
ଭୁବନେଶ୍ୱର ( ସତ୍ୟପାଠ ବ୍ୟୁରୋ ): ରାଷ୍ଟ୍ରବାଦୀ କଂଗ୍ରେସ ପାର୍ଟି(ଏନସିପି) ମୁଖ୍ୟ ଶରଦ ପୱାର ବିଜେପି ସରକାରଙ୍କୁ ଟାର୍ଗେଟ କରିଛନ୍ତି। ସେ କହିଛନ୍ତି ଯେ ବହୁ ରାଜ୍ୟରେ ନିର୍ବାଚିତ ସରକାରକୁ ଭାଙ୍ଗିବା ପାଇଁ ଉଦ୍ୟମ କରାଯାଉଛି। ନିଜ ଦଳୀୟ କର୍ମୀଙ୍କୁ ସମ୍ବୋଧିତ କରି ପୱାର କହିଛନ୍ତି ଯେ ଶାସକ ଭାରତୀୟ ଜନତା ପାର୍ଟି ଦେଶର ସଂସଦୀୟ ଗଣତନ୍ତ୍ର ଉପରେ ଆକ୍ରମଣ କରୁଛି। କୌଣସି ରାଜ୍ୟର ନାମ ନ ନେଇ ସେ କହିଛନ୍ତି ଯେ କେତେକ ରାଜ୍ୟରେ ସରକାରଙ୍କୁ ଭାଙ୍ଗି କ୍ଷମତାରୁ ହଟାଇବା ପାଇଁ ଉଦ୍ୟମ କରାଯାଉଛି।ଦେଶରେ ଲୋକମାନେ ସବୁକିଛି ଦେଖୁଛନ୍ତି ଓ ପରବର୍ତ୍ତୀ ସମୟରେ ସେମାନଙ୍କ ପ୍ରତି ମଧ୍ୟ ସେହିଭଳି ବ୍ୟବହାର କରିବେ। ।ତେବେ ମହାରାଷ୍ଟ୍ରର ଗତିବିଧି ବିଷୟରେ ପାୱାର କହିଛନ୍ତି ବିଜେପି ଯାହା କରୁଛି ତାହା ଠିକ ନୁହେଁ। ମଧ୍ୟପ୍ରଦେଶରେ ଯାହା ଘଟିଥିଲା କିମ୍ବା ମହାରାଷ୍ଟ୍ରରେ ଯାହା କରାଗଲା ତାହା ସମସ୍ତଙ୍କୁ ଜଣା। ଏହା ଘଟିଛି କାରଣ କ୍ଷମତାର ଚାବି କିଛି ମୁଷ୍ଟିମେୟ ଲୋକଙ୍କ ହାତରେ ଅଛି।
କେନ୍ଦ୍ରୀୟ ଏଜେନ୍ସି ଗୁଡିକର ଅପବ୍ୟବହାର ବିଷୟରେ ସେ କହିଛନ୍ତି, ଯେତେବେଳେ କଂଗ୍ରେସ କ୍ଷମତାରେ ଥିଲା ସେତେବେଳେ ଏହା କେବେ କରି ନ ଥିଲା। ପୱାର କହିିଛନ୍ତି ଯେ କଂଗ୍ରେସ ଇଡି ପରି କେନ୍ଦ୍ରୀୟ ଏଜେନ୍ସିର କଦାପି ଅପବ୍ୟବହାର କରି ନ ଥିଲା। ବର୍ତ୍ତମାନର ସମୟ ସମସ୍ତଙ୍କ ପାଇଁ ଚ୍ୟାଲେଞ୍ଜରେ ପରିପୂର୍ଣ୍ଣ। ଜରୁରୀକାଳୀନ ପରିସ୍ଥିତି ପରେ ତତ୍କାଳୀନ ପ୍ରଧାନମନ୍ତ୍ରୀ ଇନ୍ଦିରା ଗାନ୍ଧୀଙ୍କୁ ମଧ୍ୟ ନିର୍ବାଚନରେ ପରାଜୟର ସମ୍ମୁଖୀନ ହେବାକୁ ପଡିଥିଲା। ତେବେ ସବୁଦିନ ସମସ୍ତଙ୍କ ପାଇଁ ସମାନ ରହିବ ନାହିଁ ବୋଲି ପାୱାର ନିଜ କର୍ମୀ ମାନଙ୍କୁ କହିଛନ୍ତି।