ଭୁବନେଶ୍ୱର(ସତ୍ୟପାଠ ବ୍ୟୁରୋ): ରାଜ୍ୟରେ ପଞ୍ଚାୟତ ନିର୍ବାଚନ ଶେଷ ହୋଇଛି । ଏଥର ଶାସକ ବିଜେଡି ରାଜ୍ୟରେ ଐତିହାସିକ ବିଜୟ ପାଇଛି । ଏହା ମଧ୍ୟରେ ମୟୂରଭଞ୍ଜର ରାଇରଙ୍ଗପୁରରେ ଦୀର୍ଘ ୨୫ ବର୍ଷ ଧରି ରାଇରଙ୍ଗପୁର ଏନ୍ଏସି ତଥା ମ୍ୟୁନିସିପାଲିଟିକୁ ଅକ୍ତିଆର କରିଥିବା ବିଜେପି ହାତରୁ ଏନ୍ଏସିକୁ କିପରି ଛଡ଼ାଯିବ, ସେନେଇ ବିଜେଡିର ନେତୃବୃନ୍ଦ ବିଭିନ୍ନ ରଣକୌଶଳ ଆପଣାଉଥିବାର ଦେଖିବାକୁ ମିଳିଛି । ହେଲେ ବିଜେଡିରେ ପୌରାଧ୍ୟକ୍ଷ ପଦ ପାଇଁ ଅଛନ୍ତି ଏକାଧିକ ଆଶାୟୀ । ଯାହା ବିଜେଡିକୁ ଚିନ୍ତାରେ ପକାଇଛି । ତେବେ ରାଇରଙ୍ଗପୁର ପୌରାଧ୍ୟକ୍ଷ ପଦ ପାଇଁ ବିଜେଡିର ଅନେକ ଅଶାୟୀ ରହିଛନ୍ତି। ସେମାନଙ୍କ ମଧ୍ୟରେ ବିଜେଡି ଜିଲ୍ଲା ଯୁବ ସଭାପତି ଅଭିଷେକ ପଟ୍ଟନାୟକ, ମୋରଡ଼ା ବିଧାୟକଙ୍କ ପତ୍ନୀ ପ୍ରୀତିଲତା କାନୁନଗୋ, ପୂର୍ବତନ କାଉନ୍ସିଲର ମମିତା ଚୌଧୁରୀ, ଦଳର ବରିଷ୍ଠ ନେତା ପାର୍ଥସାରଥୀ କବି, ବିଜେଡି ମୁଖପାତ୍ର ରତିକାନ୍ତ ପରୀକ୍ଷା, ସମାଜସେବୀ ଦୀପ୍ତିମାନ ବଳ ରହିଛନ୍ତି। ବିଶିଷ୍ଟ କଂଗ୍ରେସ ନେତା, ସମାଜସେବୀ ତଥା ରାଇରଙ୍ଗପୁର ଏନ୍ଏସିରେ ୮ ବର୍ଷ ଧରି (୧୯୮୪ ମସିହା ଠାରୁ ୧୯୯୨ ମସିହା) ଚେୟାରମ୍ୟାନ୍ ଥିବା ସ୍ବର୍ଗତ ପରିମଳ ପଟ୍ଟନାୟକଙ୍କ ପୁଅ ଅଭିଷେକ ଜଣେ ସମାଜସେବୀ ଓ ଦକ୍ଷ ସଂଗଠକ ଭାବେ ବେଶ ପରିଚିତ।
ସେହିପରି ମମିତା ଚୌଧୁରୀ ହେଉଛନ୍ତି ରାଇରଙ୍ଗପୁର ଏନ୍ଏସିର ପୂର୍ବତନ କାଉନ୍ସିଲର। ତାଙ୍କ ସ୍ବାମୀ ସୁଶାନ୍ତ ଚୌଧୁରୀ ବିଜେଡିର ଜଣେ ଟାଣୁଆ ନେତା ଓ ଦକ୍ଷ ସଂଗଠକ। ବିଜେଡିର ପୁରୁଖା ନେତା ତଥା ଉଚ୍ଚଶିକ୍ଷିତ ପାର୍ଥସାରଥୀ କବି ରାଜ୍ୟସଭା ସାଂସଦ ସରୋଜିନୀ ହେମ୍ବ୍ରମଙ୍କ ପ୍ରତିନିଧି ଦାୟିତ୍ବ ତୁଲାଇଛନ୍ତି। ରତିକାନ୍ତ ପରୀକ୍ଷା ସାମ୍ବାଦିକ ଭାବେ କ୍ୟାରିୟର ଆରମ୍ଭ କରିଥିଲେ। ପରେ ସେ ବିଜେଡି ସହ ଜଡ଼ିତ ରହି ବିଭିନ୍ନ ପଦରେ କାମ କରିଛନ୍ତି। ଦୀପ୍ତିମାନ ବଳ ରାଇରଙ୍ଗପୁର ଅଞ୍ଚଳର ଅନ୍ୟତମ ଯୁବନେତା ଓ ଦକ୍ଷ ସଂଗଠକ ଭାବେ ବେଶ୍ ପରିଚିତ। ତେଣୁ ଏଥର ଦଳ କାହାକୁ ପ୍ରାର୍ଥୀ କରିବ ତାହା ହିଁ ଦେଖିବାର ବିଷୟ ।
