ଭୁବନେଶ୍ୱର(ସତ୍ୟପାଠ ବ୍ୟୁରୋ): ସପ୍ତାହକ ଭିତରେ ଦ୍ବିତୀୟ ଥର ପାଇଁ ସମୀକ୍ଷା ବୈଠକ ଡାକିଲେ ମୁଖ୍ୟମନ୍ତ୍ରୀ ମୋହନ୍ ମାଝୀ । ବୈଠକରେ ଆଇନଶୃଙ୍ଖଳା ପରିସ୍ଥିତି ନେଇ ସମୀକ୍ଷା କରାଯିବ। ମୁଖ୍ୟ ଶାସନ ସଚିବ, ଡିଜିପି ଉପସ୍ଥିତ ରହିବା ସହ ରାଜ୍ୟର ସବୁ ଜିଲାର ଏସ୍‌ପି ଭିଡିଓ କନ୍‌ଫରେନ୍ସିଂ ଜରିଆରେ ଉକ୍ତ ବୈଠକରେ ଯୋଡ଼ି ହୋଇରହିବେ। ତେବେ ମୁଖ୍ୟମନ୍ତ୍ରୀ ବିଗତ ଦିନରେ ବିଭିନ୍ନ ବିଭାଗକୁ ପ୍ରଦାନ କରିଥିବା ବ୍ୟକ୍ତିଗତ ନୋଟ୍‌ଶିଟ୍‌ର କାର୍ଯ୍ୟକାରିତା କେତେଦୂର ହୋଇଛି ସେନେଇ ମୁଖ୍ୟ ଶାସନ ସଚିବ ସମୀକ୍ଷା କରିବେ। ଶେଷରେ ଆଇନ ବିଭାଗ ପକ୍ଷରୁ ପୁରୁଣା ମାମଲାର ଉଚ୍ଛେଦ ଲାଗି ‘ସମାଧାନ ସମାରୋହ’ ଶୀର୍ଷକ ଏକ ରିପୋର୍ଟ ଉପସ୍ଥାପନ କରାଯିବ ବୋଲି ଯୋଜନା ଓ ସଂଯୋଜନ ବିଭାଗ ଅତିରିକ୍ତ ସଚିବ ଶୁଭଶ୍ରୀ ନନ୍ଦଙ୍କ ପତ୍ରରୁ ଜଣାପଡ଼ିଛି। ସେହିପରି ରାଜ୍ୟରେ ଚଳିତ ଆର୍ଥିକ ବର୍ଷ(୨୦୨୬-୨୭)ରେ ଅଦ୍ୟାବଧି କେତେଟଙ୍କା ଖର୍ଚ୍ଚ ହେଲାଣି ଏବଂ ଏହି ସମୟ ମଧ୍ୟରେ କେତେ ରାଜସ୍ବ ଆଦାୟ ହୋଇଛି ସେନେଇ ସଚିବସ୍ତରୀୟ ବୈଠକରେ ସମୀକ୍ଷା କରାଯିବ।

ଖାରବେଳ ଭବନର ୮ମ ମହଲାରେ ମୁଖ୍ୟ ଶାସନ ସଚିବ ଅନୁ ଗର୍ଗଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ହେବାକୁ ଥିବା ସଚିବସ୍ତରୀୟ ବୈଠକରେ ୪ଟି ଗୁରୁତ୍ୱପୂର୍ଣ୍ଣ ଦିଗ ଉପରେ ଆଲୋଚନା ହେବ। ପ୍ରଥମେ ସରକାରଙ୍କ ରାଜସ୍ବ ଆୟ ଏବଂ ବ୍ୟୟର ହିସାବ ନିଆଯିବ। ଏହାପରେ ପଞ୍ଚାୟତିରାଜ ବିଭାଗ ପକ୍ଷରୁ ପାନୀୟଜଳର ସୁପରିଚାଳନା ଲାଗି ପୂର୍ବ କ୍ୟାବିନେଟ୍‌ରେ ଆସିଥିବା ନୂତନ ପ୍ରସ୍ତାବର କାର୍ଯ୍ୟକାରିତା ଉପରେ ଆଲୋଚନା କରାଯିବ ବୋଲି ସୂଚନା ମିଳିଛି ।