ରାଜଧାନୀ ଦିଲ୍ଲୀରେ ପ୍ରବେଶ କଲା ଭାରତ ‌ଯୋଡ଼ୋ ଯାତ୍ରା: ରାହୁଲ କହିଲେ, ଘୃଣା ବଜାରରେ ପ୍ରେମର ଦୋକାନ ଖୋଲିବାକୁ ଆସିଛୁ

ଭୁବନେଶ୍ୱର(ସତ୍ୟପାଠ ବ୍ୟୁରୋ): ଆଜି ସକାଳେ ବଦରପୁରରେ ଜାତୀୟ ପତାକା ହସ୍ତାନ୍ତର ଉତ୍ସବ ପରେ ରାହୁଲ୍‌ ଗାନ୍ଧୀଙ୍କ ନେତୃତ୍ବାଧୀନ କଂଗ୍ରେସର ‘ଭାରତ ‌ଯୋଡ଼ୋ ଯାତ୍ରା’ ରାଷ୍ଟ୍ରୀୟ ରାଜଧାନୀ ଦିଲ୍ଲୀରେ ପ୍ରବେଶ କରିଛି। ଦିଲ୍ଲୀ କଂଗ୍ରେସ ମୁଖ୍ୟ ଅନୀଲ ଚୌଧୁରୀ ଓ ଦଳୀୟ କର୍ମୀମାନେ ରାହୁଲ୍‌ ଗାନ୍ଧୀ ଓ ଅନ୍ୟ ଭାରତ ଯାତ୍ରୀଙ୍କୁ ଦିଲ୍ଲୀକୁ ସ୍ବାଗତ କରିଥିଲେ। ପୁଲିସ ‘ଆଡ୍‌ଭାଇଜରି’ ଅନୁସାରେ, ଆଜି ସକାଳ ୬.୩୦ରେ ଦକ୍ଷିଣପୂର୍ବ ଦିଲ୍ଲୀର ବଦରପୁର ସୀମାନ୍ତରେ ଦୀଲ୍ଲୀକୁ ପ୍ରବେଶ କରିଥିବା ଯାତ୍ରା ୨୩ କିଲୋମିଟର୍‌ ଦୂରତ୍ବ ଅତିକ୍ରମ କରି ଆଶ୍ରମ ଚୌକ୍‌ ବାଟ ଦେଇ ଲାଲ୍‌ କିଲାରେ ଶେଷ ହେବ।

ଦିଲ୍ଲୀରେ ପ୍ରବେଶ କରିବା ପରେ ଦିଲ୍ଲୀବାସୀଙ୍କୁ ରାହୁଲ୍‌ ଗାନ୍ଧୀ କହିଛନ୍ତି, ଦେଶରେ କେତେକ ବ୍ୟକ୍ତି ଘୃଣା ପ୍ରସାର କରୁଛନ୍ତି ଅଥଚ ଦେଶର ସାଧାରଣ ଜନତା ଏବେ ଭଲପାଇବାର କଥା କହୁଛନ୍ତି। ପ୍ରତ୍ୟେକ ରାଜ୍ୟରେ ଲକ୍ଷ ଲକ୍ଷ ଜନତା ଯାତ୍ରାରେ ଯୋଗ ଦେଇଛନ୍ତି। ଆପଣମାନଙ୍କ ‘ଘୃଣା ବଜାର’ରେ ଆମେ ‘ପ୍ରେମ’ ଦୋକାନ ଖୋଲିବୁ ବୋଲି ମୁଁ ‘ଆର୍‌ଏସ୍‌ଏସ୍‌-ବିଜେପି’ ଲୋକଙ୍କୁ କହିଛି। ଆପଣ ମଧ୍ୟ ନିଜର ପ୍ରେମର ଛୋଟ ଦୋକାନ ଖୋଲନ୍ତୁ। ଦେଶରେ ନିର୍ବାଚିତ ହୋଇଥିବା ଲୋକେ ଘୃଣା ବିସ୍ତାର କରୁଛନ୍ତି।ଆମେ ଯୁଆଡ଼େ ଗଲୁ, ଆମକୁ ଭଲପାଇବା ମିଳିଲା। ଏହି ଯାତ୍ରା ଭୟ, ଘୃଣା, ବେକାରୀ ଏବଂ ମୁଦ୍ରାସ୍ଫୀତି ବି‌ପକ୍ଷରେ। ‘ଆର୍‌ଏସ୍‌ଏସ୍‌’ ଭୟ ପ୍ରସାର କରିବା ପରେ ତାହାକୁ ଘୃଣାରେ ପରିଣତ କରୁଛି। ଆମେ ଘୃଣା ପ୍ରସାର କରୁ ନ ଥିବାରୁ ଭୟ କରନ୍ତୁ ନାହିଁ ବୋଲି ସେ କହିଛନ୍ତି।

ସେ ଆହୁରି ମଧ୍ୟ କହିଛନ୍ତି ଯେ, ଘୃଣା ବିରୋଧରେ ଏହି ଯାତ୍ରା। ‘ଭାରତ ଯୋଡ଼ୋ ଯାତ୍ରା’ରେ କେବଳ ପ୍ରେମ ଓ ଅହିଂସା ରହିଛି। ଏହି ଯାତ୍ରା କନ୍ୟାକୁମାରୀରୁ କଶ୍ମୀରକୁ ଯିବ। ସେଠାରେ ଆମେ ତ୍ରିରଙ୍ଗା ଉତ୍ତୋଳନ କରିବୁ। ଜନତାଙ୍କ ଶ୍ରଦ୍ଧା ଓ ଶକ୍ତି ବଳରେ ଆମେ କନ୍ୟାକୁମାରୀରୁ ଚାଲି ଚାଲି ଆସି ଦିଲ୍ଲୀରେ ପହଞ୍ଚିଛୁ। ଭାରତ ଆମକୁ ସାହାଯ୍ୟ କରିଛି, ସେ ସାହାଯ୍ୟ କଦାପି ଭୁଲି ହେବନାହିଁ ବୋଲି ରାହୁଲ କହିଛନ୍ତି।

Related Posts