ଭୁବନେଶ୍ୱର,୩/୧(ସତ୍ୟପାଠ ବ୍ୟୁରୋ): ସଂସଦର ବଜେଟ ଅଧିବେଶନ ଚଳିତ ଜାନୁୟାରୀ ମାସ ୩୧ରେ ଆରମ୍ଭ ହେବ । ଫେବୃୟାରୀ ୧ରେ କେନ୍ଦ୍ର ଅର୍ଥମନ୍ତ୍ରୀ ନିର୍ମଳା ସୀତାରମଣ ୨୦୨୩-୨୪ ଆର୍ଥିକ ବର୍ଷ ପାଇଁ ବଜେଟ୍ ଉପସ୍ଥାପନ କରିବେ । ଏପ୍ରିଲ ୬ ପର୍ଯ୍ୟନ୍ତ ଏହି ଅଧିବେଶନ ଚାଲିବ ବୋଲି ସରକାରୀ ସୂତ୍ରରୁ ଜଣାପଡ଼ିଛି। ତେବେ ଅଧିବେଶନର ପ୍ରଥମ ଦିନରେ ସଂସଦର ସେଣ୍ଟ୍ରାଲ ହଲ୍ରେ ଲୋକସଭା ଏବଂ ରାଜ୍ୟସଭାର ମିଳିତ ଅଧିବେଶନକୁ ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ ସମ୍ବୋଧନ କରିବେ ।
ସୂଚନା ଅନୁସାରେ, ବଜେଟ ଅଧିବେଶନର ପ୍ରଥମ ଦିନରେ ଅର୍ଥନୈତିକ ସର୍ଭେ ରିପୋର୍ଟ ଉପସ୍ଥାପନ କରାଯିବ । ପରେ ଫେବୃୟାରୀ ୧ରେ ଅର୍ଥମନ୍ତ୍ରୀ ନିର୍ମଳା ସୀତାରମଣ ବଜେଟ୍ ଆଗତ କରିବେ । ଅଧିବେଶନର ପ୍ରଥମ ପର୍ଯ୍ୟାୟ ଫେବ୍ରୁଆରୀ ୧୦ ପର୍ଯ୍ୟନ୍ତ ଚାଲିପାରେ । ଦ୍ୱିତୀୟ ଭାଗ ମାର୍ଚ୍ଚ ୬ରୁ ଏପ୍ରିଲ ୬ ପର୍ଯ୍ୟନ୍ତ ଚାଲିବାର ସମ୍ଭାବନା ରହିଛି । ବଜେଟ ଅଧିବେଶନର ପ୍ରଥମ ଭାଗ ପୂର୍ବରୁ ଉଭୟ ଗୃହରେ ରାଷ୍ଟ୍ରପତିଙ୍କ ସମ୍ବୋଧନ ଉପରେ ଧନ୍ୟବାଦ ପ୍ରସ୍ତାବ ଉପରେ ଚର୍ଚ୍ଚା ହେବ । ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ରାଷ୍ଟ୍ରପତିଙ୍କ ସମ୍ବୋଧନ ପରେ ଧନ୍ୟବାଦ ପ୍ରସ୍ତାବ ଉପରେ ଜବାବ ଦେବେ । ପରେ ଅର୍ଥମନ୍ତ୍ରୀ ସୀତାରମଣ କେନ୍ଦ୍ରୀୟ ବଜେଟ ଉପରେ ଆଲୋଚନା କରିବେ । ଅଧିବେଶନର ଦ୍ୱିତୀୟ ଭାଗରେ ବିରୋଧୀଙ୍କ ଏଜେଣ୍ଡା ସମେତ ବିଭିନ୍ନ ମନ୍ତ୍ରଣାଳୟର ଖର୍ଚ୍ଚ ଦାବି ଉପରେ ଆଲୋଚନା ହେବ । ମାର୍ଚ୍ଚ ୬ରୁ ହେବାକୁ ଥିବା ବଜେଟ୍ ଅଧିବେଶନର ଦ୍ୱିତୀୟ ଭାଗ ନୂଆ ସଂସଦ ଭବନରେ ବସିପାରେ ।
ତେବେ ଗତ ଶୀତ ଅଧିବେଶନରେ ଲୋକସଭାରେ ୯ଟି ବିଲ୍ ଆସିଥିବାବେଳେ ୭ଟି ପାରିତ ହୋଇଥିଲା । ସେହିଭଳି ରାଜ୍ୟସଭାରେ ୯ଟି ବିଲ୍ ଗୃହୀତ ହୋଇଥିଲା । ଉଭୟ ଗୃହରେ ମୋଟ ୯ଟି ବିଲ୍କୁ ଅନୁମୋଦନ ମିଳିଥିବା ଜଣାପଡିଛି ।