆସିଛି। ମଳିଥିବା ସୂଚନା ମୁତାବକ ଅଣପ୍ରଶାସନିକ ସେବାରୁ ଅଫିସରଙ୍କୁ ଆଇଏଏସ୍ ପଦବୀ ନିମନ୍ତେ ସୁପାରିଶ କରିବା ପାଇଁ ବିଭାଗଗୁଡ଼ିକ ଆଗ୍ରହ ଦେଖାଉନଥିବାରୁ ସାଧାରଣ ପ୍ରଶାସନ ବିଭାଗ ଏହି ତାଲିକା ଚୂଡ଼ାନ୍ତ କରିପାରୁନି ।

ଗତ ଏପ୍ରିଲ ତାରିଖ ଦିନ ସାଧାରଣ ପ୍ରଶାସନ ବିଭାଗ ରାଜ୍ୟର ସବୁ ବିଭାଗ ଗୁଡ଼ିକୁ ଚିଠି ଲେଖି ସିଲେକ୍ସନ କୋଟାରେ ଖାଲି ପଡ଼ିଥିବା ୩ଟି ଆଇଏଏସ୍ ପଦ ପୂରଣ ନିମନ୍ତେ ରାଜ୍ୟର ଅଣପ୍ରଶାସନିକ ସେବା ଅଫିସର (ଏନଏସସିଏସ) ଙ୍କ ତାଲିକା ପଠାଇବାକୁ କୁହାଯାଇଥିଲା। ଏହାର ଡେଡ୍ ଲାଇନ୍ ଥିଲା ମେ’ ୬ତାରିଖ । ୨୦୨୦ ମସିହା ଚୟନ ତାଲିକାରେ ଏହି ୩ଟି ଆଇଏଏସ୍ ପଦବୀକୁ ମନୋନୟନ ଭିତ୍ତିରେ ୨୦୨୧ରେ ପୂରଣ କରିବାକୁ ସାଧାରଣ ପ୍ରଶାସନ ବିଭାଗ ପକ୍ଷରୁ ପଦକ୍ଷେପ ନିଆଯାଇଥିଲା । ତେବେ କେବଳ ଅର୍ଥ, ସ୍କୁଲ ଓ ଗଣଶିକ୍ଷା, ଯୋଜନା ଓ ସଂଯୋଜନ ବିଭାଗ ଅଣପ୍ରଶାସନିକ ସେବା ଅଫିସରଙ୍କ ନାଁ ପଠାଇ ଥିଲେ। ଏହାର ଅର୍ଥ ହେଉଛି ବାକି ବିଭାଗ ଗୁଡ଼ିକରେ କଣ କୌଣସି ଯୋଗ୍ୟ ଅଣପ୍ରଶାସନିକ ସେବା ଅଫିସର ନାହାନ୍ତି ?

ତେବେ ସାଧାରଣ ପ୍ରଶାସନ ବିଭାଗ ପୁଣିଥରେ ଅଗଷ୍ଟ ୧୮ତାରିଖରେ ସବୁ ବିଭାଗକୁ ଆଉ ଥରେ ରିମାଇଣ୍ଡର ପଠାଇ ଥିଲା। ଏବଂ ଏଥରର ଡେଡ୍ ଲାଇନ୍ ଥିଲା ଆସନ୍ତା ମାସ ଅର୍ଥାତ୍ ସେପ୍ଟେମ୍ବର ୮ତାରିଖ । ରିମାଇଣ୍ଡର ଅନୁଯାୟୀ ପ୍ରତ୍ୟେକ ବିଭାଗ ସର୍ବାଧିକ ୩ଜଣ ଅଫିସରଙ୍କ ନାଁ ପଠାଇ ପାରିବେ ଏବଂ ଗୁରୁତ୍ବପୂର୍ଣ୍ଣ କଥା ହେଉଛି ସେହି ଅଫିସର ପ୍ରଥମ ଶ୍ରେଣୀ ବର୍ଗର ହୋଇଥିବା ଜରୁରୀ। ୨୦୨୦ ଜାନୁୟାରୀ ପହିଲା ସୁଦ୍ଧା ଉକ୍ତ ଅଫିସରଙ୍କ ବୟସ ୫୬ବର୍ଷ ବୟସ ହୋଇଥିବ ଓ ତାଙ୍କ ନାଁରେ କୌଣସି ଭିଜିଲାନ୍ସ, ଅପରାଧିକ କିମ୍ବା ଶୃଙ୍ଖଳାଗତ ମାମଲା ନଥିବା ଆବଶ୍ୟକ । ତେବେ ରାଜ୍ୟରେ ଏବେ ବିଭିନ୍ନ ବିଭାଗରେ ଅଣପ୍ରଶାସନିକ ସେବାରେ ପ୍ରଥମ ଶ୍ରେଣୀ ବର୍ଗରେ ପ୍ରାୟ ୮ହଜାରରୁ ଅଧିକ ଅଫିସର କାର୍ଯ୍ୟରତ ଅଛନ୍ତି। କିନ୍ତୁ ଆଶ୍ଚର୍ଯ୍ୟଜନକ କଥା ହେଉଛି ସେମାନଙ୍କ ମଧ୍ୟରୁ ମାତ୍ର ୩ଜଣଙ୍କ ନାଁ ସୁପାରିସ୍ କରିବାରେ ବିଭାଗଗୁଡ଼ିକ ଅକ୍ଷମତା ଦେଖାଇଛନ୍ତି।

