“ମମତା ଦିଦିଙ୍କୁ ସମାଲୋଚନା ବନ୍ଦ କରି ନିଜର ଆତ୍ମ ନିରୀକ୍ଷଣ କରୁ ବିଜେପି” : ବିଜେପି ସାଂସଦଙ୍କ ପୁଅ

(ସତ୍ୟପାଠ ବ୍ୟୁରୋ) ଭୁବନେଶ୍ୱର : ଟିଏମସି ଛାଡି ବିଜେପିରେ ଯୋଗଦେଇଥିବା ସାଂସଦ ମୁକୁଲ ରାୟଙ୍କ ପୁଅ ଶୁଭ୍ରାଂଶୁ ରୟଙ୍କ ଏକ ଫେସବୁକ୍ ପୋଷ୍ଟକୁ ନେଇ ପଶ୍ଚିମବଙ୍ଗ ବିଜେପି ଶିବିରରେ କମ୍ପନ ସୃଷ୍ଟି ହୋଇଛି । ଶୁଭ୍ରାଂଶୁ ତାଙ୍କ ଫେସବୁକ୍ ପୋଷ୍ଟ ରେ କହିଛନ୍ତି ଯେ, ବିଜେପି ମମତା ସରକାରଙ୍କ ସମାଲୋଚନା ବନ୍ଦ କରି ନିଜର ଆତ୍ମ ନିରୀକ୍ଷଣ କରୁ । ମୁକୁଲ ରୟଙ୍କ ପୁଅ ଶୁଭ୍ରାଂଶୁ ରୟ କହିଛନ୍ତି, ଜନତାଙ୍କ ସମର୍ଥନରେ ଆସିଥିବା ସରକାରଙ୍କୁ ସମାଲୋଚନା କରିବା ପୂର୍ବରୁ ଭାରତୀୟ ଜନତା ପାର୍ଟି ନିଜର ଆତ୍ମ ନିରୀକ୍ଷଣ କରିବା ଆବଶ୍ୟକ । ନିର୍ବାଚିତ ସରକାରଙ୍କ ସମାଲୋଚନା ବନ୍ଦ ହେଉ । ଉଲ୍ଲେଖନୀୟ କଥା ହେଉଛି ଶୁଭ୍ରାଂଶୁ ରୟ ୨୦୧୯ରେ ଟିଏମସି ଛାଡି ବିଜେପିରେ ଯୋଗ ଦେଇଥିଲେ ।

ନିକଟରେ ଶେଷ ହୋଇଥିବା ପଶ୍ଚିମବଙ୍ଗ ବିଧାନସଭା ନିର୍ବାଚନରେ ସେ ବିଜେପି ଟିକେଟରେ ବିଜପୁର ଆସନରୁ ଲଢି ଟିଏମସି ପ୍ରାର୍ଥୀଙ୍କଠୁ ପରାଜିତ ହୋଇଥିଲେ । ନିକଟରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ବାତ୍ୟା “ୟାସ”ର କ୍ଷୟକ୍ଷତିର ସମୀକ୍ଷା କରିବା ପାଇଁ ଓଡ଼ିଶା ସମେତ ବେଙ୍ଗଲ ଗସ୍ତ କରିଥିଲେ । କିନ୍ତୁ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ବାତ୍ୟା ସମୀକ୍ଷା ବୈଠକରେ ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀ ୩୦ ମିନିଟ୍ ବିଳମ୍ବରେ ପହଂଚିବା ନେଇ ବିଜେପି ଅଭିଯୋଗ କରିଥିଲା । ତେବେ ମମତା ବାନାର୍ଜୀ ପାଲଟା ଜବାବ ଦେବା ସହି କହିଥିଲେ ଯେ ବରଂ ସେ ୨୦ ମିନିଟ୍ ଅପେକ୍ଷା କରି ଥିଲେ । ପଶ୍ଚିମବଙ୍ଗ ବିଧାନସଭା ନିର୍ବାଚନରେ ଭାରତୀୟ ଜନତା ପାର୍ଟିର ପରାଜୟ ପରେ ଦଳର ନେତାଙ୍କ ମଧ୍ୟରେ ଏବେ ଅସନ୍ତୋଷ ଦେଖିବାକୁ ମିଳିଛି । ଏହା ପୂର୍ବରୁ ପୂର୍ବତନ ଟିଏମସି ବିଧାୟକ ସୋନାଲି ଗୁହା ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀଙ୍କୁ ଚିଠି ଲେଖି ଦଳ ଛାଡିଥିବାରୁ ତାଙ୍କୁ କ୍ଷମା ମାଗିବା ସହ ଫେରି ଆସିବାକୁ ଅନୁରୋଧ କରିଥିଲେ । ସେ କହିଥିଲେ ଯେ, “ଯେଉଁଭଳି ଭାବରେ ମାଛ ପାଣିରୁ ଦୂରେଇ ରହିପାରିବ ନାହିଁ, ମୁଁ ତୁମ ବିନା ବଞ୍ଚି ପାରିବି ନାହିଁ, ଦିଦି।”

Related Posts