ଆଇଆଇସିଙ୍କୁ ଖାତରେ ଠେଲିବା ମାମଲା; ୬୦ ଜଣଙ୍କ ନାମରେ ରୁଜୁ ହେଲା ମାମଲା

ଭୁବନେଶ୍ୱର(ସତ୍ୟପାଠ ବ୍ୟୁରୋ): ଆଇଆଇସିଙ୍କୁ ଖାତରେ ଠେଲିବା ମାମଲାକୁ ନେଇ ସାରା ରାଜ୍ୟରେ ଚର୍ଚ୍ଚା ଜୋର ଧରିଛି । ସେପଟେ ଅଇଁଠା ପତର ପଡ଼ିଥିବା ଖାତରେ ପଡ଼ି ଏହି ଥାନା ବାବୁଙ୍କ ଦେହ ହାତ ମଳି ହୋଇଛି। ସେ ଆହତ ମଧ୍ୟ ହୋଇଛନ୍ତି। ବଡ଼ କଷ୍ଟରେ ଖାତରୁ ଉଠି ଉକ୍ତ ଅଞ୍ଚଳରୁ ଥାନାକୁ ଫେରି ଆସିଛନ୍ତି ଥାନା ବାବୁ। ନନ୍ଦପୁର ଥାନା ହାଟଶୁକୁରେ ଘଟିଛି ଏହି ଘଟଣା। ସ୍ଥାନୀୟ ଚିନା ମାଟି ଖଣି ଜଗିବା ଦାୟିତ୍ୱରେ ଥିବା ସିକ୍ୟୁରିଟି ଗାର୍ଡଙ୍କୁ ସ୍ଥାନୀୟ କିଛି ଲୋକ ଅଟକ ରଖି ଟଙ୍କା ଦାବି କରୁଥିବା ଖବର ପାଇ ଏଠାକୁ ପୁଲିସ ଗସ୍ତ କରିଥିଲା। ହେଲେ ଲୋକେ ଏହାକୁ ବିରୋଧ କରିଥିଲେ। ପୁଲିସକୁ ଖଣି ଅଞ୍ଚଳକୁ ପ୍ରବେଶ କରାଇ ଦେଇ ନ ଥିଲେ। ଗାଡ଼ି ଆଗରେ ଶତାଧିକ ଲୋକ ବାଡ଼ି, କଟୁରୀ, କୁରାଢ଼ି ଧରି ବିରୋଧ କରିଥିଲେ। ହେଲେ ଆଇଆଇସି ଗାଡ଼ିରୁ ଓହ୍ଲାଇ ଲୋକଙ୍କୁ ବୁଝାସୁଝା କରି ଆଗକୁ ଯିବାକୁ ଚେଷ୍ଟା କରିଥିଲେ। ଏହି ସମୟରେ ଲୋକଙ୍କ ଠାରୁ ଧକ୍କାଖାଇ ସେ ଖାତରେ ପଡ଼ିଯାଇଥିଲେ।

କିଛି ଲୋକ ତାଙ୍କୁ ଆକ୍ରମଣ କରୁଥିବା ବେଳେ କିଛି ଲୋକ ଏହାର ଭିଡ଼ିଓ କରିଥିଲେ। ଏହି ଥାନା ବାବୁ ଜଣକ ନନ୍ଦପୁର ଥାନା ଇନସପେକ୍ଟର ପ୍ରଫୁଲ ଲାକ୍ରା। ତାଙ୍କୁ ଏହା ଖୁବ୍ ବାଧିଛି।ଏନେଇ ଏସଡିପିଓ ସଞ୍ଜୟ ମହାପାତ୍ର କହିଛନ୍ତି, ଗତକାଲି ଶ୍ରମିକ ଦିବସ ଥିବାରୁ ମାଇନିଂ କାମ ବନ୍ଦ ଥିଲା। ତେଣୁ ମାଇନିଂ ଜଗିବା ନିମନ୍ତେ ଘରୋଇ ସିକ୍ୟୁରିଟିକୁ ପଠାଯାଇଥିଲା। ଏହି ସମୟରେ ହାଟଶୁକୁ ଗ୍ରାମର ୬ ଜଣ ଲୋକ ଆସି ଏହି ସିକ୍ୟୁରିଟିଙ୍କୁ ଘେରାଉ କରି ରଖିଥିଲେ। ୧୦ ଲକ୍ଷ ଟଙ୍କା ଦେଲେ ତାଙ୍କୁ ଛାଡିବେ ବୋଲି ଦାବି କରିଥିଲେ। ଏହି ଖରବ ପାଇ ପୁଲିସ ଘଟଣାସ୍ଥଳରେ ପହଞ୍ଚିଥିଲା। ଏହି ସମୟରେ ଲୋକେ ପୁଲିସକୁ ଆକ୍ରମଣ କରିଥିଲେ। ଯାହା ମଧ୍ୟରେ ଥାନା ଆଇଆଇସି ମଧ୍ୟ ଥିଲେ। ଏହି ଘଟଣାରେ ପ୍ରାୟ ୫ ଜଣ ପୁଲିସ କର୍ମଚାରୀ ଆହତ ହୋଇଛନ୍ତି। ପୁଲିସ ପକ୍ଷରୁ ଏନେଇ ୬୦ ଜଣଙ୍କ ନାମରେ ମାମଲା ରୁଜୁ କରାଯାଇଛି।

Related Posts