ସୂଚନା ଥାଉକି ରାଜ୍ୟରେ ମୋଟ ୨୪୮ ଟି ଆଇଏଏସ୍ କ୍ୟାଡ଼ର ପଦବୀ ଥିବାବେଳେ ବର୍ତ୍ତମାନ ସେଥି ମଧ୍ୟରୁ ୭୫ଟି ପଦବୀ ଖାଲି ପଡ଼ିଛି। ମୋଟ ମଞ୍ଜୁରୀପ୍ରାପ୍ତ ୨୪୮ଟି ପଦବୀ ମଧ୍ୟରୁ ୧୭୩ଟି ସଧାସଳଖ ନିଯୁକ୍ତି ମାଧ୍ୟମରେ ଭର୍ତ୍ତି ହେଉଥିବାବେଳେ, ୬୫ଟି ପଦୋନ୍ନତି ଭିତ୍ତିକ(ରାଜ୍ୟ ପ୍ରଶାସନିକ ସେବା ଅଫିସର) ଏବଂ ୧୦ଟି ସିଲେକ୍ସନ କୋଟା (ଅଣପ୍ରଶାସନିକ ସେବା ଅଫିସର) ବର୍ଗରେ ରହିଛି ।

କିନ୍ତୁ ସିଲେକ୍ସନ କୋଟାରେ ଥିବା ୧୦ଟି ଆଇଏଏସ୍ ପଦବୀ ମଧ୍ୟରୁ ଗତ ଏକବର୍ଷ ଧରି ୩ଟି ପଦବୀ ଖାଲି ପଡ଼ିଥିବା ଜଣାପଡିଛି। ଏବେ ଆଇଏଏସ୍ ପଦବୀରେ କାର୍ଯ୍ୟରତ ଥିବା ମୋଟ ୧୭୩ଜଣ ଅଫିସରଙ୍କ ମଧ୍ୟରୁ ୨୬ଜଣ କେନ୍ଦ୍ରୀୟ ଡେପୁଟେସନରେ ଓ ୨ଜଣ ଆନ୍ତଃ ରାଜ୍ୟ ଡେପୁଟେସନରେ ଅଛନ୍ତି । ଫଳରେ ଜଣେ ଜଣେ ଆଇଏଏସ ଅଫିସରଙ୍କୁ ଏକ ରୁ ଅଧିକ ପଦବୀ ଦାୟିତ୍ବ ଦିଆଯାଇଛି । ଏହା ସତ୍ତ୍ୱେ ବି ରାଜ୍ୟ ସରକାର ଖାଲି ପଡ଼ିଥିବା ଆଇଏଏସ୍ ପଦବୀକୁ ପୂରଣ କରିବା ଦିଗରେ ଆଗ୍ରହ ଦେଖାଉନାହାନ୍ତି ।

Related Posts