କେନ୍ଦ୍ର ସରକାରଙ୍କ ଉପରେ ୩ ହଜାର କୋଟି ଟଙ୍କାର ଜିଏସଟି ବାକି ରହିଛି: ଅର୍ଥମନ୍ତ୍ରୀ ନିରଞ୍ଜନ ପୂଜାରୀ

ଭୁବନେଶ୍ୱର(ସତ୍ୟପାଠ ବ୍ୟୁରୋ): କେନ୍ଦ୍ର ସରକାରଙ୍କ ଉପରେ ୩ ହଜାର କୋଟି ଟଙ୍କାର ଜିଏସଟି ବାକି ରହିଛି । ତେବେ ଚଳିତ ମୌସୁମୀ ଅଧିବେଶନରେ ଏପରି ସୂଚନା ଦେଇଛନ୍ତି ଅର୍ଥମନ୍ତ୍ରୀ ନିରଞ୍ଜନ ପୂଜାରୀ । ଏହା ସହ କେନ୍ଦ୍ର ସରକାରଙ୍କ ଉପରେ ୨୦୨୧-୨୨ ଆର୍ଥିକ ବର୍ଷ ପାଇଁ ଜିଏସଟି କ୍ଷତିପୂରଣ ବାବଦରେ ୧୧୬୭.୫୦ କୋଟି ଟଙ୍କା ବକେୟା ଥିବାବେଳେ ୨୦୨୨-୨୩ ଆର୍ଥିକ ବର୍ଷର ପ୍ରଥମ ଦୁଇମାସର ୧୫୭୧.୫୩ କୋଟି ଟଙ୍କା ବକେୟା ରହିଛି । ଜିଏସଟି ଆଇନ ୨୦୧୭ ଅନୁଯାୟୀ ୨୦୧୫-୧୬ ଆର୍ଥିକ ବର୍ଷକୁ ମୂଳ ବର୍ଷ ଭାବେ ରଖି ଜିଏସଟି ରାଜସ୍ୱ ୧୪%ରୁ ଅଧିକ ହେଉ ନଥିଲେ କେନ୍ଦ୍ର ସରକାର ବକେୟା ରାଶି ୫ ବର୍ଷ ପାଇଁ ପ୍ରତି ଦୁଇମାସରେ ଭରଣା କରିବେ ।

କେନ୍ଦ୍ର ସରକାର ଜିଏସଟି ଟିକସ ବ୍ୟବସ୍ଥା ୨୦୧୭ ଜୁଲାଇ ପହିଲାରୁ ଲାଗୁ କରିଛନ୍ତି । କେନ୍ଦ୍ର ସରକାର ୨୦୧୭-୧୮ ଆର୍ଥିକ ବର୍ଷରେ ୨୩୪୮.୦୮ କୋଟି ପ୍ରଦାନ କରିଥିବାବେଳେ ୨୦୧୮-୧୯ରେ ୪୨୪୧.୦୮ କୋଟି, ୨୦୧୯-୨୦ରେ ୫୩୩୧.୯୧ କୋଟି ପ୍ରଦାନ କରିଥିଲେ । ୨୦୨୦-୨୧ରେ କୋଭିଡ ମହାମାରୀ ପାଇଁ କେନ୍ଦ୍ର ସରକାର ଆଂଶିକ ଭାବେ ୪୨୪୩.୪୨ କୋଟି ଟଙ୍କା ପ୍ରଦାନ କରିଥିବାବେଳେ ପରେ ଜିଏସଟି କ୍ଷତିଭରଣା ପାଇଁ ୩୮୨୨ କୋଟି ବ୍ୟାକ ଟୁ ବ୍ୟାକ ଲୋନ ପ୍ରଦାନ କରିଥିଲେ । ୨୦୨୦-୨୧ ସୁଦ୍ଧା ଓଡ଼ିଶା ମୋଟ ୮,୦୬୫.୪୨ କୋଟି ଟଙ୍କା କେନ୍ଦ୍ର ନିକଟରୁ ଜିଏସଟି କ୍ଷତିପୂରଣ ଭାବେ ପାଇଥିବା ଅର୍ଥମନ୍ତ୍ରୀ ନିରଞ୍ଜନ ପୂଜାରୀ କହିଛନ୍ତି । ଏ ଖବର ସାମ୍ନାକୁ ଆସିବା ପରେ ସାରା ରାଜ୍ୟରେ ଏନେଇ ଚର୍ଚ୍ଚା ଜୋର ଧରିବାରେ ଲାଗିଛି ।

Related Posts